Odiapua.com

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପତ୍ର : ଢେଙ୍କାନାଳରେ ପର୍ଯ୍ୟଟନର ଭିତ୍ତିଭୂମିର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖି ଅନୁରୋଧ କଲେ
– ଢେଙ୍କାନାଳରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ବ୍ୟାପକ ସମ୍ଭାବନା ନେଇ ଅବଗତ କଲେ କେନ୍ଦ୍ରମନ୍ତ୍ରୀ
– ପର୍ଯ୍ୟଟନର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଦିଆଗଲେ ଢେଙ୍କାନାଳରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେବା ସହ ଅଞ୍ଚଳ ଓ ଆଖପାଖ ଅଞ୍ଚଳର ଆର୍ଥିକ ବିକାଶ ଘଟିବ
– କପିଳାସ, ଯୋରନ୍ଦା ପୀଠ, ସପ୍ତଶଯ୍ୟା, ଢେଙ୍କାନାଳର ରାଜବାଟି ପର୍ଯ୍ୟଟନର ବିକାଶ ପାଇଁ ଅପାର ସମ୍ଭାବନା ରଖିଛି
– ସ୍ୱଦେଶ ଦର୍ଶନ ଯୋଜନାରେ ଆଧ୍ୟାମିକ ସର୍କିଟର ବିକାଶ ପାଇଁ ଢେଙ୍କାନାଳ ଅପାର ସୁଯୋଗ ପ୍ରଦାନ କରୁଛି

ଭୁବନେଶ୍ୱର/ଢେଙ୍କାନାଳ, ଜାନୁଆରୀ ୨୯ (ଓଡ଼ିଆ ପୁଅ) – ଢେଙ୍କାନାଳ ଜିଲ୍ଲାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଓ ପର୍ଯ୍ୟଟକଙ୍କ ସୁବିଧାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିବାକୁ ଶନିବାର କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ କୋଭିଡ୍ ମହାମାରୀ ସମୟରେ ଦେଶବ୍ୟାପୀ ଲକଡାଉନ କାରଣରୁ ପର୍ଯ୍ୟଟନ କ୍ଷେତ୍ର ବିଶେଷ ଭାବରେ ପ୍ରଭାବିତ ହୋଇଥିଲା। ବର୍ତ୍ତମାନ ସ୍ୱଭାବିକ ସ୍ଥିତିରେ ଏହି କ୍ଷେତ୍ରର ବ୍ୟାପକ ଅଭିବୃଦ୍ଧି କରାଇବା ଜରୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ “ଦେଖୋ ଅପନା ଦେଶ” ଅନ୍ତର୍ଗତ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ଦେଶ ଏବଂ ବିଦେଶରୁ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛି। ଏହା ଦ୍ୱାରା ଘରୋଇ ଓ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ସାମାଜିକ ଓ ଆର୍ଥିକ ବିକାଶକୁ ଗୁରୁତ୍ୱ ଦେବା ଭିତ୍ତିରେ ଢେଙ୍କାନାଳ ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ତାଲିକାରେ ସାମିଲ କରାଯାଇଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଢେଙ୍କାନାଳ ପ୍ରତିବର୍ଷ ଶତାଧିକ ପର୍ଯ୍ୟଟକଙ୍କୁ ଏହି ସ୍ଥାନକୁ ଆସିବା ପାଇଁ ଆକୃଷ୍ଟ କରିଛି। କପିଳାସ, ଯୋରନ୍ଦା, ସପ୍ତଶଯ୍ୟା, ଢେଙ୍କାନାଳର ରାଜବାଟି ଏଠାକାର ପର୍ଯ୍ୟଟନର ବିକାଶ ପାଇଁ ଅପାର ସମ୍ଭାବନା ରଖିଛି। ଜାଗର ସମୟରେ କପିଳାସ ମହାଦେବ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।

ପ୍ରସିଦ୍ଧ ଯୋରନ୍ଦାରେ ମହିମା ଧର୍ମର ପ୍ରଚାରକ ମହିମା ଗୋସାଇଁ ସମାଧି ସ୍ଥଳି ଅଛି। ସେଠାରେ ଶୂନ୍ୟ ମନ୍ଦିର, ଧୁନି ମନ୍ଦିର, ଗାଦି ମନ୍ଦିର ଭଳି ମନ୍ଦିର ଅବସ୍ଥାପିତ। ଯୋରନ୍ଦା ମେଳା ସମୟରେ ଏଠାରେ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ। ଢେଙ୍କାନାଳର ରାଜବାଟି ମଧ୍ୟ ପର୍ଯ୍ୟଟକଙ୍କୁ ଆସିବା ପାଇଁ ଆକୃଷ୍ଟ କରେ। ପର୍ଯ୍ୟଟନର ବିକାଶ ଦ୍ୱାରା ସାମାଜିକ, ଆର୍ଥିକ ବିକାଶ ହେବ ଏବଂ ତୃଣମୂଳ ସ୍ତରରେ ଜୀବନଜୀବିକାମାନର ଉନ୍ନତି ହେବ।

ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟ ସ୍ଥଳୀ ଏବଂ ସ୍ୱଦେଶ ଦର୍ଶନ ଯୋଜନାରେ ଆଧ୍ୟାମିକ ସର୍କିଟର ବିକାଶ ପାଇଁ ଢେଙ୍କାନାଳ ଅପାର ସୁଯୋଗ ପ୍ରଦାନ କରୁଛି। କୋଭିଡ୍ – ୧୯ ଯୋଗୁଁ ଢେଙ୍କାନାଳ ଅଞ୍ଚଳରେ ବାଧାପ୍ରାପ୍ତ ହୋଇଥିବା ପର୍ଯ୍ୟଟନ କ୍ଷେତ୍ରକୁ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରଦାନ କରାଗଲେ, ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ। ଏହି ଅଞ୍ଚଳ ଓ ଆଖପାଖ ଅଞ୍ଚଳର ଆର୍ଥିକ ବିକାଶ ହେବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।