Odiapua.com

କେନ୍ଦ୍ରୀୟ ଅର୍ଥ ତୋଷରପାତ ପାଇଁ ନୂଆ ତରିକା – ବାଲେଶ୍ୱର ଡିଆରଡିଏରେ ଅଡିଟ୍ ପ୍ରକ୍ରିୟାରେ କେଳେଙ୍କାରୀ

– ବାଲେଶ୍ୱର ଡିଆରଡିଏରେ ଅଡିଟ୍ ପ୍ରକ୍ରିୟାରେ କେଳେଙ୍କାରୀ
– ଅନ୍ଧାରରେ ଜିଲ୍ଲାପାଳ
– ଅନଭିଜ୍ଞ ଅଡିଟରଙ୍କୁ ଦିଆଯାଉଛି ଅଡିଟ୍ ଦାୟିତ୍ୱ

ଭୁବନଶ୍ୱର ୭-୮ (ଓଡ଼ିଆ ପୁଅ) ରାଜ୍ୟର ହେଉଥିବା ଉନ୍ନୟନମୂଳକ କୌଣସି ପ୍ରକାର ଦୁର୍ନିତିକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବାରମ୍ବାର କହୁଥିବା ବେଳେ କେତେକ ଜିଲ୍ଲାସ୍ତରୀୟ ଅଫିସର ଏହାକୁ ଖାତିର କରୁନାହାନ୍ତି। ଏଭଳିକି କେନ୍ଦ୍ରୀୟ ଅର୍ଥକୁ ବାଟବାରଣା କରିବାକୁ ମଧ୍ୟ ସେମାନେ ଉପାୟ ବାହାର କରିଛନ୍ତି। ଏହାର ଉଦାହରଣ ହେଉଛି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ)। ଡିଆରଡିଏ ଅଧିନରେ ପଂଚାୟତସ୍ତରୁ ଜିଲ୍ଲାପରିଷଦ ପର୍ଯ୍ୟନ୍ତ ହେଉଥିବା କାମ ପାଇଁ କେନ୍ଦ୍ର ସରକାର ଅର୍ଥ ଦେଇଥାନ୍ତି। ଏହି ଅର୍ଥ ଠିକ୍ ଭାବେ ଉପଯୋଗ ହେଉଛି କି ନାହିଁ ତାହା ଜାଣିବା ପାଇଁ ଅଭିଜ୍ଞ ଚାଟାର୍ଡ ଆକାଉଂଟାଂଟ୍ ଙ୍କ ଦ୍ୱାରା ଅଡିଟ୍ କରାଯିବାର ବ୍ୟବସ୍ଥା ରହିଛି। କିନ୍ତୁ ଏହାଦ୍ୱାରା ଦୁର୍ନିତୀ ଧରାପଡିଯିବା ଭୟରେ ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଅର୍ଥ) ମନଇଛା ସେମାନଙ୍କ ମନ ମୁତାବକ ଅଡିଟରଙ୍କୁ ଅଡିଟ୍ ଦାୟିତ୍ୱ ଦେବା ଲାଗି ବାଟ ବାହାର କରିବାରେ ଲାଗି ହୋଇଥିବା ପ୍ରକ୍ରିୟାରେ ଏଭଳି ଅନିୟମିତା ଓ କେଳେଙ୍କାରୀ ସାମ୍ନାକୁ ଆସିଛି। ବାଲେଶ୍ୱର ଡିଆରଡିଏ ଅଧିନରେ କେନ୍ଦ୍ରୀୟ ପାଣ୍ଠିରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟର ଅଡିଟ୍ ପାଇଁ ଚାଟାର୍ଡ ଆକାଉଂଟ୍ ଫାର୍ମଗୁଡିକର ତାଲିକାଭୁକ୍ତ କରିବା ପାଇଁ ଗତ ଜୁନ୍ ୨୧ ତାରିଖରେ ଟେଣ୍ଡର କଲ୍ ନୋଟିସ୍ ବାହାରିଥିଲା। କିନ୍ତୁ ଯେଉଁ ଆଧାରରେ ଫାର୍ମଗୁଡିକୁ ଚୟନ କରାଯିବ ବୋଲି ଲେଖାଯାଇଥିଲା, ତାହା ସ୍ପଷ୍ଟ ଭାବେ ଅଭିଜ୍ଞ ଅଡିଟର୍ ମାନଙ୍କୁ ଏଥିରୁ ବାଦ୍ ଦେବା ଲାଗି ଉଦ୍ଦିଷ୍ଟ ଭଳି ଜଣାପଡୁଛି। ଫାର୍ମଗୁଡିକର ପ୍ରତିଷ୍ଠା ତାରିଖ ଓ ଅଭିଜ୍ଞତାକୁ ଅଣଦେଖା କରାଯାଇ ପାଟନରସିପ୍ ହେବା ତାରିଖ ଉପରେ ଗୁରୁତ୍ୱ ଦିଆଯାଇଛି। ଯାହା କୌଣସି ପ୍ରକାରେ ଯୁକ୍ତିସଂଙ୍ଗତ କିମ୍ବା ଆଇନସଙ୍ଗତ ନୁହେଁ। ପେଶାଦାର ଚାଟାର୍ଡ ଆକାଉଂଟାଟ୍ ଫାର୍ମ କୌଣସି ଏକ ବ୍ୟବସାୟିକ ସଂସ୍ଥା ନୁହେଁ। ତେଣୁ ସେମାନଙ୍କର କେତେ ଟଙ୍କାର ବ୍ୟବସାୟ ବା ଟର୍ନ ଓଭରକୁ ଲକ୍ଷ୍ୟ କରି ଚୟନ ହେବା ଯୁକ୍ତିଯୁକ୍ତ ନୁହେଁ। ଏହି ଟର୍ନଓଭର ୩୦ ଲକ୍ଷଟଙ୍କା ହୋଇଥିଲେ ତାଙ୍କୁ ୧୦ ନମ୍ବର ଦିଆଯିବ ବୋଲି ଏହି ଟେଣ୍ଡରରେ ସର୍ତ ରହିଛି। ଅଭିଜ୍ଞତା କୌଣସି କାର୍ଯ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଭିଜ୍ଞତାକୁ ୮୦ ପ୍ରତିଶତ ଗୁରୁତ୍ୱ ଦିଆଯିବା କଥା। କିନ୍ତୁ ଏହି ଟେଣ୍ଡରରେ ଏଥିପାଇଁ ମାତ୍ର ୨୦ ମାର୍କ ରଖାଯାଇଛି। ସେହିପରି ବଜେଟ୍ ପାଇଁ ଅଡିଟରମାନଙ୍କୁ କେତେ ଟଙ୍କା ମିଳିବ ତାହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରିକୃତ ହୋଇଛି। କିନ୍ତୁ ଫାଇନାନସିଆଲ୍ ବିଡ୍ ପାଇଁ ସ୍କୋର୍ ରହିଛି ୪୦ ମାର୍କ। ଯାହା ଆଦୌ ଆବଶ୍ୟକତା ନାହିଁ। ଅଭିଜ୍ଞ ଚାଟାର୍ଡ ଆକାଉଂଟ୍ ଫାର୍ମଗୁଡିକ ଏଭଳି ଅଯୌକ୍ତିକ ତାଲିକାଭୁକ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। କାରଣ ଏହି ପ୍ରକ୍ରିୟା ଯୋଗୁଁ ଆଇସିଏଆଇ ଦ୍ୱାରା କ୍ୟାଟୋଗୋରୀ-୧ ଶ୍ରେଣୀଭୁକ୍ତ ହୋଇଥିବା ଚାଟାର୍ଡଫାର୍ମଗୁଡିକ ଏଥିରୁ ବଂଚିତ ହେଉଛନ୍ତି। ଯାହା ଏକ ଷଡଯନ୍ତ୍ର ବୋଲି ଆଶଙ୍କା କରାଯାଉଛି। ଅଡିଟ୍ ର ଅସଲ ଉଦ୍ଦେଶ୍ୟ ଓ ଏହାର ସୁଫଳକୁ ବାଲେଶ୍ୱର ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଅର୍ଥ) ବେଖାତିର କରି ଅନଭିଜ୍ଞ ଓ ତାଙ୍କ କଥାରେ ପରିଚାଳିତ ହେଉଥିବା ଚାଟ୍।