Odiapua.com

କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ଓ ବଡଦାଣ୍ଡର ଉନ୍ନତିକରଣ ପାଇଁ ୮ କୋଟି ୫୦ ଲକ୍ଷ ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ ଆସନ୍ତା ରଥଯାତ୍ରା ପୂର୍ବରୁ କାମ ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର ୫.୧୧ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ଉନ୍ନତିକରଣ ପାଇଁ ୮ କୋଟି ୫୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି। ଆଜି ସଂଧ୍ୟାରେ ଲୋକସେବା ଭବନର ସମ୍ମିଳନୀ କକ୍ଷରୁ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନ୍ଫରେସିଂ ଯୋଗେ କେନ୍ଦ୍ରାପଡା ସାଂସଦ, ବିଧାୟକ, ଜିଲ୍ଲାପାଳ, ମନ୍ଦିର ଟ୍ରଷ୍ଟ ଏବଂ ସେବାୟତ ମାନଙ୍କ ସହିତ ଏ ସଂପର୍କରେ ବିସ୍ତୃତ ଅଲୋଚନା କରିଥିଲେ।

ସୂଚନାଯୋଗ୍ୟ ଯେ ଗତ ସ୍ନାନ ପୂର୍ଣ୍ଣିମା ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଳଦେବଜୀଉଙ୍କ ମନ୍ଦିର ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ସେବାୟତ ଓ ଜନସାଧାରଣ ମନ୍ଦିରର ବିଭିନ୍ନ ସମସ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଆଜି ଅନୁଷ୍ଠିତ ଭିଡିଓ କନ୍‌ଫରେନ୍ସିଂରେ ବଳଦେବଜୀଉଙ୍କ ପୀଠ ତୁଳସୀ କ୍ଷେତ୍ରର ସର୍ବବିଧ ବିକାଶ କରି ଏହାକୁ ଏକ ଆକର୍ଷଣୀୟ ଧର୍ମୀୟ ପର୍ଯ୍ୟଟନ କ୍ଷେତ୍ର ଭାବରେ ବିକଶିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ତଦନୁଯାୟୀ କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ଓ ଏହାର ପରିସରକୁ ସୁଦୃଶ୍ୟ ଆଲୋକମାଳାରେ ସୁସଜ୍ଜିତ କରାଯିବା ସହିତ ବଡଦାଣ୍ଡର ଉନ୍ନତିକରଣ କରାଯାଇ ଏହାର ଦୁଇ ପାର୍ଶକୁ ମଧ୍ୟ ସୁଦୃଶ୍ୟ ଆଲୋକମାଳାରେ ସଜ୍ଜିତ କରାଯିବ। ସେହିପରି କେନ୍ଦ୍ରାପଡାରେ ଏକ ଅଧ୍ୟାୟିକ ଉଦ୍ୟାନ ନିର୍ମାଣ କରାଯିବା ସହିତ ବଳଦେବଜୀଉ ଐତିହ୍ୟ ପୁଷ୍କରିଣୀର ମଧ୍ୟ ପୁନରୁଦ୍ଧାର କରାଯିବ। ବଳଦେବଜୀଉ ମନ୍ଦିରର କୀର୍ତ୍ତିରାଜିର ଉପଯୁକ୍ତ ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯିବ। ଏତଦ୍‌ବ୍ୟତୀତ ମନ୍ଦିରର ନିରାପତ୍ତା, ସୁରକ୍ଷା ଏବଂ ଜଳ ନିଷ୍କାସନ ପ୍ରଣାଳୀକୁ ସମୁନ୍ନତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବୈଠକରେ ସ୍ଥିର କରାଯାଇଛି।

ଏହିସବୁ ଉନ୍ନତିକରଣ କାର୍ଯ୍ୟର ଗୁଣାତ୍ମକ ମାନ ବଜାୟ ରଖିବା ସହିତ ଆସନ୍ତା ରଥଯାତ୍ରା ପୂର୍ବରୁ ସଂପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ଏହିସବୁ କାର୍ଯ୍ୟକ୍ରମର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାବାସୀଙ୍କ ସହଯୋଗ ମଧ୍ୟ କାମନା କରିଥିଲେ। ସେବାୟତମାନଙ୍କ ପକ୍ଷରୁ ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଥିଲା। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଓ ପୂର୍ତ୍ତ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।