Odiapua.com

କେନ୍ଦ୍ରୀୟ ଅବକାରୀ ବିଭାଗର ବଡ ସଫଳତା, ଧରିଲା ୪୦୦ଲିଟର ମହୁଲି ମଦ

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ରୀୟ ଅବକାରୀ ବିଭାଗ କଟକ ଶାଖା ପକ୍ଷରୁ ଆଜି ସକାଳେ ବଡଧରଣର ମଦ ଜବତ କରାଯାଇଛି । କେନ୍ଦୁଝର ଜିଲ୍ଲାରୁ ଭଦ୍ରକ ଆସୁଥିବା ଚାରିଶହ ଲିଟର ମହୁଲି ମଦକୁ ଜବତ କରିବା ସହ ଦୁଇଜଣଙ୍କୁ ଅବକାରୀ ଦଳ ଗିରଫ କରିଛି । ଅବକାରୀ କମିଶନର ଆଶିଷ କୁମାର ସିଂ ଓ ଡେପୁଟି କମିଶନର ରାମଚନ୍ଦ୍ର ପାଲଟାଙ୍କ ଗୁଇନ୍ଦା ତଥ୍ୟକୁ ଆଧାର କରି ଅବକାରୀ ଉପଆରକ୍ଷୀ ପ୍ରବୀର କୁମାର ସାମଲଙ୍କ ନେତୃତ୍ୱରେ ପାଟ୍ରୋଲିଂ କରୁଥିବା ସହକାରୀ ସବଇନିସପେକ୍ଟର ପିତାମ୍ବର ମହାପାତ୍ର, ସହଯୋଗୀ ପୂର୍ଣ୍ଣଜିତ ମହାପାତ୍ର, ବସନ୍ତ କୁମାର ମଲ୍ଲିକ, ଅଶ୍ୱନି କୁମାର ପରିଡା, ରିତାରାଣୀ ସେଠୀ ପ୍ରମୁଖ ବନ୍ତ-ବାରିକପୁର ରାସ୍ତାର କେନ୍ଦୁଆପଦା ରେଳ ଫାଟକ ନିକଟରୁ ଓଡି ୦୯ ଟି ୮୪୬୩ନଂ ଟାଟା ଏସି ଗାଡିରେ ବୋଝେଇ ହୋଇ ଆଠଟି ଡ୍ରମରେ ଚାରିଶହ ଲିଟର ମହୁଲି ମଦକୁ ସକାଳ ପ୍ରାୟ ୬.୩୦ମି. ସମୟରେ ଜବତ କରିଥିଲେ । ଗାଡିର ଚାଳକ ଆନନ୍ଦପୁର ଥାନା ଅଞ୍ଚଳର ସମୀର କୁମାର ମହାନ୍ତି(୨୩) ଓ ସହାୟକ ଚିତ୍ତରଞ୍ଜନ ଜେନା(୨୩)ଙ୍କୁ ଗିରଫ କରିଥିଲେ ଅବକାରୀ ପୁଲିସ । ଏଥିନେଇ ୧୨୬/୨୧-୨୨ନଂ ମାମଲା ଋଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି କେନ୍ଦ୍ରୀୟ ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ।