କେନ୍ଦ୍ରାପଡ଼ା, ୨୮ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଠାକୁର ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଜୁଇଦାସପୁର କଣ୍ଟାପଦାସ୍ଥିତ ଜିଲ୍ଲା ଭକ୍ତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ପାଲାଗାୟକ ସମ୍ମିଳନୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା ପାଲା ଗାୟକ ପରିଷଦର ସଭାପତି ପ୍ରକୃତିବନ୍ଧୁ ଗାୟକ ଗଗନବିହାରୀ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ପାଲା ଗାୟକମାନେ ଯୋଗଦେଇ ପାଲା ବିଦଗ୍ଧ ଲୋକକଳା ସଂସ୍କୃତି ଉପରେ ଆଲୋଚନା କରିଥିଲେ। ପାଲା ଓ କେନ୍ଦରା ଗୀତ ଗାୟକ କ୍ଷୀରୋଦ କୁମାର ନାଥ ପାଲାର ଉଥାନ ପତନ ଏବଂ ପାଲା ଜନାଦୃତ ହେବା ନହେବା ପାଲା ପରିବେଷଣ ଉପରେ ନିର୍ଭର କରେ ବୋଲି ବକ୍ତବ୍ୟ ରଖିଥିଲେ। ଆସନ୍ତା ଫେବୃୟାରୀମାସ ପ୍ରଥମ ସପ୍ତାହରେ ଦୁଇଦିନ ଧରି ଜିଲ୍ଲା ପାଲାଗାୟକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଥିଲା। ଜିଲ୍ଲାର ସର୍ବାଧିକ ବୟଷ୍କ, ଦକ୍ଷ, ଯୋଗ୍ୟ ପାଲା ଗାୟକ, ବାୟକ, ପାଳିଆ ଓ ସଂଗୀତ କଣ୍ଠଶିଳ୍ପୀଙ୍କୁ ପ୍ରତି ବ୍ଲକରୁ ସମ୍ବର୍ଦ୍ଧିତ କରାଯିବାକୁ ସ୍ଥିର କରାଯାଇଛି। ଜିଲ୍ଲା ବାହାର ଜଗତସିଂହପୁର, ଯାଜପୁର ଓ କଟକ ଜିଲ୍ଲାର ୧୦ଜଣ ଯୋଗ୍ୟ କଳାକାରଙ୍କୁ ସମ୍ବର୍ଦ୍ଦିତ କରାଯିବାକୁ ଚୈାଦ୍ୱାରର ତାନ୍ତ୍ରିକ କବିବାବା ଆନନ୍ଦାନନ୍ଦ ମହାରାଜ ଏକ ପ୍ରସ୍ତାବ ଦେଇଥିଲେ। କେନ୍ଦ୍ରାପଡା ଜିଲ୍ଲା କଳାକାର ପରିଚୟ ପୁସ୍ତକ “କେନ୍ଦ୍ରାପଡା କଳା ଚନ୍ଦ୍ରିକା” ସମ୍ମିଳନୀର ପ୍ରଥମ ଦିବସରେ ଉନ୍ମୋଚନ ହେବ। ଏହି ସମ୍ମିଳନୀରେ ଦୁଇ ଦଳ ଗାୟକ ଓ ଦୁଇ ଦଳ ଗାୟିକା ପାଲା ପରିବେଷଣ କରିବେ। ଗାୟକ ଅଭୟ କୁମାର ଶତପଥୀ ବେଦପାଠ କରିଥିବା ବେଳେ ଗାୟକ ପ୍ରଫୁଲ୍ଲ ଚନ୍ଦ୍ର ଦାସ ପ୍ରାରମ୍ଭିକ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଭକ୍ତି ସଂଗୀତ ଗାନ କରିଥିଲେ। କଣ୍ଠଶିଳ୍ପୀ ଗୁଣମଣୀ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଗାୟକ ସନାତନ ରଣା ଧନ୍ୟବାଦ ଅର୍ପଣ କରିଥିଲେ।