Odiapua.com

କେନ୍ଦ୍ର ଶ୍ରମ, ନିୟୋଜନ ମନ୍ତ୍ରୀଙ୍କ ବିବୃତ୍ତି ହାସ୍ୟାସ୍ପଦ ଓ ଯୁବସମାଜ ପାଇଁ ଅପମାନଜନକ, କଟା ଘା’ରେ ଚୁନ, କ୍ଷମା ଭିକ୍ଷା କରିବାକୁ ଦାବି : ସମାଜବାଦୀ ପାର୍ଟି

ଭୁବନେଶ୍ୱର, ୧୫ା୦୯ (ଓଡ଼ିଆ ପୁଅ) : କେନ୍ଦ୍ର ଶ୍ରମ ଓ ନିୟୋଜନ ବିଭାଗ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ବିବୃତ୍ତି “ଦେଶରେ ଚାକିରୀର ଅଭାବ ନାହିଁ, କିନ୍ତୁ ଯୋଗ୍ୟ ଯୁବକଙ୍କର ଅଭାବ ରହିଛି” ଅତ୍ୟନ୍ତ ହାସ୍ୟାସ୍ପଦ ଓ ଅପମାନଜନକ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଅଭିଯୋଗ କରିଛି। ଏହି ହାସ୍ୟାସ୍ପଦ ବିବୃତ୍ତି ଭାରତ ବର୍ଷର ଯୁବ ସମାଜ ପାଇଁ ଘୋର ଅପମାନଜନକ। ତେଣୁ ତୁରନ୍ତ ଏହି ବିବୃତ୍ତିକୁ କେନ୍ଦ୍ର ଶ୍ରମ ମନ୍ତ୍ରୀ ପ୍ରତ୍ୟାହାର କରି ଦେଶର ଯୁବ ସମାଜକୁ କ୍ଷମା ମାଗିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି। ଏକ ପ୍ରେସ୍ ବିଜ୍ଞପ୍ତରେ ସେ ପ୍ରକାଶ କରିଛନ୍ତି ଯେ, ୨୦୧୪ ମସିହାରେ କ୍ଷମତା ଦଖଲ କରିଥିବା ବିଜେପି ସରକାର ଦେଶର ବେକାର ଯୁବକଙ୍କୁ ପ୍ରତିବର୍ଷ ୧ କୋଟି ଚାକିରୀ ଦେବାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୁଃଖର କଥା ୫ ବର୍ଷ ଯାଇ ୬ବର୍ଷ କ୍ଷମତାରେ ଥିବା ମୋଦି ସରକାର ଦେଶରେ ଭ୍ରମାତ୍ମକ ଜି.ଏସ୍.ଟି. ଓ ନୋଟ୍ ବନ୍ଦୀ ଲାଗୁ କରି ଦେଶକୁ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ଭିତରକୁ ଠେଲିଦେଇଛନ୍ତି। କୃଷି, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଓ ମାନ୍ୟୁଫାକ୍ଚରିଙ୍ଗ୍ କ୍ଷେତ୍ରରେ ପାଖାପାଖି ୬ କୋଟି ଲୋକଙ୍କର ଜୀବିକା ବୁଡ଼ିଯାଇଛି। ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ବ୍ୟାଙ୍କମାନେ ବେକାର ଯୁବକ ଯୁବତୀମାନଙ୍କୁ ଆତ୍ମନିଯୁକ୍ତିର ଋଣ ଦେଉନାହାଁନ୍ତି। କୃଷି ଓ ମାନ୍ୟୁଫାକ୍ଚରିଙ୍ଗ୍ କ୍ଷେତ୍ର ପରେ କାର ବଜାର ଏବଂ ଗୃହ ନିର୍ମାଣକାରୀ ଶିଳ୍ପ ଓ ବିସ୍କୁଟ୍ ଶିଳ୍ପ ଆଜି ସଙ୍କଟରେ। ଲକ୍ଷ ଲକ୍ଷ ଲୋକ ଆଜି ଜୀବିକା ହରାଇବା ରାସ୍ତାରେ। ଯଦି ଦେଶର ଯୁବକମାନଙ୍କ ଭିତରେ ଯୋଗ୍ୟତା ଓ ଦକ୍ଷତାର ଅଭାବ ଅଛି ବୋଲି ମନ୍ତ୍ରୀ ଅନୁଭବ କରୁଛନ୍ତି ତାହେଲେ ଭାରତୀୟ ଯୁବକମାନଙ୍କୁ ଯୋଗ୍ୟ ଓ ଦକ୍ଷ କରି ଗଢ଼ିତୋଳିବାର ଦାୟିତ୍ୱ ହେଉଛି କେନ୍ଦ୍ର ସରକାରଙ୍କର। ତେଣୁ କେନ୍ଦ୍ର ସରକାର ନିଜର ଦାୟିତ୍ୱ ଠିକ୍ ଭାବେ ନିର୍ବାହ ନକରି ଯୁବ ସମାଜକୁ ଅପମାନିତ କରିବା ଭଳି ବିବୃତ୍ତି ଦେବା କଟା ଘା’ରେ ଚୁନ ଦେବା ସମାନ। ତେଣୁ ତୁରନ୍ତ ମାନ୍ୟବର ମନ୍ତ୍ରୀ ଭାରତ ବର୍ଷର ଯୁବ ସମାଜକୁ କିଭଳି ଯୋଗ୍ୟ ଏବଂ ଦକ୍ଷ କରାଯାଇପାରିବ ସେ ଦିଗରେ କାମ କରନ୍ତୁ ଅଯଥା ଅପମାନଜନକ ବିବୃତ୍ତିରୁ ନିବୃତ୍ତ ରହି ତାଙ୍କର ଏହି ଦାୟିତ୍ୱହୀନ ମନ୍ତବ୍ୟ ପାଇଁ ଦେଶର ଯୁବସମାଜକୁ କ୍ଷମା ଭିକ୍ଷା ମାଗିବାକୁ ଶ୍ରୀ ବେହେରା ଦାବି କରିଛନ୍ତି।