Odiapua.com

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ପତ୍ର : ପ୍ରବାସୀ ଓଡିଆଙ୍କ ଜୀବନଜୀବିକା ପାଇଁ ପୁର୍ନବାର ‘ଶ୍ରମିକ ସ୍ପେଶାଲ୍ ଟ୍ରେନ୍’ ଚାଲୁ କରିବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ଓଡିଶାରୁ ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁର୍ନବାର ଟ୍ରେନ୍ ଚାଲୁ କରିବା ପାଇଁ ଅନୁରୋଧ
– ଜୀବନଜୀବିକା ପାଇଁ ସୁଯୋଗର ଅଭାବ ଓ ପୁଣି କାର୍ଯ୍ୟକ୍ଷେତ୍ରରେ ଯୋଗଦେବା ପାଇଁ ଯିବାରେ ଅସୁବିଧା ଥିବା ପ୍ରବାସୀମାନେ ପତ୍ର ଲେଖି ଅନୁରୋଧ କରିଛନ୍ତି
– ମୌସୁମି ପରିସ୍ଥିତି ଏବଂ ସଡକ ପଥରେ ଦୂର ବାଟ ଯାତ୍ରା କରିବା ନିରାପଦ ନୁହେଁ

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍େଟମ୍ବର ୦୮ (ଓଡ଼ିଆ ପୁଅ) – ଦେଶ ଅର୍ଥନୀତିର ପୁନରୁଦ୍ଧାର ତଥା ପ୍ରବାସୀ ଓଡିଆ ଲୋକଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି ଓଡିଶାରୁ ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁର୍ନବାର ‘ଶ୍ରମିକ ସ୍ପେଶାଲ ଟ୍ରେନ’୍ ଚାଲୁ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଗଞ୍ଜାମ ଜିଲ୍ଲାରେ ବାସ କରୁଥିବା ଅନେକ ପ୍ରବାସୀ ଓଡିଆମାନେ ଗୁଜୁରାଟ ଏବଂ ଅନ୍ୟ ରାଜ୍ୟକୁ ରେଳ ସେବା ଚାଲୁ କରିବା ପାଇଁ ତାଙ୍କୁ ଅନୁରୋଧ କରିଛନ୍ତି। ଜୀବନଜୀବିକା ପାଇଁ ସୁଯୋଗର ଅଭାବ ଥିବା ଏବଂ ପୁଣି କାର୍ଯ୍ୟକ୍ଷେତ୍ରରେ ଯୋଗଦେବା ପାଇଁ ଯିବାରେ ଅସୁବିଧା ହେଉଥିବା ସେମାନେ ଦର୍ଶାଇଛନ୍ତି।

ଦେଶବ୍ୟାପୀ କୋଭିଡ୍ -୧୯ ତଥା ଲକ୍ ଡାଉନ ସମୟରେ ଗୁଜୁରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର ଭଳି ରାଜ୍ୟରୁ ପ୍ରବାସୀମାନେ ଓଡିଶାକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ରେଳ ମନ୍ତ୍ରଣାଳୟର ସହଯୋଗ ଓ ଉଦ୍ୟମ କାରଣରୁ ଦେଶର କୋଣ ଅନୁକୋଣରୁ ହଜାର ହଜାର ‘ଶ୍ରମିକ ସ୍ପେଶାଲ୍ ଟ୍ରେନ୍’ ମାଧ୍ୟମରେ ଘରକୁ ଫେରିପାରିଥିଲେ। ଏହି ଉଦ୍ୟମକୁ ସର୍ବତ୍ର ପ୍ରଶଂସା କରାଯାଇଥିଲା।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଦେଶସାରା ଲକ୍ ଡାଉନକୁ ପ୍ରତ୍ୟାହାର କରାଯାଉଥିବା ବେଳେ ଏବେ ଆମେ ସମସ୍ତେ ସ୍ୱଭାବିକ ସ୍ଥିତିକୁ ଫେରୁଛୁ। ଏହି ସମୟରେ ବାହାରେ କାମ କରୁଥିବା ଲୋକମାନଙ୍କ ପାଇଁ ପୁନର୍ବାର ରେଳସେବା ଆରମ୍ଭ ହେବାର ଆବଶ୍ୟକତା ରହିଛି।

ଏହି ଲୋକମାନଙ୍କ ପାଇଁ ଓଡିଶାରୁ ବସ୍ ସେବା ଯୋଗାଇଦେବା ପାଇଁ କିଛି ସଂସ୍ଥା ଇଚ୍ଛାପ୍ରକାଶ କରିଛନ୍ତି। ତେବେ ବର୍ତମାନ ମୌସୁମି ପରିସ୍ଥିତିରେ ସଡକ ପଥ ମାଧ୍ୟମରେ ଦୂର ବାଟ ଯାତ୍ରା କରିବା ସେମାନଙ୍କ ପାଇଁ ନିରାପଦ ନୁହେଁ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।

ତେଣୁ ଏହାକୁ ଦୃଷ୍ଟିରେ ରଖି ଦେଶର ଅର୍ଥନୀତିର ପୁନଃରୁଦ୍ଧାର ଏବଂ ପ୍ରବାସୀଙ୍କ ତୁରନ୍ତ ଜୀବନଜୀବିକାକୁ ଦୃଷ୍ଟିରେ ରଖି ଓଡିଶାରୁ ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁଣି ଥରେ ‘ଶ୍ରମିକ ସ୍ପେଶାଲ ଟ୍ରେନ୍’ ଚାଲୁ କରିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।