Odiapua.com

କେନ୍ଦ୍ର ଓ ରାଜ୍ୟ ସରକାର ଓଡିଶାବାସୀଙ୍କୁ ମିଥ୍ୟା ପ୍ରଚାର ଓ ପ୍ରତିଶ୍ରୁତି, ପ୍ରତାରଣାକୁ ନେଇ ୧୫ ଫେବୃଆରୀ ଓଡିଶା ବନ୍ଦ ଡାକରା

ଭୁବନେଶ୍ୱର ୯. ୨ (ଓଡ଼ିଆ ପୁଅ) – ଚଳିତ ମାସ ୧୫ ତାରିଖ ସୋମବାର ପ୍ରାତଃ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ସହ ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି, ନାରୀ ନିର୍ଯ୍ୟାତନା, ଶିଶୁ ନିଖୋଜ, ଚାଷୀ ସମସ୍ୟା, ରାଜନୈତିକ ହିଂସାକାଣ୍ଡ ବୃଦ୍ଧି ସମେତ ଜଳ, ଜମି ଓ ଜଙ୍ଗଲକୁ ରକ୍ଷା କରିବାରେ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ୬ ଘଂଟିଆ ଓଡିଶା ବନ୍ଦ୍‌ର ଆହ୍ୱାନ ଦେଇଛନ୍ତି। ଏହି ବନ୍ଦ୍ ଡାକରାକୁ ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତ ସଚେତନ ନାଗରିକ ସହଯୋଗ, ସମର୍ଥନ ଓ ଆନ୍ଦୋଳନରେ ସକ୍ରୀୟ ସାମିଲ ହେବା ପାଇଁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି। ଏହି ବନ୍ଦ୍ ସମୟରେ ଅତ୍ୟାବଶ୍ୟକ ଜରୁରୀ ସେବା ଆମ୍ବୁଲାନ୍ସ, କ୍ଷୀର ଗାଡି, ପରୀକ୍ଷାର୍ଥୀ, ଗଣମାଧ୍ୟମ ଇତ୍ୟାଦିକୁ ବାଦ୍ ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ପ୍ରକାଶଥାଉକି ଉପା ସରକାର ସମୟରେ ପେଟ୍ରୋଲ ଓ ଡିଜେଲ ଅନ୍ତର୍ଜାତିୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୦ ଡଲାରରୁ ୧୩୦ ଡଲାର ଥିବାବେଳେ ଜନସାଧାରଣ ୮୦ ଟଙ୍କାରୁ କମ୍ ମୂଲ୍ୟରେ ପେଟ୍ରୋଲ, ଡିଜେଲ କିଣୁଥିଲେ। ମାତ୍ର ବର୍ତମାନ ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୬୦ ଡଲାରରୁ କମ୍ ଥିବା ବେଳେ ଓଡିଶାରେ ପେଟ୍ରୋଲର ଦର ୯୦ ଟଙ୍କା ଛୁଇଁଥିବା ବେଳେ ଡିଜେଲ୍ ୮୭ ଟଙ୍କାରେ ପହଂଚିବା ଫଳରେ ଜନସାଧାରଣ ଅତିଷ୍ଠ ହୋଇପଡିଛନ୍ତି। ଯଦ୍ୱାରା ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ ହେବା ଫଳରେ ଗରିବ, ମଧ୍ୟବିତ, ଶ୍ରମିକ ଶ୍ରେଣୀ, ଚାଷୀଭାଇମାନେ ବହୁମାତ୍ରାରେ ପ୍ରଭାବିତ ହେଉଛନ୍ତି। ଶ୍ରୀଯୁକ୍ତ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ଏ ସଂକ୍ରାନ୍ତରେ ପତ୍ର ମାଧ୍ୟମରେ ୧୦ ଟଙ୍କା ଲିଟର ପ୍ରତି ଦର ହ୍ରାସ କରି ଜନତାଙ୍କ ଉପରୁ ବୋଝ ହଟାଇବା ପାଇଁ ପ୍ରସ୍ତାବ ଦେଇଥିଲେ ବି ରାଜ୍ୟ ଏବଂ ରାଜ୍ୟ ବାହାରର ବହୁ ଗାଡି କମ୍ ମୂଲ୍ୟରେ ଅଧିକ ପରିମାଣର ତୈଳ କ୍ରୟ କରିବା ଫଳରେ ରାଜ୍ୟ ରାଜସ୍ୱ ଆଦାୟ ପ୍ରତି କୌଣସି କ୍ଷତି ପହଂଚିବ ନାହିଁ ବୋଲି ଉଲ୍ଲେଖ କରିଥିଲେ। ଏ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ମୌନ ରହିବା ଓଡିଶାବାସୀଙ୍କୁ ଚକିତ କରିଛି। ଅଚ୍ଛେଦିନ୍‌ର ସ୍ଲୋଗାନ ଦେଇଥିବା ପ୍ରଧାନମନ୍ତ୍ରୀ ମୋଦି ମହାଶୟ ଓ ତାଙ୍କ କ୍ୟାବିନେଟ୍‌ର ତୈଳ ଓ ଗ୍ୟାସ୍ ମନ୍ତ୍ରୀ ମଧ୍ୟ ଦେଶବାସୀଙ୍କୁ ପ୍ରତାରିତ କରିଛନ୍ତି। ବର୍ତମାନ ପ୍ରତ୍ୟେକ ଲିଟର ପିଛା କ୍ରେତାଙ୍କୁ ୫୦ ଟଙ୍କାରୁ ଉର୍ଦ୍ଧ୍ୱ ଟ୍ୟାକ୍ସ ଦେବାକୁ ପଡିବା ଘଟଣା ଉଭୟ ସରକାରଙ୍କ ଅସଲ ଚିତ୍ର, ଚେହେରା, ଚରିତ୍ର ଓ ଚାଲ୍‌କୁ ପଦାରେ ପକାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀଯୁକ୍ତ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ପ୍ରଥମଥର ପାଇଁ ଆନ୍ଧ୍ର ପ୍ରଦେଶ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରି କୋରାପୁଟର କୋଟିଆ ଅଂଚଳର ୨୧ଟି ଗ୍ରାମକୁ ନେଇ ୩ଟି ଗ୍ରାମ ପଂଚାୟତର ନିର୍ବାଚନ କରିବା ଘଟଣା ସଂପ୍ରତି ରାଜ୍ୟବାସୀଙ୍କ ସ୍ୱାଭିମାନର ପ୍ରଶ୍ନ ହୋଇଥିବା ବେଳେ ଓଡିଶା ସରକାରଙ୍କ ନିରବତା ଅତ୍ୟନ୍ତ ଉଦ୍‌ବେଗଜନକ ଅଟେ। ସେହିପରି ମହାନଦୀ ଉପରେ ଛତିଶଗଡ ସରକାରଙ୍କର ଶତାଧିକ ଛୋଟବଡ ବ୍ୟାରେଜ ନିର୍ମାଣ କରିବା ଫଳରେ ଓଡିଶାବାସୀଙ୍କର କୌଣସି ବି କ୍ଷତି ହେବନାହିଁ ବୋଲି ବିଧାନସଭା ଗୃହରେ ମୁଖ୍ୟମନ୍ତ୍ରୀ ମହାଶୟଙ୍କ ଲିଖିତ ବିବରଣୀ ଓ ତତ୍‌କାଳୀନ ରାଜ୍ୟ ଜଳସଂପଦ ବିଭାଗର ସଚିବଙ୍କ ବିବୃତି ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ।

