Odiapua.com

କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଯୁଦ୍ଧ ଟ୍ୟାଙ୍କ୍‌

କେନ୍ଦ୍ରାପଡ଼ା ୧୬ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆସିଛି ୧୯୭୧ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧରେ ବ୍ୟବହୃତ ହୋଇଥିବା ଋଷ ଦେଶର ଟ୍ୟାଙ୍କ୍ ଟି-୫୫। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମର ଭାବ ଜାଗ୍ରତ କରିବା ପାଇଁ ଟ୍ୟାଙ୍କକୁ ଏଠାକୁ ଅଣାଯାଇଛି। ସେହିପରି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନ୍‌ସିସି)ର କ୍ୟାଡେଟ୍‌ଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀମାନେ ସେନାରେ ଯୋଗଦେବା ପାଇଁ ଏହି ଟ୍ୟାଙ୍କ ସେମାନଙ୍କୁ ଉତ୍ସାହିତ କରିପାରିବ। ପୂର୍ବତନ ସେନା ମୁଖ୍ୟ ତଥା ବର୍ତ୍ତମାନର ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତଙ୍କ ଅନୁମୋଦନ କ୍ରମେ ଏହି ଟ୍ୟାଙ୍କକୁ ଏଠାକୁ ଅଣାଯାଇଛି। ଏହି ଟ୍ୟାଙ୍କର ଓଜନ ୩୭ ଟନ୍ ରହିଛି, ଏହାର ଲମ୍ବ ୩୬ ଫୁଟ୍ ୬ ଇଞ୍ଚ, ୧୦ ଫୁଟ୍ ୮ ଇଞ୍ଚ ହେଉଛି ଚଉଡା ଓ ୯ ଫୁଟ୍ ହେଉଛି ଏହାର ଉଚ୍ଚତା। ଏହି ଟ୍ୟାଙ୍କ୍‌ଟି ପାକ ସେନା ବିରୋଧରେ ଲଢେଇ କରି ଭାରତକୁ ବିଜୟୀ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା। ପୁଣେ ଠାରେ ଥିବା ସେନା ବାହିନୀ କାର୍ଯ୍ୟାଳୟରେ ଏହା ୧୯୭୧ ମସିହା ଭାରତ ପାକିସ୍ତାନ ଯୁଦ୍ଧ ପରେ ରହିଥିଲା। ସେଠାରୁ ଗତ ୧୧ ତାରିଖରେ ଲୋଡ ହୋଇ ଶନିବାର କେନ୍ଦ୍ରାପଡ଼ାରେ ପହଞ୍ଚିଥିଲା। ଏହାକୁ ଯୁଦ୍ଧ ଟ୍ରଫି ଭାବେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟକୁ ପ୍ରଦାନ କରାଯାଇଛି। ଏଥିପାଇଁ କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ପକ୍ଷରୁ ଏକ ଲକ୍ଷ ୧୪ ହଜାର ଟଙ୍କା ପୈଠ କରାଯାଇଛି। ଏଥିସହ ପରିବହନ ଖର୍ଚ୍ଚ ମଧ୍ୟ କଲେଜ ବହନ କରିଛି। କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଗଣମାଧ୍ୟମକୁ କହିଛନ୍ତି ଯେ ଆମ ମହାବିଦ୍ୟାଳୟର କେତେକ ପୂର୍ବତନ ଛାତ୍ର ସେନାବାହିନୀରେ ଅଛନ୍ତି। ଏହି ଟ୍ୟାଙ୍କ୍ କେନ୍ଦ୍ରାପଡ଼ା ମହାବିଦ୍ୟାଳୟକୁ ଆସିବାରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ଟ୍ୟାଙ୍କ ଏଠାକୁ ଅଣାଯିବା ପାଇଁ କଲେଜ ପକ୍ଷରୁ ବିଧିବଦ୍ଧ ଭାବେ ସେନା ମନ୍ତ୍ରଣାଳୟକୁ ନିବେଦନ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମ ଭାବ ବୃଦ୍ଧି କରିବା ସହିତ ସେନାବାହିନୀରେ ଯୋଗଦେବା ପାଇଁ ଏହି ଟ୍ୟାଙ୍କ୍ ସେମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କଲେଜ ଅଧ୍ୟକ୍ଷ ଡଃ. ତ୍ରିପାଠୀ କହିଛନ୍ତି।