Odiapua.com

କେନ୍ଦ୍ରୀୟ ଯୋଜନା ହଡପ ନେଇ ବ୍ଲକ ଓ ମ୍ୟୁନିସିପାଲିଟି ଘେରାଓ କରିବ ବିଜେପି: ବସନ୍ତ ପଣ୍ଡା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁ କାଟି ବିଜୁ ପକ୍କାଘର ନାଁରେ ପ୍ରଚାର କରୁଥିବା ପ୍ରସଙ୍ଗରେ
– ରାଜ୍ୟର ସମୁଦାୟ ୨୦ ଲକ୍ଷ ପକ୍କାଘର ରୁ ୩ ଲକ୍ଷ ୭୭ ହଜାର ହେଉଛି ବିଜୁ ପକ୍କା ଘର ଆଉ ବାକି ୧୬ ଲକ୍ଷ ୨୩ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଛି
– ‘ହାଉସିଂଙ୍ଗ ଫର ଅଲ୍ ୨୦୨୨’ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଂଚଳ ଓ ସହରାଂଚଳରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବେ ମୋଦି ସରକାର
– ବିଗତ ୩ ବର୍ଷର ରାଜ୍ୟସରକାରଙ୍କ ବଜେଟରେ ବିଜୁ ପକ୍କା ଘର ପାଇଁ ଟଙ୍କାଟିଏ ବି ନାହିଁ
– କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ନେଇ ସାଧାରଣ ଲୋକଙ୍କୁ ସଚେତନ କରିବ ବିଜେପି
– ମହାମହିମ ରାଜ୍ୟପାଳଙ୍କୁ ଦାବି ପତ୍ର ଦେବ ବିଜେପି

ଭୁବନେଶ୍ୱର, ତା.୨୩/୦୯ (ଓଡ଼ିଆ ପୁଅ) : ରାଜ୍ୟ ସରକାର କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ପକ୍କାଘର ସବୁକୁ ରାଜ୍ୟସରକାର ‘ବିଜୁ ପକ୍କା ଘର’ ଯୋଜନାରେ ହେଉଛି ବୋଲି କହି ରାଜ୍ୟ ବାସୀଙ୍କୁ ଭ୍ରମିତ କରୁଛନ୍ତି। ମୋଦୀ ସରକାର ଦେଶରେ ବିଭିନ୍ନ ପ୍ରକାରର ଜନହିତକର ଯୋଜନା ଲାଗୁ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏଠି କେବଳ କେନ୍ଦ୍ରୀୟ ଯୋଜନାକୁ ହଡପ କରି ନାଁ ବଦଲାଇ ବାହା ବାହା ନେବାକୁ ବସିଛନ୍ତି। ଏହା ସଂଘୀୟ ବ୍ୟବସ୍ଥାକୁ ବିରୋଧ କରୁଥିବାରୁ ଏହା ବିରୁଦ୍ଧରେ ରାଜ୍ୟ ବିଜେପି ଆଗାମୀ ୨୭ ତାରିଖ ଦିନ ରାଜ୍ୟର ସମସ୍ତ ୩୧୪ ବ୍ଲକ, ସମସ୍ତ ଏନଏସି/ମ୍ୟୁନିସପାଲିଟି ଘେରାଓ କରିବା ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦିଆଯିବ ବୋଲି ରାଜ୍ୟ ସଭାପତି ତଥା ସାସଂଦ ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ୨୦୧୧ ଜନଗଣନା ଅନୁଯାୟୀ ଝଋଉଉ ଲିଷ୍ଟ ଅନୁଯାୟୀ ସ୍ଥାନୀୟ ପଂଚାୟତ ଅଧିକାରୀ ଗରୀବ ହିତାଧିକାରୀ ସୂଚୀ ତଦାରଖ କରିବା କଥା। କିନ୍ତୁ ଏହି ସୂଚୀକୁ ଦଳୀୟ ଆଧାରରେ ତିଆରି କରି ପ୍ରକୃତ ହିତାଧିକାରୀଙ୍କୁ ବଂଚିତ କରାଯାଉଛି। ଗୋଟିଏ ପରିବାରରେ ୨ରୁ ୩ ଜଣଙ୍କ ନାଁରେ ପକ୍କା ଘର ଦିଆଯାଉଛି। କାର୍ଯ୍ୟାଦେଶ ପାଇବା ପାଇଁ ବ୍ୟାପକ ଅର୍ଥ କାରବାର ହେବା ନଜରକୁ ଆସିଛି। ସେହିପରି ଏହି କାର୍ଯ୍ୟାଦେଶରେ ପ୍ରଧାନମନ୍ତ୍ରୀ ଆବାସ ବୋଲି ଉଲ୍ଲେଖ ହେବା ଆବଶ୍ୟକ। କାର୍ଯ୍ୟାଦେଶକୁ ପଂଚାୟତ/ବ୍ଲକରେ ଦିଆନଯାଇ ବିଧାୟକଙ୍କ ସମୟ ସୁବିଧା ଅନୁସାରେ ବଂଟାଯିବା ପାଇଁ ସ୍ଥଗିତ ରଖାଯାଉଛି। ଏହା ଫଳରେ ସମୟାନୁଯାୟୀ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ହାଉସିଂଙ୍ଗ ଫର ଅଲ୍ ୨୦୨୨’ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଂଚଳ ଓ ସହରାଂଚଳରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବେ ବୋଲି କହିଛନ୍ତି। ସେଥିପାଇଁ ବ୍ୟାପକ ଅର୍ଥ ଓଡିଶାକୁ ଆସୁଅଛି। କିନ୍ତୁ ଏଠି ରାଜ୍ୟସରକାର କେନ୍ଦ୍ରସରକାରଙ୍କ ନାଁ ଧରୁନାହାଁନ୍ତି। ଚଳିତ ବଜେଟରେ ବିଜୁ ପକ୍କାଘର ଯୋଜନାରେ ଟଙ୍କା ଟିଏ ଅର୍ଥ ବରାଦ

