Odiapua.com

କେବେ ବାସ୍ତବ ରୂପ ନେବା ଭଦ୍ରକର ହାତୀ କରିଡର!, ନାଲିଫିତା ତଳେ ପଡ଼ି ରହିଛି ମିଳିତ ସର୍ଭେ ରିପୋର୍ଟ

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ହାତୀ ଆତଙ୍କ ରହିଛି । କିନ୍ତୁ ଅନ୍ୟ କେତେକ ଜିଲା ପରି ନୁହେଁ । ତଥାପି ବନ୍ତ ବ୍ଲକର ବନ୍ତ, ଆଗରପଡ଼ା ଓ କେନ୍ଦୁଝର ଜିଲା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ସମୟରେ ହାତୀ ଉପଦ୍ରବ ଲାଗି ରହିଛି । ତେଣୁ ଅନ୍ୟାନ୍ୟ ଅଞ୍ଚଳ ପରି ଭଦ୍ରକ ଜିଲାର କେତେକ ଅଞ୍ଚଳରେ ମଧ୍ୟ ହାତୀ କରିଡର ସ୍ଥାପନ ଏବେ ଜରୁରୀ ହୋଇ ପଡ଼ିଛି । କାରଣ ନିକଟବର୍ତ୍ତୀ ହଦଗଡ଼ ଜଙ୍ଗଲରୁ ହାତୀ ପଳାଇ ଆସି କାନପୁର, ପାଟକନା, ରାଉତରାପୁର ପରି ଅଞ୍ଚଳରେ ଆତଙ୍କ ଖେଳାଉଛି । ଗତ ମାସ ୩୧ତାରିଖ ରାତିରେ ଗୋଟିଏ ହାତୀକୁ ସ୍ଥାନୀୟ ଅôଦବାସୀ ଦେଖି ଆତଙ୍କିତ ହୋଇ ପଡ଼ିଥିଲେ । ହାତୀଟି ଆଗରପଡ଼ାସ୍ଥିତ ରାଉତରାପୁର, ପାଟକନା, ଦନେଇପୁର ସାଳନ୍ଦୀ ନଦୀପଠା ଅଞ୍ଚଳରେ ବୁଲିବା ସହିତ ଲୋକଙ୍କ ପନିପରିବା କ୍ଷେତକୁ ନଷ୍ଟ କରି ଦେଇଥିବାର ଅଭିଯୋଗ ହୋଇଥିଲା । ଭୟରେ ସ୍ଥାନୀୟ ଲୋକଙ୍କ ତାଟି କବାଟ ପଡ଼ି ଯାଇଥିଲା । ଲୋକେ ଘର ଭିତରେ ରହି ସଂଧ୍ୟା ପରେ ବାହାରକୁ ବାହାରିବାକୁ ଉଚିତ ମନେ କରିନଥିଲେ । ତେବେ ବର୍ତ୍ତମାନ ସମୟରେ ସଂପୃକ୍ତ ଅଞ୍ଚଳବାସୀଙ୍କୁ ହାତୀ ଭୟ ଘାରିଛି । ସୂଚନାଅନୁଯାୟୀ ଗତ ବର୍ଷ ଏକ ଦନ୍ତା ହାତୀ ସଂପୃକ୍ତ ଅଞ୍ଚଳରେ ଦୀର୍ଘମାସ ରହିବା ସହ ବ୍ୟାପକ ପନିପରିବା ଚାଷ ନଷ୍ଟ କରିଥିଲା । ହାତୀ ଆକ୍ରମଣରେ ମହାନ୍ତିପଡ଼ା ଗ୍ରାମର ପାଗଳ ବେହେରା ମୃତ୍ୟୁବରଣ କରିଥିବାର ଅଭିଯାଗ ମଧ୍ୟ ହୋଇଥିଲା । ଉକ୍ତ ଦନ୍ତାର ଆକ୍ରମଣରେ କମଳାକାନ୍ତ ସାହୁଙ୍କ ସମେତ ୪ଜଣ ଗୁରୁତର ଆହତ ହୋଇଥିଲେ । ପ୍ରତିବର୍ଷ ଦନ୍ତା ଆତଙ୍କ ଖେଳାଉଥିବାବେଳେ, ବନ ବିଭାଗ ହାତୀ ଘଉଡ଼ାଇବାରେ ବିଫଳ ହେଉଥିବାର ଅଭିଯୋଗ ନିୟମିତ ହୋଇ ଆସୁଛି । ତେଣୁ ସଂପୃକ୍ତ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏସମସ୍ତ ଗ୍ରାମରେ ହାତୀ ଉପଦ୍ରବ ବାରମ୍ବାର ଲାଗି ରହିଥିବାରୁ, ସେମାନଙ୍କ ସୁରକ୍ଷା ପ୍ରତି ବନ ବିଭାଗ ଓ ନେସ୍କୋ କର୍ତ୍ତୃପକ୍ଷ ଚିନ୍ତାପ୍ରକଟ କରି ଚାଲିଛନ୍ତି । ତେଣୁ ହାତୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏସମସ୍ତ ଅଞ୍ଚଳରେ ସଂଧ୍ୟାରୁ ସକାଳ ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବନ୍ଦ ରହୁଛି । ଫଳରେ ପ୍ରବ ଳ ଗ୍ରୀଷ୍ମ ପ୍ରବାହ ସହିତ ଅସହ୍ୟ ଗୁଳୁଗୁଳି କାରଣରୁ ସଂପୃକ୍ତ ଅଞ୍ଚଳବାସୀ ହଇରାଣ ହେବା ସହ ରାତି ସମୟରେ ନିଜକୁ ନିରାପଦ ମନେ କରୁ ନାହାନ୍ତି ।

ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ହଦଗଡ଼ ଅଭୟାରଣ୍ୟରେ ହାତୀ କରିଡର ନିର୍ମାଣ ନିମନ୍ତେ ବନ ବିଭାଗକୁ ବାରମ୍ବାର ସ୍ଥାନୀୟ ଅଧିବାସୀଙ୍କ ପକ୍ଷରୁ ନିବେଦନ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ଏଯାବତ୍ ମିଳି ପାରି ନାହିଁ । ହାତୀଙ୍କ ସୁରକ୍ଷା ପ୍ରତି ରାଜ୍ୟ ସରକାର ବିଶେଷ ଭାବେ ଯତ୍ନବାନ ଥିବାବେଳେ, କରିଡର ସ୍ଥାପନ ନେଇ ଆନ୍ତରିକତାର ଅଭାବ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି । ଏହି ଅଞ୍ଚଳରେ ବିଦ୍ୟୁତ୍ ତାର ହାତୀଙ୍କ ସୁରକ୍ଷା ଦିଗରେ ସବୁ ସମୟରେ ବିପଦ ସୃଷ୍ଟି କରି ଆସିଛି । ଭଦ୍ରକ ବନଖଣ୍ଡ ଅଧିକାରୀ ରଂଜିତ ମହାନ୍ତି ଓ ନେସ୍କୋ ସାଉଥ ଡିଭିଜନର ନିର୍ବାହୀ ଯନ୍ତ୍ରୀ ରଶ୍ମିରଂଜନ ବେହେରାଙ୍କ ସୂଚନା ଅନୁଯାୟୀ ପୂର୍ବରୁ ହାତୀଙ୍କ ସୁରକ୍ଷା ନିମିତ୍ତ ଉଭୟ ନେସ୍କୋ ଓ ବନ ବିଭାଗ ପକ୍ଷରୁ ଏକ ମିଳିତ ସର୍ଭେ କରାଯାଇଥିଲା । ଏହି ସର୍ଭେ ଆଧାରରେ ନେସ୍କୋର ଦକ୍ଷୀଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଏକାଧିକ କୋଟି ଟଙ୍କାର ଏକ ବ୍ୟୟ ଅଟ୍ଟକଳ ରିପୋର୍ଟ ପ୍ରସ୍ତୁତ କରି ବାଲେଶ୍ୱରସ୍ଥିତ ନେସ୍କୋ କରପୋରେଟ କାର୍ଯ୍ୟାଳୟକୁ ପଠାଇଥିଲେ । ଏଥିରେ ତାରବାଡ଼ ସ୍ଥାପନ, ଲମ୍ବା ବିଦ୍ୟୁତଖୁଣ୍ଟ ଓ ତାର ବଦଳରେ କେବୁଲ ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ପ୍ରକଳ୍ପ ଦ୍ୱାରା ହାତୀଙ୍କ ସୁରକ୍ଷା ସହିତ ସ୍ଥାନୀୟ ଅଧିବାସୀଙ୍କୁ ନିରନ୍ତର ବିଦ୍ୟୁତ୍ ସେବା ଯୋଗାଯାଇ ପାରିବ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା । ତେବେ ଏହି ରିପୋର୍ଟ ଗତ ବର୍ଷ ଜାନୁଆରୀ ୩୧ ତାରିଖ ପଠାଯାଇଥିବା ବିଭାଗୀୟ ଅଧିକାରୀଙ୍କ ସୂଚନାରୁ ପ୍ରକାଶ । ତେବେ ଇତିମଧ୍ୟରେ ପନ୍ଦର ମାସ ବିତିଯାଇଥିଲେ ମଧ୍ୟ ଏହି ପ୍ରସ୍ତାବ ବିଭାଗର ନାଲିଫିତା ତଳେ ଚାପି ହୋଇ ରହି ଯାଇଛି । ଏଥି ନେଇ ସଂପୃକ୍ତ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇ ଚାଲିଛି । ତେଣୁ ହାତୀଙ୍କ ସୁରକ୍ଷା ପାଇଁ କରିଡର ସ୍ଥାପନ ସହିତ ଉକ୍ତ ଅଞ୍ଚଳର ଅଧିବାସୀଙ୍କ ସୁରକ୍ଷା ଓ ସେମାନଙ୍କୁ ନିମୟିତ ବିଦ୍ୟୁତ ସେବା ଯୋଗାଇ ଦେବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି ।