Odiapua.com

କେବେ ଚିହ୍ନିବା ମହାପ୍ରଭୁଙ୍କୁ ?

– ଶ୍ରୀ ଅଖଣ୍ଡ

ସମସ୍ତଙ୍କ ଠାରେ ସମାନ ଭାବରେ ମହାପ୍ରଭୁ ଦୃଶ୍ୟମାନ ହେଉଛନ୍ତି। ଏପରି ବିଚାର କେତେଜଣ କରିପାରନ୍ତି ? ଏପରି ଭାବନା କରିବା ସହଜ ମଧ୍ୟ ନୁହେଁ। କିନ୍ତୁ ଅସଲ ଭକ୍ତ ଏହି ଭାବନା ରଖି ସବୁଆଡେ ପ୍ରଭୁଙ୍କୁ ହିଁ ଦେଖିଥାଏ। ସବୁଠାରେ ପ୍ରଭୁ ଅଛନ୍ତି ବୋଲି ଭାବି ତାକୁ ଆନନ୍ଦ ମିଳେ। ସେ ପ୍ରଭୁଙ୍କୁ ଅନୁଭବ କରି କରି ସଦା ସର୍ବଦା ଦର୍ଶନ କରୁଥାଏ। ଶାନ୍ତି ଓ ମୈତ୍ରୀ ଭାବରେ ସେ ଜୀବନ ଅତିବାହିତ କରେ। କାରଣ ସେ ସମସ୍ତଙ୍କ ଠାରେ ପ୍ରଭୁଙ୍କୁ ହିଁ ଅନୁଭବ କରିଥାଏ। ମହାପ୍ରଭୁ ଜଗନ୍ନାଥଙ୍କ ଭିତରେ ତାକୁ ଶ୍ରୀହରି ଦେଖାଯାନ୍ତି ଓ ପୁରୁଷୋତମ ଶ୍ରୀରାମ ମଧ୍ୟ ପ୍ରତୀୟମାନ ହୁଅନ୍ତୁ। ପ୍ରଭୁଙ୍କୁ ଯିଏ ଯେମିତି ଭାବରେ ଡାକେ, ପ୍ରଭୁ ତା ପାଇଁ ସେହି ଭଳି ରୂପ ନେଇ ଦେଖାଯାନ୍ତି। ଅନେକ ଉଦାହରଣ ରହିଛି, ଯାହା ସମସ୍ତେ ଜାଣିଛନ୍ତି। ଏଇ ଦୁନିଆରେ ସବୁ କିଛି ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ‘ଗୀତ ଶ୍ରୀଜଗନ୍ନାଥ’ ପୁସ୍ତକରେ ସେଥିପାଇଁ କୁହାଯାଇଛି – “ଦେଶକାଳପାତ୍ର ପ୍ରଭୁ ଜଗନ୍ନାଥ, କୋଟି ତୀର୍ଥ ପଦ ଅନନ୍ତ ଅଚ୍ୟୁତ।” ପ୍ରକୃତରେ ସେ ହିଁ ଦେଶ ବା ସ୍ଥାନ, ସେ ହିଁ କାଳ ବା ସମୟ ଏବଂ ସେ ହିଁ ପାତ୍ର ଅର୍ଥାତ୍ କର୍ତା। କିନ୍ତୁ ଆମେ ଏହାକୁ ସହଜରେ ଗ୍ରହଣ କରିପାରୁନାହେଁ। କାରଣ ଏହି ବିଶାଳ ଜଗତରେ ଏହା କିପରି ଘଟୁଛି ଓ କେମିତି ଘଟୁଛି ବୋଲି ଆମେ ସିଧାସଳଖ ଦେଖିପାରୁନାହେଁ ବା ଜାଣିପାରୁନାହେଁ। ତେଣୁ ଏହା ଆମକୁ ବିଶ୍ୱାସ ହେଉନାହିଁ। ଅନେକ ସ୍ଥଳରେ ଆମେ ଇଶ୍ୱରଙ୍କୁ ମୂର୍ତ୍ତୀ ବା ନାଟ୍ୟରୂପାନ୍ତରରେ ମଣିଷର ସ୍ୱରୂପ ଭାବେ ଦେଖିଥିବାରୁ ସେ ଯେ ଏମିତି ସବୁ କରିପାରନ୍ତି ବୋଲି ତାହା ଆମେ ସହଜରେ ବିଶ୍ୱାସ କରିପାରୁନାହେଁ। ଆମେ ପୁଣି ଏକ ଅବତାର ଖୋଜୁଛେ। କିନ୍ତୁ ସ୍ୱୟଂ ଅବତାର ଓ ଅବତାରୀ ଉଭୟ ଯେ ଶ୍ରୀକ୍ଷେତ୍ରରେ ପ୍ରକଟ ହୋଇଛନ୍ତି, ତାହା ଜାଣିପାରୁନାହେଁ। ଯଦିଓ ଆମ ଶାସ୍ତ୍ରରେ ଏହା ସ୍ପଷ୍ଟ ଭାବେ କୁହାଯାଇଛି। କୋଟିତୀର୍ଥର ପୁଣ୍ୟ ପ୍ରଦାତା ଅନନ୍ତ ଓ ଅଚ୍ୟୁତ ରୂପ ଧାରଣ କରିଥିବା ମହାପ୍ରଭୁଙ୍କୁ ଆମେ ଆଉ କେବେ ଚିହ୍ନିବା ? ବାୟୁ, ଅଗ୍ନି, ଆକାଶ, ଅଥଳ ସାଗର ଆଦି ଭିନ୍ନ ଭିନ୍ନ ରୂପରେ ପ୍ରଭୁ ଆବିର୍ଭାବ ହୋଇଛନ୍ତି। ଆମର ପ୍ରାଣଧନ ହେଉଛନ୍ତି ସଂସାର ଠାକୁର ପ୍ରଭୁ ଜଗନ୍ନାଥ। ଆମେ ସିନା ତାଙ୍କୁ ମନେପକାଇବାକୁ ଭୁଲିଯାଉଛେ। କିନ୍ତୁ ଆମର ସବୁ ଭୁଲକୁ ସେ ଭୁଲିଯାଇ ଆମକୁ କୋଳେଇ ନେବାକୁ ସଦା ପ୍ରସ୍ତୁତ। ଆମର ପ୍ରାର୍ଥନା କରିବା ବା ନକରିବାରେ କଣ ବା ଯାଉଛି ? ବ୍ରହ୍ମା, ଶିବ, ଇନ୍ଦ୍ର ଓ ସମସ୍ତ ଦେବତା ତାଙ୍କୁ ସ୍ମରଣ ମନନ କରୁଛନ୍ତି। ଆମେ ତ ଛାର ମଣିଷ। କିନ୍ତୁ ଆମର ତ ଗର୍ବ ଓ ଅହଂକାର ମାତ୍ରା ଦେବତାଙ୍କ ଠୁଁ ମଧ୍ୟ ଅଧିକ ନା ! ଆମ ଭିତରୁ ତ ଅନେକ ନିଜେ ପ୍ରଭୁ ଭାବେ ପ୍ରଦର୍ଶିତ କରନ୍ତି କିମ୍ବା ପ୍ରଭୁଙ୍କୁ ନିୟନ୍ତ୍ରଣ କରିବା ଭଳି ଶକ୍ତି ପ୍ରଦର୍ଶନ କରିଥାନ୍ତି। କିନ୍ତୁ ସମୟକ୍ରମେ ସେ ସବୁ ଦୁର୍ବଳ ପଡିଯାଏ, ମଳିନ ପଡିଯାଏ। ନାମକୁ ମାତ୍ର ତ ମିଳେ ବହୁତ କିଛି। କିନ୍ତୁ ସବୁକିଛିକୁ ଟପିଯାଏ ନିଜେ କରିଥିବା ପାପର ପରିମାଣ। ଆରେ ମନ ! ସବୁ ପାପର ପ୍ରାୟଶ୍ଚିତ ହେଉଛି ଜଗନ୍ନାଥ ନାମ ଜପ। ସେହି ଜଗନ୍ନାଥଙ୍କ ଶରଣ ଯାଆ। ସବୁ ତୀର୍ଥସ୍ଥାନର ପୁଣ୍ୟ ମିଳିବ। ସେଥିପାଇଁ ସେ ସାରା ପୃଥିବୀରେ ମହାପ୍ରଭୁଙ୍କ ପ୍ରାକଟ୍ୟ ସ୍ଥାନକୁ ଶ୍ରୀକ୍ଷେତ୍ର କୁହାଯାଇଛି। ସାରା ଦୁନିଆରେ ଗୋଟିଏ ରୂପ ହିଁ ମୋତେ ଦେଖାଯାଉଛି। ସେଇ ବିଶ୍ୱରୂପଧର ଶାନ୍ତମୂର୍ତି ମୁଦ୍ରାରେ ତପରେ ବସିଛନ୍ତି। ଇଶ୍ୱରଙ୍କ ବିଭୂତି ସ୍ୱରୂପ ଦେବାଦେବୀଗଣ ମହାପ୍ରଭୁଙ୍କର ପୂଜାର୍ଚ୍ଚନା କରୁଛନ୍ତି। ଭକ୍ତ ତାଙ୍କ ପାଦପଦ୍ମରେ ଲୟ କରି ଏହି ଭବ ସାଗର ପାର ହେଉଛି। ଆପଣ ବି ପ୍ରଭୁଙ୍କ ନାମ ଦୀକ୍ଷା ନେଇ ସେହି ଯାତ୍ରାର ଯାତ୍ରୀ ହୁଅନ୍ତୁ ଏବଂ ଏବେ ଠୁ ଜୀବନକୁ ଆନନ୍ଦମୟ କରନ୍ତୁ। କାରଣ ସବୁ କ୍ଷଣ ଆମ ପାଇଁ ଅନ୍ତିମ ସମୟ ଭଳି। କେବେ ଆସିଯିବ, କିଏ କହିବ ?

ଦୀକ୍ଷା ମିଶନ, ପିପିଲି, ପୁରୀ