Odiapua.com

କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ଓ ପ୍ରତିବାଦ ସଭା

କେନ୍ଦ୍ରାପଡା, ୨୧/୧୨(ଓଡ଼ିଆ ପୁଅ/ଟିତ୍ତରଞ୍ଜନ ଦାସ)-ନୟାଗଡ ଜିଲ୍ଲା ଯଦୁପୁର ଗ୍ରାମର କୋମଳମତି ଶିଶୁକନ୍ୟା “ପରୀ”ର ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚହଳ ପକାଇଥିବା ବେଳେ ପୋଲିସ ତଦନ୍ତରେ ଅବହେଳା ଯୋଗୁ ଘଟଣା ସମ୍ପର୍କରେ ସମଗ୍ର ରାଜ୍ୟ ଆଜି ଅନ୍ଧାରରେ। ନିଷ୍ପାପ ଶିଶୁକନ୍ୟା ପରୀର ବାପା, ମା ପୋଲିସ ପାଖରେ ଅଭିଯୋଗ କରି ଉଚିତ ନ୍ୟାୟ ନପାଇବାରୁ, ଘଟଣାରେ ଜଡିତ ଆସାମୀମାନଙ୍କୁ ପୋଲିସ ଗିରଫ ନକରିବାରୁ, ତଦନ୍ତରେ ସିଥିଳତା ଅନୁଭବ କରି ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଆସୁଥିବା ବେଳେ ସେହି ଘଟଣା ଲୋକଲୋଚନକୁ ଆସିଥିଲା। ଗଣମାଧ୍ୟମର ଖବର ଓ ବିରୋଧୀ କଂଗ୍ରେସ ଦଳ ବିଧାନସଭାରେ ଦାବି କରିଥିଲେ ମଧ୍ୟ ପରୀର ପରିବାରକୁ ଉଚିତ ନ୍ୟାୟ ମିଳିପାରିଲା ନାହିଁ। ରାଜ୍ୟର ବିଜେଡି ସରକାରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଗୃହ ବିଭାଗ ଥିବାବେଳେ ତଦନ୍ତରେ ଅବହେଳା ରାଜନୀତି ଯୋଗୁ ହେଉଥିବା ଅନୁମେୟ। ରାଜ୍ୟ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା ଅରୁଣ ସାହୁଙ୍କ ଅନୁଚିତ ହସ୍ତକ୍ଷେପ ଘଟଣାଟିକୁ ଜଟିଳ କରିଦେଇଛି। ମନ୍ତ୍ରୀ ଶ୍ରୀ ସାହୁଙ୍କୁ ବହିଷ୍କାର ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଗଣଧାରଣା ଓ ପ୍ରତିବାଦ ସଭାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଚିନ୍ମୟ ପ୍ରସାଦ ବେଉରା, ମହାକାଳପଡାର ବିଭ୍ରାଂଶୁ ଶେଖର ଲେଙ୍କା, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ଯୋଗଦେଇ ପରୀ ହତ୍ୟା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ରାଜ୍ୟ ସରକାରଙ୍କ ଉଦାସୀନ ମନୋଭାବକୁ ତୀବ୍ର ନିନ୍ଦା କରିଥିଲେ। ଏଥିସହିତ ଆଳି ଥାନା ଅନ୍ତର୍ଗତ ଭୂଇଁପୁର(ବନ୍ଧସାହି)ଗ୍ରାମର ନାବାଳିକା ଦୁଷ୍କର୍ମ ଘଟଣାରେ ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବାକୁ ଦାବି କରିଥିଲେ। ଏହି ଅବସରରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇ ପରୀ ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ, ଦୋଷୀଙ୍କୁ ଉଚିତ ଦଣ୍ଡବିଦାନ, ତଦନ୍ତରେ ଅବହେଳା କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ମନ୍ତ୍ରୀ ଶ୍ରୀ ସାହୁଙ୍କୁ ବହିଷ୍କାର ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦେବାକୁ ଦାବି କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଫକିର ଚରଣ ଖଟୁଆ, ପ୍ରଦୀପ ପ୍ରଧାନ, ଭାଗିରଥୀ ଜେନା, ସଞ୍ଜୟ ରାଉତ, ସତ୍ୟପ୍ରିୟ ସାମଲ, ବିଧୁଭୂଷଣ ମହାପାତ୍ର, ମହେନ୍ଦ୍ର ପରିଡା, ମୁକ୍ତାର ଖାଁ, ଶରତ ବେହୁରା, ସୈାମେନ୍ଦ୍ର ପୃଷ୍ଟି, ମାନଗୋବିନ୍ଦ ଦାସ, ରମାକାନ୍ତ ଦାଶ, ସତ୍ୟ ପରିଡା, ଅଭିଷେକ ବିଶ୍ୱାଳ, ନାରାୟଣ ପରିଡା, ପ୍ରଭାତ କୁମାର ଉଡାନସିଂ, ଅନନ୍ତ ପାତ୍ର, ପ୍ରଶାନ୍ତ ଦାସ, ମୀର ମୁର୍ଶିଦ, ଆଶିଷ ମେକାପ, ଜ୍ଞାନରଞ୍ଜନ ମହାନ୍ତି, ମହମ୍ମଦ ଇସାକ, ଲକ୍ଷ୍ମୀଧର ପଲେଇ, ପ୍ରଶାନ୍ତ ବିଶ୍ୱାଳ, କଳ୍ପତରୁ ଦାସ, ସଂଗ୍ରାମ ପୃଷ୍ଟି, ରାକେଶ ମହାନ୍ତି, ସମ୍ବିତ ଶ୍ରୀଚନ୍ଦନ, ମଳୟ ଦାସ, ସମ୍ରାଟ ଜେନା ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।