Odiapua.com

କେନ୍ଦ୍ର ମନ୍ତ୍ରୀଙ୍କ ଦଶପଲ୍ଲା ଗସ୍ତ ଏବଂ କେନ୍ଦ୍ରୀୟ ଯୋଜନାର ସମୀକ୍ଷା

ନୟାଗଡ଼, ୧୦ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ଭାରତ ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟର ମାନ୍ୟବର ରାଜ୍ୟମନ୍ତ୍ରୀ ଜନ୍ ବାର୍ଲା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗସ୍ତରେ ଆସି ଦିବା ୧୨ଘଟିକା ସମୟରେ ଆଜାଦିକା ଅମୃତ ମହୋତ୍ସବ ଅବସରରେ ବାଣିଗୋଚ୍ଛା ଜୁନିୟର କଲେଜରେ ବୃକ୍ଷ ରୋପଣ ଏବଂ ଯୁବକମାନଙ୍କ ସହିତ ସଭା କାର୍ଯ୍ୟରେ ଯୋଗ ଦେଇଥିଲେ। ଦଶପଲ୍ଲା ବିଧାନସଭା ଅନ୍ତର୍ଗତ ୩ଟି ବ୍ଲକ( ଗଣିଆ, ଦଶପଲ୍ଲା ଓ ନୂଆଗାଁ) ବିଷୟରେ ପଚାରି ବୁଝିଥିଲେ। ପରେ ପରେ ଏକ ଦଳିତ ପରିବାର ସହ ମଧ୍ୟାହ୍ନ ଭୋଜନ କରିଥିଲେ। ଅପରାହ୍ନ ପ୍ରାୟ ୩ଘଟିକା ସମୟରେ ଆଖପାଖରେ ଥିବା ବିଭିନ୍ନ ଗ୍ରାମବାସୀଙ୍କ ସହିତ ବାର୍ତ୍ତା ବିନିମୟ କରିଥିଲେ। ଏହା ପରେ ଦଶପଲ୍ଲାର ପଂଚାୟତ ସମିତି ସଭାଗୃହରେ ଜିଲ୍ଲାରେ ଚାଲୁଥିବା କେନ୍ଦ୍ରୀୟ ଯୋଜନା ଗୁଡ଼ିକ ଉପରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଏହି ସମୀକ୍ଷା ବୈଠକକୁ ଜିଲ୍ଲାପାଳ ଡା. ପୋମା ଟୁଡୁଓ ଅଧ୍ୟକ୍ଷତା କରିଥିଲେ। ନୟାଗଡ଼ରେ ଅବସ୍ଥାପିତ ଜାତୀୟ ରାଜପଥର ନିର୍ବାହୀ ଯନ୍ତ୍ରୀ ଜିଲ୍ଲାରେ ଚାଲୁଥିବା ବିଭିନ୍ନ ଯୋଜନା ବିଷୟରେ ଉପସ୍ଥାପନା କରିଥିଲେ। ସେହିପରି ଭାରତୀୟ ସଂଚାର ନିଗମ, ଟାଟା ପାଓାର(ଞଚଉଙଊଖ), ମୃତିକା ସଂରକ୍ଷଣ, ଜଳ ବିଭାଜିକା ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, କୃଷି ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ଖାଦ୍ୟ ଯୋଗାଣ ବିଭାଗ, ଜଙ୍ଗଲ ବିଭାଗ, ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ, ଜିଲ୍ଲା ପରିଷଦ, ଓଡ଼ିଶା ଜୀବିକା ମିଶନ୍, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଉଦ୍ୟାନ ବିଭାଗ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଇତ୍ୟାଦି ଦ୍ୱାରା ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଚାଲୁଥିବା କାର୍ଯ୍ୟଗୁଡ଼ିକର ଉପସ୍ଥାପନା କରାଯାଇଥିଲା। ବୈଠକ ଶେଷରେ ମନ୍ତ୍ରୀ ଶ୍ରୀଯୁକ୍ତ ବାର୍ଲା କହିଲେ, କେନ୍ଦ୍ରୀୟ ଯୋଜନା ଗୁଡ଼ିକ ସହିତ ରାଜ୍ୟ ଯୋଜନା ଗୁଡ଼ିକୁ ମିଳିତ ଭାବରେ ଲୋକଙ୍କ ସେବାରେ ଲଗାଇଲେ ଗ୍ରାମାଂଚଳର ଲୋକମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ। ବିଭିନ୍ନ ଯୋଜନା ଗୁଡ଼ିକର ଜନସଚେତନତା ଦ୍ୱାରା ସମସ୍ତ ଲୋକଙ୍କ ପାଖରେ ପହଁଚାଇବା ପାଇଁ ସେ ସଂପୃକ୍ତ ବିଭାଗ ଗୁଡ଼ିକୁ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ସୁବାସ ଚନ୍ଦ୍ର ରାୟ, ପୂର୍ବତନ ବିଧାୟକ ଦଶପଲ୍ଲା ଶ୍ରୀ ପୂର୍ଣଚନ୍ଦ୍ର ନାୟକ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ୍ ବିଭାଗର ଅଧିକାରୀ, ସାମ୍ବାଦିକମାନେ ଉପସ୍ଥିତ ଥିଲେ।