ବାଲେଶ୍ୱର, ୧୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ବିରୋଧରେ ଆସନ୍ତା ୨୬ ତାରିଖରେ ହେବାକୁ ଥିବା ଦେଶବ୍ୟାପୀ ଧର୍ମଘଟ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ଏକ ସମ୍ମିଳନୀ ସହରର ପରିବହନ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି। ଶ୍ରମିକ ସଂଗଠନ ସମନ୍ୱୟ ସମିତି (ଟିୟୁସିସି)ର ସଭାପତି ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଏଥିରେ ଅଧ୍ୟକ୍ଷତା କରିବା ସହିତ କରୋନା କାଳରେ ଦେଶର ଗରିବ ଓ ମଧ୍ୟବିତ୍ତ ବର୍ଗଙ୍କ ସମେତ ସାଧାରଣ ଜନତାଙ୍କ ଉପରେ ଚାଲିଥିବା ସରକାରଙ୍କ ଦମନ ନୀତି ସମ୍ପର୍କରେ ଆଲୋକପାତ କରିଥିଲେ। ଏହାର ପ୍ରତିବାଦରେ କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ମିଳିତ ଆହ୍ୱାନ କ୍ରମେ ଆସନ୍ତା ୨୬ ତାରିଖରେ ହେବାକୁ ଦେଶବ୍ୟାପୀ ଧର୍ମଘଟକୁ ବାଲେଶ୍ୱରରେ ସଫଳ କରିବା ପାଇଁ ଶ୍ରୀ ପଣ୍ଡା ସମସ୍ତଙ୍କୁ ନିବେଦନ କରିଥିଲେ। ସିଆଇଟିୟୁ, ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ ପ୍ରଭୃତି ସଂଗଠନର କର୍ମକର୍ତ୍ତା ସୁରେଶ ଚନ୍ଦ୍ର ବେହେରା, ଭାଗବତ ପ୍ରତିହାରୀ, ଅରୁଣ ସ୍ୱାଇଁ, ଶାନ୍ତନୁ ଦାସ, ବିନୋଦ ହାଁସଦା, ଗୌରାଙ୍ଗ ପାଣିଗ୍ରାହୀ, ଉମାକାନ୍ତ ଦାସ ପ୍ରମୁଖ ଏଥିରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତିକୁ ତୀବ୍ର ବିରୋଧ କରିଥିଲେ। ସାମ୍ପ୍ରତିକ ସ୍ଥିତିରେ ସରକାର ଶ୍ରମିକଙ୍କ ଆଇନଗତ ଅଧିକାରକୁ ସଂକୁଚିତ ସହ ସେମାନଙ୍କୁ କ୍ରୀତଦାସ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଦେଶର ପ୍ରଚଳିତ ୪୪ ଗୋଟି ଶ୍ରମ ଆଇନ୍କୁ ସଂଶୋଧନ କରି ମାତ୍ର ୪ ଗୋଟି ଶ୍ରମ କୋର୍ଡ଼ରେ ପରିଣତ ସହ ଶ୍ରମିକଙ୍କ ଅଧିକାରକୁ ସରକାର ଉଚ୍ଛେଦ କରିବାକୁ ଯାଉଛନ୍ତି। ଫଳରେ ଅନ୍ୟାୟ ବିରୋଧରେ ମୁଁହ ଖୋଲିବାକୁ ବି ଶ୍ରମିକମାନେ ସୁଯୋଗ ପାଇବେ ନାହିଁ। ଅନ୍ୟପକ୍ଷରେ ୬୦ ବର୍ଷଧରି ଦେଶରେ ଗଢ଼ି ଉଠିଥିବା ଉଦ୍ୟୋଗକୁ ବିଲୋପ କରିବାରେ ସରକାରଙ୍କ ଘରୋଇକରଣ ନୀତି ଆଗାମୀ ଦିନରେ ଦେଶବାସୀଙ୍କ ପାଇଁ ମହା ବିପଦ ଭାବେ ଉଭା ହେବ ବୋଲି ବକ୍ତାମାନେ ପ୍ରକାଶ କରିଛନ୍ତି। ଶ୍ରମିକ ବିରୋଧୀ କୋଡ଼କୁ ପ୍ରତ୍ୟାହାର କରିବା, କୃଷକ ବିରୋଧୀ ଆଇନ ପ୍ରତ୍ୟାହାର, ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟବୃଦ୍ଧି ନିୟନ୍ତ୍ରଣ, ଆୟକର ବାହାରେ ଥିବା ଗରିବ ପରିବାରକୁ ମାସିକ ୭, ୫୦୦ ଟଙ୍କା ଓ ୧୦ କେଜି ଚାଉଳ ପ୍ରଦାନ, ପ୍ରତ୍ୟେକ ଶ୍ରମିକଙ୍କୁ ୨ଶହ ଦିନର କାର୍ଯ୍ୟଦିବସ ଯୋଗାଇ ଦେବା ପ୍ରଭୃତି ବହୁ ଦାନି ନେଇ ଆସନ୍ତା ୨୬ ତାରିଖରେ ହେଉଥିବା ଦେଶବ୍ୟାବୀ ଆନ୍ଦୋଳନକୁ ସଫଳ କରିବା ପାଇଁ ଶ୍ରମିକନେତାମାନେ ସମସ୍ତଙ୍କୁ ନିବେଦନ କରିଥିଲେ। ବିଭିନ୍ନ କେନ୍ଦ୍ର ସଂଗଠନ ସହ ଅନୁବନ୍ଧିତ ଡାକ, ପ୍ରତିରକ୍ଷା, ବ୍ୟାଙ୍କ, ବିଦ୍ୟୁତ୍, ଓଏଲଆଇସି, ଇପିଏଫ ପେନସନର୍ସ, ବୀମା, ରିକ୍ସା ଚାଳକ ସଂଘ ସମେତ ବହୁ ସଂଘର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଦିନିକିଆ ଧର୍ମଘଟକୁ ସଫଳ କରିବା ସମ୍ପର୍କରେ ମତାମତ ଦେଇଥିଲେ।