Odiapua.com

କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ଘୋଷଣା : କୋଇଲା ଖଣି ଦୁର୍ଘଟଣାରେ ମୃତକଙ୍କ ପାଇଁ ଅନୁକମ୍ପାମୂଳକ ରାଶି ୩୦୦% ବୃଦ୍ଧି

– ୫ ଲକ୍ଷରୁ ବୃଦ୍ଧି ପାଇ ହେଲା ୧୫ ଲକ୍ଷ ଟଙ୍କା
– ତାଳଚେର କୋଇଲା କ୍ଷେତ୍ର ନିରୀକ୍ଷଣ କଲେ କେନ୍ଦ୍ରମନ୍ତ୍ରୀ

ନୂଆ ଦିଲ୍ଲୀ ୭-୧୧ (ଓଡ଼ିଆ ପୁଅ) କୋଇଲା ଖଣି ଦୁର୍ଘଟଣାରେ ପ୍ରାଣ ହରାଉଥିବା ଶ୍ରମିକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ଅନୁକମ୍ପାମୂଳକ ରାଶିରେ ୩୦୦ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ। ଏହି ଅର୍ଥରାଶି ୫ ଲକ୍ଷ ଟଙ୍କାରୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବା ସେ କହିଛନ୍ତି। ଆଜି ଓଡ଼ିଶା ଗସ୍ତରେ ଆସି ମହାନଦୀ କୋଲ ଫିଲ୍ଡସ ଲିମିଟେଡ (ଏମସିଏଲ)ରେ କୋଇଲା ଖଣି ଶ୍ରମିକଙ୍କୁ ସମ୍ବୋଧିତ କରି ଶ୍ରୀ ଯୋଶୀ କହିଥିଲେ ଯେ ଏହି କଲ୍ୟାଣକାରୀ ଉପାୟ ଦ୍ୱାରା ଦେଶର ୮ଟି ରାଜ୍ୟରେ କୋଲ ଇଣ୍ଡିଆ ଏବଂ ଏହାର ସହାୟକ କମ୍ପାନୀରେ କାମ କରୁଥିବା ୩.୫ ଲକ୍ଷରୁ ଊର୍ଦ୍ଧ୍ୱ ଖଣି ଶ୍ରମିକଙ୍କ ପରିବାର ଲାଭାନ୍ୱିତ ହେବେ।

କୋଇଲା ଏବଂ ଖଣି ମନ୍ତ୍ରୀ ମହାନଦୀ କୋଲ ଫିଲ୍ଡସ ଲିମିଟେଡରେ ତାଳଚେର କୋଲଫିଲ୍ଡସର ଖନନ କାର୍ଯ୍ୟକୁ ଆକାଶମାର୍ଗରୁ ନିରୀକ୍ଷଣ କରିଥିଲେ। ତାଳଚେର କୋଲ ଫିଲ୍ଡସ ହେଉଛି ରାଜ୍ୟରେ ଚାଲିଥିବା କୋଲ ଇଣ୍ଡିଆ ଲିମିଟେଡର ଦ୍ୱିତୀୟ ସର୍ବବୃହତ ସହାୟକ କମ୍ପାନୀ। ଏହା କୋଲ ଇଣ୍ଡିଆର ମୋଟ କୋଇଲା ଉତ୍ପାଦନରେ ୨୫ ପ୍ରତିଶତ ଯୋଗଦାନ ଦେଇଥାଏ।

କୋଇଲା ଖଣିରେ ପ୍ରାଣ ହରାଉଥିବା ଶ୍ରମିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ଯୋଶୀ କହିଥିଲେ ଯେ କୋଇଲା ଶ୍ରମିକଙ୍କ କଲ୍ୟାଣ ପାଇଁ ଖଣି ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କ ସହିତ ଚୁକ୍ତିଭିତିକ କର୍ମଚାରୀଙ୍କ ପାଇଁ ମଧ୍ୟ ଅନୁକମ୍ପା ରାଶିକୁ ୫ ଲକ୍ଷ ଟଙ୍କାରୁ ବଢ଼ାଇ ୧୫ ଲକ୍ଷ ଟଙ୍କା କରିବାକୁ ମୁଁ ଘୋଷଣା କରୁଛି। ଶ୍ରୀ ଯୋଶୀ କହିଥିଲେ ଯେ ଭାରତ ସରକାର ସାଧାରଣ ଜନତାଙ୍କ ଜୀବନ ଧାରଣର ମାନ ଉପରକୁ ଉଠାଇବା ଲାଗି ସଂକଳ୍ପବଦ୍ଧ। ଯୁବକମାନଙ୍କୁ ଅଧିକ ନିଯୁକ୍ତି ଏବଂ ଉଦ୍ୟମିତା ପାଇଁ ସୁଯୋଗ ଦେବା ଦିଗରେ ସରକାର କାମ କରୁଛନ୍ତି। ସେ ଏହା ମଧ୍ୟ ଘୋଷଣା କରିଥିଲେ ଯେ ୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କୋଇଲା ଖଣି ପାଇଁ ଜମି ହରାଉଥିବା ୪ହଜାରରୁ ଅଧିକ ଲୋକଙ୍କୁ ମହାନଦୀ କୋଲ ଫିଲ୍ଡସ ଚାକିରି ଯୋଗାଇ ଦେବ।

ଶ୍ରୀ ଯୋଶୀ ଆହୁରି କହିଥିଲେ ଯେ, ଆଗାମୀ ବର୍ଷଗୁଡ଼ିକରେ ଏମସିଏଲ ଖଣିରୁ କୋଇଲାର ବାଧାମୁକ୍ତ ପରିବହନ ଲାଗି ମହାନଦୀ କୋଲ ଫିଲ୍ଡସ ରେଳ ଭିତିଭୂମି ନିର୍ମାଣରେ ୯ହଜାର କୋଟି ଟଙ୍କାରୁ ଅଧିକ ନିବେଶ କରିବ।

ଦେଶରେ କୋଇଲା ଉତ୍ପାଦନ ବୃଦ୍ଧି କରିବା ସମ୍ପର୍କରେ ସମସ୍ତ ଅଂଶୀଦାରଙ୍କ ସହଯୋଗ ଲୋଡ଼ି ଶ୍ରୀ ଯୋଶୀ କହିଥିଲେ ଯେ ଏମସିଏଲ ନିଜ ପରିଚାଳନା କ୍ଷେତ୍ର ପାଶ୍ୱର୍ବର୍ତ୍ତୀ ଅଂଚଳରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ ଆରମ୍ଭ କରିବ। ଯାହାଦ୍ୱାରା ଲୋକମାନଙ୍କୁ ସେମାନଙ୍କ ଘର ପାଖରେ ଚିକିତ୍ସା ସେବା ମିଳିପାରିବ।

ଶ୍ରୀ ଯୋଶୀ ପ୍ରଥମ ଥର ଲାଗି କମ୍ପାନୀର ଖନନ କାର୍ଯ୍ୟ ସମୀକ୍ଷା ଲାଗି ଓଡ଼ିଶା ଗସ୍ତରେ ଆସିଥିଲେ। ସେ ଲିଙ୍ଗରାଜ କ୍ଷେତ୍ରର ଏମସିଏଲ ଡିଏଭି ସ୍କୁଲ ପାଇଁ ଭିତିପ୍ରସ୍ଥର ସ୍ଥାପନ କରିଥିଲେ। ଏହି ସ୍କୁଲ ଆନୁମାନିକ ୪୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ। ପ୍ରଥମେ ଏଥିରେ ୧୩ଶହ ଛାତ୍ରଛାତ୍ରୀଙ୍କ ନାମ ଲେଖାଯିବ ପରେ ଛାତ୍ରଛାତ୍ରୀଙ୍କ କ୍ଷମତାକୁ ୩ହଜାର କରିବା ଲାଗି ପ୍ରସ୍ତାବ ରହିଛି। ଏହି ଅବସରରେ କୋଲ ଇଣ୍ଡିଆର ସିଏମଡି ଶ୍ରୀ ଏ.କେ ଝା ଏବଂ ଏମସିଏଲର ସିଏମଡି ଶ୍ରୀ ବି.ଏସ ଶୁକ୍ଳାଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।