ସେହିପରି ରାଜ୍ୟରେ ଶିଶୁ ଅପହରଣ, ନାରୀ ନିର୍ଯ୍ୟାତନା, ବେକାରୀ ବୃଦ୍ଧି, ରାଜନୈତିକ ହିଂସା ବୃଦ୍ଧି, ଜଳ-ଜମି-ଜଙ୍ଗଲକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଅପାରଗତା ଉପରେ ବର୍ଷିଛନ୍ତି। ସଂପ୍ରତି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଶାସକ ଦଳର ନେତାମାନଙ୍କ ଦ୍ୱାରା କୁଳମଣି ବରାଳ, ଦିବ୍ୟସିଂହ ବରାଳ ଓ ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ହତ୍ୟା କରିବା ଘଟଣା ରାଜ୍ୟରେ ଆଇନ୍ ଶୃଙ୍ଖଳା ରକ୍ଷା କରିବାରେ ରାଜ୍ୟ ସରକାରଙ୍କ ଚରମ ବିଫଳତାର ଜ୍ଜ୍ୱଳନ୍ତ ଉଦାହରଣ। ପୋଲିସ ଶାସକ ଦଳର ହାତବାରିସୀ ସାଜି ନିଷ୍ଟ୍ରିୟ ରହିବା ଯୋଗୁଁ ଏପରି ହତ୍ୟାକାଣ୍ଡ ଦିନକୁ ଦିନ ବୃଦ୍ଧି ପାଉଛି। ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲେ ମଧ୍ୟ ଏଫ.ଆଇ.ଆର. ରେ ନାମ ଥିବା ମନ୍ତ୍ରୀ ପ୍ରତାପ ଜେନା ଓ ତାଙ୍କ ଅନ୍ୟ ୫ ଜଣ ସହଯୋଗୀଙ୍କୁ ଏଯାବତ୍ ଗିରଫ ନକରାଯିବା ଅତ୍ୟନ୍ତ ଦୁଃଖ ଦାୟକ ଘଟଣା ବୋଲି ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ସାହୁ ଦୃଢ଼ ଆପତି ଉଠାଇଛନ୍ତି। ଫୋନ୍ ମାଧ୍ୟମରେ ମୃତ୍ୟୁ ପୂର୍ବରୁ ପ୍ରଫୁଲ୍ଲ ବିଶ୍ୱାଳ ସ୍ୱର୍ଗତ କୁଳମଣି ବରାଳଙ୍କ ପୁତ୍ର ରମାକାନ୍ତ ବରାଳଙ୍କୁ ତାଙ୍କ ଜୀବନ ପ୍ରତି ବିପଦ ଖବର ଜଣାଇବା ପରେ ପରେ ରମାକାନ୍ତ ବାବୁ ମାହାଙ୍ଗା ଥାନାରେ ଲିଖିତ ଭାବେ ଜଣାଇଥିଲେ ବି ସୁପରିକଳ୍ପିତ ଭାବରେ ଶ୍ରୀ ବିଶ୍ୱାଳଙ୍କୁ ହତ୍ୟା କରିଥିବା ବ୍ୟକ୍ତି ବିଶେଷଙ୍କୁ ପର୍ଦ୍ଦାଫାଶ ନକରିବା ପର୍ଯ୍ୟନ୍ତ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ଦୁର୍ବାର ଆନ୍ଦୋଳନ ଗଢ଼ି ତୋଳିବ ବୋଲି ମାହାଙ୍ଗା କଂଗ୍ରେସ ପକ୍ଷରୁ ଶ୍ରୀଯୁକ୍ତ ସାହୁ ସୂଚନା ଦେଇଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ମନ୍ତ୍ରୀ ପଂଚାନନ କାନୁନ୍‌ଗୋ ଉପସ୍ଥିତ ଥିଲେ।