ର୍ଡ ଆକାଂଉଂଟାଂଟ୍ ଙ୍କୁ ନିଯୁକ୍ତି କରି ସବୁ ଦୁର୍ନିତିକୁ ପାସ୍ କରାଇନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ୨୦୧୭ରେ ମଧ୍ୟ ସେଠାରେ ସେହିଭଳି ପରିସ୍ଥିତି ହୋଇଥିଲା। କିନ୍ତୁ ଅଭିଯୋଗ ପରେ ତକ୍ରାଳୀନ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ(ପିଡି) ଟେଣ୍ଡରକୁ ରଦ୍ଦ କରିଦେଇଥିଲେ। କିନ୍ତୁ ସେହି ଦୁଇ ଅଧିକାରୀଙ୍କ ବଦଳି ପରେ ଏବେ ପୁଣି ଡିଆରଡିଏର ସେହି ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଅର୍ଥ) ପୁରୁଣା ବୁଦ୍ଧି ବାହାର କରିଛନ୍ତି। ଜିଲ୍ଲାପାଳଙ୍କୁ ଏ ବାବଦରେ ଅନ୍ଧାରରେ ରଖାଯାଇଛି। ତେଣୁ ବାଲେଶ୍ୱର ଡିଆରଡିଏ ପକ୍ଷରୁ କରାଯାଇଥିବା ଏହି ଟେଣ୍ଡରକୁ ବାତିଲ କରିବା ପାଇଁ ଦାବି ହୋଇଛି। ୨୦୧୪ ପର୍ଯ୍ୟନ୍ତ ପ ଂଚାୟତିରାଜ ବିଭାଗ ଚାଟାର୍ଡ ଆକାଉଂଟାଂଟ୍ ମାନଙ୍କ ତାଲିକା କରି ଜିଲ୍ଲାପାଳଙ୍କ ନିକଟକୁ ପଠାଉଥିଲା। କିନ୍ତୁ ପରେ ଏହାକୁ ପରିବର୍ତ୍ତନ କରାଯାଇ ଟେଣ୍ଡର ବ୍ୟବସ୍ଥା କରାଯାଇଥିଲା। ଅଡିଟ୍ କରୁଥିବା ସଂସ୍ଥା କୌଣସି ବ୍ୟବସାୟ ପ୍ରତିଷ୍ଠାନ ନୁହେଁ। ତେଣୁ ଟେଣ୍ଡର ଡାକିବା ବ୍ୟବସ୍ଥା ଉଚ୍ଛେଦ କରି ପୂର୍ବ ଭଳି ଚାଟାର୍ଡ ଆକାଉଂଟାଂଟ୍ ମାନଙ୍କୁ ଅଡିଟ୍ ଦାୟିତ୍ୱ ଦିଆଯିବା ଉଚିତ୍। ଏହା ନହେଲେ ଟେଂଡର ବ୍ୟବସ୍ଥାରେ ବିଭିନ୍ନ ମାନଦଣ୍ଡ ନାଁରେ ଡିଆରଡିଏ ଅଫିସରମାନେ ଅନଭିଜ୍ଞ ଅଡିଟରମାନଙ୍କୁ ନିୟୋଜିତ କରିବାର ବାଟ ଖୋଲିଦେଇଛନ୍ତି। ପୁଣି ସବୁଠୁ ଆଶ୍ଚର୍ଯ୍ୟର ବିଷୟ ବିଭିନ୍ନ ଜିଲ୍ଲାରେ ଚାଟାର୍ଡ ଆକାଉଂଟାଂଟ୍ ନିୟୋଜିତ କରିବା ପାଇଁ ନିୟମ ମଧ୍ୟ ଭିନ୍ନ କରାଯାଉଛି। ଅର୍ଥାତ୍ ଡିଆରଡିଏ ଅଧିକାରୀମାନେ ସେମାନଙ୍କ ମନ ପସନ୍ଦର ଅଡିଟରମାନଙ୍କୁ ନିୟୋଜିତ କରି ଜିଲ୍ଲାରେ ହୋଇଥିବା ଅର୍ଥ ବାଟମାରଣାକୁ ଘୋଡାଇ ଦେବାରେ ସଫଳ ହେଉଛନ୍ତି। ତେଣୁ ବାଲେଶ୍ୱର ଡିଆରଡିଏ ପକ୍ଷରୁ ଜୁନ୍ ମାସରେ ବାହାରିଥିବା ଟେଣ୍ଡରକୁ ବାତିଲ କରି ଚୟନ ପ୍ରକ୍ରିୟାରେ ସୁଧାର ଆଣି ଅଭିଜ୍ଞ ଚାର୍ଟାର୍ଡ ଆକାଉଂଟାଂଟ୍ ମାନଙ୍କୁ ଅଡିଟ୍ ଦାୟିତ୍ୱ ଦିଆଯିବା ଓ ବାଲେଶ୍ୱର ଏପିଡି(ଅର୍ଥ)ଙ୍କ ଏହି କାର୍ଯ୍ୟକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।