Odiapua.com

କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତିକୁ ବିରୋଧ କରି ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

ବଲାଙ୍ଗୀର, ୨୪-୦୯ (ଓଡ଼ିଆ ପୁଅ) କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତିକୁ ନେଇ ବଲାଙ୍ଗିର ୟୁନିଟ୍‌ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ବିରୋଧ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏ ସଂକ୍ରାନ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଆମ୍‌ ଆଦ୍‌ମୀ ପାର୍ଟି ପକ୍ଷରୁ ଆଜି ଓଡ଼ିଶାର ସମସ୍ତ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳମାନଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଯେଉଁପରି ଭାବରେ ଅଗଣତାନ୍ତ୍ରିକ ଉପାୟରେ ରାଜ୍ୟସଭାରେ କୃଷି ବିଲ୍‌ ପାସ୍‌ କରାଗଲା, ତାକୁ ଆମ୍‌ ଆଦମୀ ପାର୍ଟି ବିରୋଧ କରିବା ସହ ଏପରି ଏକ ଅଗଣତାନ୍ତ୍ରିକ ପଦ୍ଧତିରେ ପାସ୍‌ କରାଯାଇଥିବା ବିଲ୍‌କୁ ସେ ଅନୁମତି ନଦିଅନ୍ତୁ ବୋଲି ଅନୁରୋଧ କରିଛି। ସଂପୃକ୍ତ ପାର୍ଟି ପକ୍ଷରୁ କୁହାଯାଇଛି ଯେ, ଏହି କୃଷି ସମ୍ବନ୍ଧୀୟ ବିଲ୍‌ ଭାରତ ବର୍ଷରେ କୃଷକର ମେରୁଦଣ୍ଡ ଭାଙ୍ଗିଦେବ। ଏହି କଳା ବିଲ୍‌ ଯଦି କାର୍ଯ୍ୟକାରୀ ହୁଏ ତେବେ ଯେଉଁ କଂପାନୀମାନେ ଏବଂ ମିଡ଼ିଆ ମ୍ୟାନ୍‌ମାନେ କୃଷି କ୍ଷେତ୍ରରେ ପ୍ରବେଶ କରିବେ, ସେମାନେ ଲାଭାନ୍ୱିତ ହେବା ସହିତ ଉଭୟ କୃଷକ ଏବଂ ଖାଉଟି ବଡ଼ ଦୁର୍ଦ୍ଦିନରେ ରହିବେ। ବଲାଙ୍ଗିରରେ ଆଜିର ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଆମ୍‌ ଆଦ୍‌ମୀ ପାର୍ଟିର ବଲାଙ୍ଗିର ଜିଲ୍ଲା ଆବାହକ ଆଶିଷ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି।