Odiapua.com

କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ୍‌କୁ ବିରୋଧ – ନବନିର୍ମାଣ କୃଷକ ସଂଘ ପକ୍ଷରୁ ବିକ୍ଷୋଭ

ବାଲେଶ୍ୱର, ୯ା୧୦ (ଓଡ଼ିଆ ପୁଅ/ଅଭୟ ଦାସ):କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ ନୂତନ କୃଷି ଆଇନ୍‌କୁ ବିରୋଧ କରି ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଆଜି ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସଂଘର କର୍ମକର୍ତ୍ତା ଓ ସଦସ୍ୟଙ୍କୁ ନେଇ ଏକ ଶୋଭାଯାତ୍ରା ବାଲେଶ୍ୱର ରେଳ ଷ୍ଟେସନଠାରୁ ବାହାରି ସହର ପରିକ୍ରମା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚଥିଲା। ସେଠାରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ସଂଗଠନର ନବ ନିର୍ମାଣ କୃଷକ ସଂଘର କେନ୍ଦ୍ରୀୟ ସଂଯୋଜକ ଅକ୍ଷୟ କୁମାର ଓ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଯୋଗଦେଇ କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ଭାରତ ଭଳି କୃଷି ପ୍ରଧାନ ଦେଶରେ ଏବେ କମ୍ପାନିରାଜ ଚାଲିଥିବା ବେଳେ ସରକାର କୃଷି ଓ କୃଷକର ବିକାଶ କଥା ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି ବୋଲି ସେ କହିଥିଲେ। ଶିଳ୍ପ କ୍ଷେତ୍ରକୁ ଅହେତୁକ ଅନୁକମ୍ପା ଦେଖାଉଥିବା ସରକାର କୃଷି କ୍ଷେତ୍ରକୁ କମ୍ପାନି ହାତକୁ ଟେକି ଦେବା ପାଇଁ ନୂତନ କୃଷି ଆଇନ୍ ପ୍ରଣୟନ କରିଛନ୍ତି। ତୁରନ୍ତ ଏହି ଆଇନ୍‌କୁ ରଦ୍ଦ କରାନଗଲେ ଆଗାମୀ ଦିନରେ ସମଗ୍ର ଦେଶରେ କୃଷକ ସମାଜ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଅକ୍ଷୟ କୁମାର ଚେତାବନୀ ଦେଇଥିଲେ। ସଂଗଠନର ଜିଲ୍ଲା ସଂଯୋଜକ ପୁରୁଷୋତ୍ତମ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଗ୍ରାମ କିଶୋର, ରଣଜିତ୍ ପଟ୍ଟନାୟକ, ଅଶ୍ୱିନୀ ଜେନାଙ୍କ ସମେତ ପୂର୍ବତନ ବିଧାୟକ ଚିତ୍ତ ଷଡ଼ଙ୍ଗୀ ପ୍ରମୁଖ ଏହି ପଥପ୍ରାନ୍ତ ପ୍ରତିବାଦ ସଭାରେ ଯୋଗଦେଇ ଦେଶର କୃଷି ଓ କୃଷକର ବିକାଶରେ ଅନ୍ତରାୟ ସୃଷ୍ଟି କରିବାକୁ ଯାଉଥିବା ନୂତନ କୃଷି ଆଇନ୍‌କୁ କେନ୍ଦ୍ର ସରକାର ତୁରନ୍ତ ରଦ୍ଦ ପାଇଁ ଦାବି କରିଥିଲେ। ଏହି ଅବସରରେ ସଂଗଠନ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ଚାଷୀ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।