Odiapua.com

କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିଲା ଏକାଦଶ ଶ୍ରେଣୀ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସୀର ଲହରି

ନୟାଗଡ଼ ୯-୮ (ଓଡ଼ିଆ ପୁଅ/ଲକ୍ଷ୍ମୀଧର ସାହୁ): ବାରମ୍ବାର ଦାବି, ଆନ୍ଦୋଳନ ଏବଂ ଧର୍ମଘଟ ପରେ ଶେଷରେ ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ବିଧିବଦ୍ଧ ଭାବେ ବିଜ୍ଞାପନ ପ୍ରାକାଶ ପାଇଛି। ଫଳରେ ଏକାଦଶ ଶ୍ରେଣୀରେ ପଢ଼ିବା ପାଇଁ ଅପେକ୍ଷାରତ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସୀର ଲହରି ଖେଳିଯାଇଥିବା ବେଳେ ଦୀର୍ଘ ଦିନରୁ ଦାବି କରି ଆସୁଥିବା ଅଭିଭାବକ, ବୁଦ୍ଧିଜୀବୀ ଜନସାଧାରଣଙ୍କ ପକ୍ଷରୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରାଯାଇଛି। ସୂଚନା ଯୋଗ୍ୟ ଯେ ଗତ ୨୦୧୦ ମସିହାରୁ ନୟାଗଡ଼ ଜିଳ୍ଲାରେ ପ୍ରତିଷ୍ଠିତ ଏହି କେନ୍ଦ୍ରୀୟ ବିଦ୍ୟାଳୟରୁ ଅଦ୍ୟାବଧି ୪ଟି ବ୍ୟାଚ ପିଲା ୧୦ମ ଶ୍ରେଣୀ ପରୀକ୍ଷା ଦେଇ ସାରିଥିବା ବେଳେ ଏକାଦଶ ଶ୍ରେଣୀ ନଥିବାରୁ ସିବିଏସଇ ପାଠ୍ୟକ୍ରମରୁ ବଞ୍ଚିତ ହୋଇ ବାଧ୍ୟରେ ଅନ୍ୟତ୍ର ନାମ ଲେଖାଉ ଥିଲେ। କ୍ରମାଗତ ଭାବେ ଦଶମ ପରୀକ୍ଷାରେ ଭଲ ଫଳାଫଳ ହାସଲ କରୁଥିଲେ ମଧ୍ୟ ଏକାଦଶ ନଥିବାରୁ ଚଳିତ ବର୍ଷ ଅଭିଭାବକ ମାନଙ୍କ ପକ୍ଷରୁ ଏନେଇ ବାରମ୍ବାର ଆନ୍ଦୋଳନ ଧର୍ମଘଟ ଆଦି କରାଯାଇ ଜିଲ୍ଲା ପ୍ରଶାସନ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏପରିକି ଏହି ଆନ୍ଦୋଳନକୁ ଭୁବନେଶ୍ୱର ଅଭିଭାବକ ମହାସଂଘ ଦୃଢ଼ ସମର୍ଥନ କରିବାସହ ସ୍ଥାନୀୟ ପୁରୀ ସାଂସଦ ପିନାକୀ ମିଶ୍ର, ନୟାଗଡ଼ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟନାରୟଣ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରି ଏକାଦଶ ଶ୍ରେଣୀ ଖୋଲିବା ଦିଗରେ ସହାୟତା କରିବା ପାଇଁ ନିବେଦନ କରିଥିଲା। ଫଳରେ ଏହି ନେତୃବୃନ୍ଦ ଏବଂ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିଭାଗ ଅଧିନରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଗତ ୭ତାରିଖରେ ବିଧିବଦ୍ଧଭାବେ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଅଭିଭାବକ ମାନଙ୍କ ମଧ୍ୟରେ ଖୁସୀର ଲହରୀ ଏବଂ ଆଶ୍ୱସ୍ତି ପ୍ରକାଶ ପାଇଥିବା ବେଳେ ସଂଘ ପକ୍ଷରୁ ରାଜେନ୍ଦ୍ର ପାଣିଗ୍ରହୀ, ପ୍ରଶାନ୍ତ ଦାସ, ଲକ୍ଷ୍ମୀଧର ସାହୁ, ନିରଂଜନ ବିଶ୍ୱାଳ, ସନ୍ତୋଷ ରାୟଗୁରୁ, ଗୌରୀଶଙ୍କର ଦାସ, ମାୟାଧର ସାହୁ, ଚିତ୍ତରଂଜନ ଦାଶ ପ୍ରମୁଖ ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ବ୍ୟକ୍ତଗତ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ ସ୍ଥାନୀୟ ସାଂସଦ, ବିଧାୟକ, ଜିଳ୍ଲା ପ୍ରଶାସନ ତଥା କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି।