Odiapua.com

କେନ୍ଦ୍ର ସରକାରଙ୍କ ଶ୍ରମ ଆଇନକୁ ବିରୋଧ କରି ବିଏମ୍‌ଏସ୍ ପକ୍ଷରୁ ବିକ୍ଷୋଭ

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମ ଆଇନ ବିରୋଧରେ ଭାରତୀୟ ମଜଦୁର ସଂଘ ଏବଂ ସଂଘ ଦ୍ୱାରା ପରିଚାଳିତ ବିିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଜିଲ୍ଲା ସଦର ମହକୁମା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟବନ୍ଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭାରତୀୟ ମଜଦୁର ସଂଘର ଜିଲ୍ଲା ଶାଖା ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଳା ସମ୍ପାଦକ ମୁକ୍ତିକାନ୍ତ ସାହୁ, ପରେଶନାଥ ଧଳଙ୍କ ନେତୃତ୍ୱରେ କମଳାକାନ୍ତ ସାହୁ, ଲକ୍ଷ୍ମୀପ୍ରିୟା ରାଉତ, ପଙ୍କଜିନୀ ସେଠୀ, ବାସନ୍ତୀ ଦାସ ପ୍ରମୁଖଙ୍କ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଧାମରା ବନ୍ଦର କର୍ମଚାରୀ ସଂଘ ପକ୍ଷରୁ ସମ୍ପାଦକ ପ୍ରଫୁଲ୍ଲ ସେଠୀ, ବିଏମ୍‌ଏସ୍ ଜିଲ୍ଲା ସଭାପତି ମନୋଜ ବସନ୍ତ ରାୟଙ୍କ ନେତୃତ୍ୱରେ ଧାମରା ବନ୍ଦର ମୁଖ୍ୟ ଫାଟକ ଏବଂ ମନୋଜ ଲେଙ୍କା, ଚନ୍ଦ୍ରଶେଖର ଜେନା, ବିଜୟ ପ୍ରତାପ ଜେନା, ଲକ୍ଷ୍ମୀକାନ୍ତ ଦାସଙ୍କ ନେତୃତ୍ୱରେ ଧାମରା ଏଲ୍‌ଏନ୍‌ଜି ଟର୍ମିନାଲ ସମ୍ମୁଖରେ, ଧାମରା ବନ୍ଦର କର୍ମଚାରୀ ସଂଘ ରେଲୱେ ଶାଖା ପକ୍ଷରୁ ସଭାପତି ଶାନ୍ତନୁ ମହାପାତ୍ର, ବିଏମ୍‌ଏସ୍‌ର ଜିଲ୍ଲା ଉପସଭାପତି ବସନ୍ତ ରାଉତ, ରେଲୱେ ଶାଖାର ରଂଜନ ମହାନ୍ତି, ସରୋଜ ଜେନା, ଶଶୀକାନ୍ତ ସାହୁ, ହେମନ୍ତ ନାୟକ, ତାପସ ଘଡେଇ, ବିଚିତ୍ର ବାରିକ, ବିଶ୍ୱକର୍ମା ମଜଦୁର ସଂଘ ପକ୍ଷରୁ ନଳାଙ୍ଗ ସ୍ଥିତ ଦିଲିପ ବିଲ୍ଟକନ ଭଦ୍ରକ ସାଇଟ ଠାରେ ବିଜୟ ପାଣି, ସୁନିଲ ନାୟକ, ଜ୍ୟୋତିପ୍ରକାଶ ଦାସ, ବିଦ୍ୟାଧର ସେଠୀ, ପ୍ରଦୀପ ସାମଲ, ପ୍ରକାଶ ପାତ୍ର, ଆଶୁତୋଷ ପାଣି, ରତନ ପାଣି, ବିଜୟ କୁମାର ମିଶ୍ର, ଉତ୍କଳ ଫ୍ଲୋରମିଲ୍ ସଂଘ ପକ୍ଷରୁ ଚରମ୍ପା ଫ୍ଲୋରମିଲ ଠାରେ ଉଦୟ ବେହେରା, ନିର୍ମଳ ବେହେରା ପ୍ରମୁଖଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ସମସ୍ତ ବିକ୍ଷୋଭ ସ୍ଥଳରେ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କର୍ତ୍ତୃପକ୍ଷଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ତେବେ ବିଶେଷକରି ଭଦ୍ରକ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ମଧ୍ୟ ଉକ୍ତ ଦାବୀପତ୍ର ପ୍ରଦାନ କରାଯାଇଥିଲା । କେନ୍ଦ୍ର ସରକାର ନୂତନ ଶ୍ରମ ଆଇନରେ ୪ଟି ଶ୍ରମିକ କୋଡ ଯାହା ୨୯ଟି ଶ୍ରମ ନିୟମକୁ ରଦ୍ଦ କରି ପ୍ରସ୍ତୁତ କରାଯାଇଛି । ସେଥିରେ ଅନେକ ବିଷୟକୁ ଆଇନ ସମ୍ମତ ଦର୍ଶା ଯାଇଥିବା ବେଳେ ଅନେକ ବନ୍ଦ ଓ ନିୟନ୍ତ୍ରଣ ବିଷୟରେ ମାଲିକ, ଠିକାଦାର ଓ ଅନ୍ୟାନ୍ୟ ନିଯୁକ୍ତିଦାତାଙ୍କୁ ଶ୍ରମିକମାନଙ୍କୁ ଶୋଷଣ କରିବାର ରାସ୍ତା ପ୍ରଶସ୍ତ ହୋଇଛି । ଫଳରେ ଆଗାମୀ ଦିନରେ ଶ୍ରମିକ ଅସନ୍ତୋଷ ବୃଦ୍ଧି ହେବା ସ୍ୱାଭାବିକ । ତୁରନ୍ତ ଏହି ନୂତନ ଶ୍ରମ ଆଇନକୁ ବନ୍ଦ କରିବା ପାଇଁ ଦାବୀପତ୍ରରେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ।