Odiapua.com

କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ : ନୟାଗଡରେ ଠାବ ୫୦୦ ବର୍ଷ ତଳ ମନ୍ଦିରର ପୁନଃଉଦ୍ଧାର ଏବଂ ସ୍ଥାନାନ୍ତରଣ ପାଇଁ ପତ୍ର – ଧର୍ମେନ୍ଦ୍ର ପ୍ରଧାନ

– ଏହି କାମ ପାଇଁ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥାର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୧୮ (ଓଡ଼ିଆ ପୁଅ) – ନୟାଗଡ ଜିଲ୍ଲାର ମହାନଦୀ ଗର୍ଭରେ ଠାବ ହୋଇଥିବା ୫୦୦ ବର୍ଷ ତଳ ପ୍ରାଚୀନ ଗୋପିନାଥ ମନ୍ଦିରର ପୁନଃଉଦ୍ଧାର କରାଯିବା ସହ ମନ୍ଦିରକୁ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥାର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ପତ୍ର ଲେଖି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନୟାଗଡ ଜିଲ୍ଲାର ମହାନଦୀରେ ୫୦୦ ବର୍ଷ ତଳର ଗୋପିନାଥ ମନ୍ଦିର ଦୃଶ୍ୟମାନ ହୋଇଛି। ଇଣ୍ଡିଆନ ନ୍ୟାସିନାଲ ଟ୍ରଷ୍ଟ ଆଣ୍ଡ କଲଚୁରାଲ ହେରିଟେଜ୍‌ (ଇନଟାକ୍‌) ଏହି ମନ୍ଦିରର ପରୀକ୍ଷଣ କରୁଥିବା ବେଳେ ଏହି ମନ୍ଦିର ପ୍ରମୁଖ ଐତିହାସିକ ମହତ୍ୱ ରହିଛି। ନଦୀ ଗର୍ଭରେ ଲୀନ ହୋଇଯାଇଥିବା ଏହି ମନ୍ଦିରର ପ୍ରତିମା ନୟାଗଡ ପାଖ ପଦ୍ମାବତି ଗ୍ରାମର ବୈଦେଶ୍ୱର ନିକଟ ମହାନଦୀ ମଝିରେ ଠାବ ହୋଇଛି। ୫୫ ରୁ ୬୦ ଫୁଟ ଜଳମଗ୍ନ ଏହି ମନ୍ଦିର ଚୂଡର କାରୁକାର୍ଯ୍ୟ ଏବଂ ନିର୍ମାଣ ପାଇଁ ବ୍ୟବହୃତ ସାମଗ୍ରୀକୁ ବିଚାରକୁ ନେଲେ ମନ୍ଦିରଟି ୧୫ଶହ ଶତାବ୍ଦୀର ଶେଷ କିମ୍ବା ୧୬ଶହ ଶତାବ୍ଦୀର ପ୍ରାରମ୍ଭରେ ତିଆରି ହୋଇଥିବା ଜଣାପଡୁଛି। ୧୯୩୩ ମସିହାରେ ହୋଇଥିବା ବନ୍ୟାରେ ଏହି ମନ୍ଦିରଟି ମହାନଦୀ ଗର୍ଭରେ ଲୀନ ହୋଇଯାଇଥିବା ଆକଳନ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଏହି ମନ୍ଦିରର ଅଜ୍ଞାତ ଇତିହାସ, ସଂସ୍କୃତି ଏବଂ ଧାର୍ମିକ ମହତ୍ୱକୁ ଧ୍ୟାନରେ ରଖି ଓଡିଶାବାସୀଙ୍କ ପାଇଁ ମନ୍ଦିରର ପୁନଃଉଦ୍ଧାର କାର୍ଯ୍ୟ କରିବା ପାଇଁ ଓ ମନ୍ଦିରକୁ ଅନ୍ୟ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଶ୍ରୀ ପ୍ରଧାନ ପତ୍ର ଲେଖି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ପଟେଲଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ. ଲୋଡିଛନ୍ତି।