ନାହିଁ। ରାଜ୍ୟରେ ଗରୀବ ଲୋକଙ୍କୁ ମିଳୁଥିବା ସମସ୍ତ ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେଉଛି। ମାତ୍ର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଚତୁର ଭାବେ ଏହାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯାଗାରେ “ବିଜୁ ପକ୍କାଘର” ବୋଲି କହି ବିଜ୍ଞାପନ ଦେଉଛନ୍ତି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି।

୧୧ ସେପ୍ଟେମ୍ବର ୨୦୧୮ ରେ ବିଧାନସଭା ପ୍ରଶ୍ନର ଉତରରେ ରାଜ୍ୟସରକାର କହିଥିଲେ କି, ରାଜ୍ୟର ସମୁଦାୟ ୨୦ ଲକ୍ଷ ପକ୍କାଘର ରୁ ୩ ଲକ୍ଷ ୭୭ ହଜାର ହେଉଛି ବିଜୁ ପକ୍କା ଘର ଆଉ ବାକି ୧୬ ଲକ୍ଷ ୨୩ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଛି। ରାଜ୍ୟରେ ଗରୀବ ଲୋକଙ୍କୁ ମିଳୁଥିବା ସମସ୍ତ ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେଉଛି। ହେଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଚତୁର ଭାବେ ଏହାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯାଗାରେ “ବିଜୁ ପକ୍କାଘର” ବୋଲି କହି ବିଜ୍ଞାପନ ଦେଉଛନ୍ତି। କେନ୍ଦ୍ର ସରକାରଙ୍କ ଅର୍ଥରେ ହେଉଥିବା ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲେଖିବା ସହ ଦଳୀୟ ଭିତିରେ ଘର ନଦିଆଯାଇ ପ୍ରକୃତ ହିତାଧିକାରୀକୁ ପକ୍କା ଘର ବଂଟନ କରାଯାଉ ବୋଲି ଶ୍ରୀ ପଣ୍ଡା ଦାବି କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢୀ ଏବଂ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ।