Odiapua.com

କେନ୍ଦ୍ରାପଡା ସହରରେ ପ୍ରବଳ ଭିଡ: କୋଭିଡ କଟକଣାକୁ ଫୁ

କେନ୍ଦ୍ରାପଡ଼ା,୪-୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରରେ ସୋମବାର ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। କୋଭିଡ ନିୟମକୁ ସଂପୂର୍ଣ୍ଣ ଉଲ୍ଲଙ୍ଘନ କରାଯାଇ ସାମାଜିକ ଦୂରତା ରକ୍ଷା ଓ ମୁହଁରେ ମାସ୍କ ପରିଧାନ ବ୍ୟବସ୍ଥାକୁ ଯେମିତି ଅଣଦେଖା କରାଯାଇଥିବା ଦେଖିବାକୁ ମିଳିଛି। ମୁସଲମାନ ଭାଇଭଉଣୀମାନଙ୍କର ପବିତ୍ର ରମଜାନ ମାସ ଚାଲିଥିବା ବେଳେ ଏବଂ ଆଗକୁ ଇଦ ପର୍ବ ଥିବାରୁ ସେମାନେ ସହରରେ ବିଭିନ୍ନ ଜିନିଷପତ୍ର କିଣିବା ପାଇଁ ସହରର ଦୋକାନ ଗୁଡିକରେ ଭିଡ ଲଗାଇଥିବାର ଦେଖାଯାଇଥିଲା। ଯେଉଁଥି ପାଇଁ ସହରର ରାସ୍ତା ଓ ଦୋକାନ ଗୁଡିକରେ ପ୍ରବଳ ଭିଡ ଦେଖାଯାଇଥିଲା। ସେହିପରି କଳାବଜାରୀମାନେ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ହୋଡିଂ ଆରମ୍ଭ କରିଦେଇଥିବା ବେଳେ ଆଳୁ, ପିଆଜ ଭଳି କେତେକ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଲୋକମାନେ ସେହିସବୁ ଅତ୍ୟାବଶ୍ୟକୀୟ ଦ୍ରବ୍ୟକୁ କିଣିବା ପାଇଁ ଭିଡ ଜମାଇବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ଏସବୁ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ଟାଉନ ଥାନା ପକ୍ଷରୁ ସବଇନସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ସବଇନସପେକ୍ଟର ସୈାମ୍ୟରଞ୍ଜନ ଜାଲି ସହରର ବିଭିନ୍ନ ସ୍ଥାନ ବୁଲି ଲୋକମାନଙ୍କୁ କୋଭିଡ ନିୟମ ସମ୍ପର୍କରେ ସଚେତନ କରାଉଥିବା ମଧ୍ୟ ଦେଖାଯାଇଥିଲା।