Odiapua.com

କେନ୍ଦ୍ରାପଡାରେ ଲକଡାଉନ ଜାରି – ବିଦେଶରୁ ୪ଶହ ଓ ରାଜ୍ୟ ବାହାରୁ ୪ହଜାର ଜିଲ୍ଲାରେ ପ୍ରବେଶ କରିଛନ୍ତି

କେନ୍ଦ୍ରାପଡା ୨୯/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ସାରା ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣକୁ ନେଇ ସରକାରଙ୍କ ଲକ ଡାଉନ ବ୍ୟବସ୍ଥା ଜାରି ରହିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଲକ ଡାଉନ ବ୍ୟବସ୍ଥା ବଳବତ୍ତର ରହିଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ରାତିରୁ ୨୧ଦିନ ପାଇଁ ଏହି ଲକ ଡାଉନ ବ୍ୟବସ୍ଥା ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା ପରେ ସାଧାରଣ ଲୋକ ଧିରେ ଧିରେ ସରକାରଙ୍କ ଏହି ବ୍ୟବସ୍ଥାକୁ ଗ୍ରହଣ କରିନେଇଥିବା ଦେଖିବାକୁ ମିଳିଛି। କିନ୍ତୁ କେତେକ କ୍ଷେତ୍ରରେ କିଛି ଲୋକ ଏହି ବ୍ୟବସ୍ଥାକୁ ଉଚିତ ଧ୍ୟାନ ନଦେବାରୁ ଆଜି ପ୍ରାୟ ୧୫ଜଣ ଯୁବକ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଠାରୁ ରାସ୍ତାରେ ମାଡ ଖାଇଥିବା ସୂଚନା ମିଳିଛି। ଆଜି ସୁଦ୍ଧା ଜିଲ୍ଲାକୁ ବିଦେଶରୁ ୪ଶହ ଲୋକ ଆସିଥିବା ବେଳେ ରାଜ୍ୟ ବାହାରୁ ୪ହଜାର ଲୋକ ଆସିଥିବା ଜିଲ୍ଲା ଜରୁରୀ ଅଧିକାରୀ ସମ୍ବିତ ଶତପଥୀଙ୍କ ଠାରୁ ସୂଚନା ମିଳିଛି। ସହରରେ ସାପ୍ତାହିକ ହାଟ ବ୍ୟବସ୍ଥାକୁ ବନ୍ଦ କରାଯାଇ ଅନ୍ୟୁନ ଦେଢମିଟର ଦ୍ୱରତାରେ ପରିବା ବେପାରୀମାନଙ୍କୁ ବସି ବିକ୍ରୀ କରିବାକୁ ନିର୍ଦେଶ ଦିଆଯାଇଛି। ପ୍ରତ୍ୟେକ ବ୍ଲକ ସ୍ତରରେ ବିଡିଓ, ତହସିଲଦାର ଓ ସିଡିପିଓଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ସେମାନେ ସାମାଜିକ ଦ୍ୱରତ୍ୱ ବ୍ୟବସ୍ଥା, ଅସ୍ଥାଇ ଆଇସୋଲେଟେଡ ଗୃହ ବ୍ୟବସ୍ଥା ଓ ଲୋକମାନଙ୍କୁ ବିନା ଆବଶ୍ୟକତାରେ ବାହାରକୁ ନଆସିବା ପାଇଁ ସଚେତନ କରିବା ଭଳି ବ୍ୟବସ୍ଥାକୁ ବୁଝିବା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିଭଳି କରୋନା ସମ୍ପର୍କୀତ ବ୍ୟବସ୍ଥାକୁ ବୁଝିବା ପାଇଁ ଜିଲ୍ଲା ସ୍ତରରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ, ଉପଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଛି। କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ୫ଶହ ବେଡ ବିଶିଷ୍ଟ, ଛତା ପଲିଟେକନିକ କଲେଜରେ ୨୫୦ ବେଡ, କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟରେ ୧୫୦ ବେଡ, ପଟ୍ଟାମୁଣ୍ଡାଇ ସ୍ଥିତ ସଂଖ୍ୟାଲଘୁ ହଷ୍ଟେଲରେ ଏକଶହ ବେଡ ବିଶିଷ୍ଟ ଆଇସୋଲେସନ ଗୃହର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଥିବା ବେଳେ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଂଚାୟତରେ ଏକଶହ ଲୋକଙ୍କ ନିମନ୍ତେ ଆଇସୋଲେସନ ବେଡ ବ୍ୟବସ୍ଥା କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ସୂଚନା ଦେଇଛନ୍ତି। ସହରର ମୁଖ୍ୟ ରାସ୍ତା ଗୁଡିକରେ ପୋଲିସ ପକ୍ଷରୁ ଗାଡି ଗୁଡିକ ଯାଂଚ କରାଯାଉଥିବା ବେଳେ ତିନିମୁହାଣି ଛକରେ ସକାଳେ ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମି ବିଶ୍ୱାଳ ପୋଲିସ ଫୋର୍ସ ସହିତ ପହଁଚି ଗାଡି ଗୁଡିକ ଯାଂଚ କରିବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ସେଠାରେ ପହଁଚି ବିନା କାର୍ଯ୍ୟରେ ଆସିଥିବା ଲୋକମାନଙ୍କୁ ସଚେତନ କରିବା ସହ ବୁଝାଇଥିଲେ। ବୁଧବାର ସନ୍ଧ୍ୟାରୁ ସହର ମଧ୍ୟରେ ବାଇକ ଓ ସାଇକେଲ ଚଳାଇ ଆସିବାକୁ ମଧ୍ୟ ବନ୍ଦ କରାଯାଇଥିବା ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ମାଇକରେ ଘୋଷଣା କରି ଜନସାଧାରଣଙ୍କୁ ସଚେତନ କରିଛନ୍ତି। ସରକାରଙ୍କ ସାମାଜିକ ଦୂରତା ବ୍ୟବସ୍ଥାକୁ ଆଜି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ କଡାକଡି ପାଳନ କରାଯାଉନଥିବା ଦେଖିବାକୁ ମିଳିଛି। ସହରର ତିନିମୁହାଣି ଛକରେ ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମି ବିଶ୍ୱାଳଙ୍କ ନେତୃତ୍ୱରେ ସବଇନିସପେକ୍ଟର ସୈାମ୍ୟରଞ୍ଜନ ଜାଲି ଓ ପୋଲିସ ଫୋର୍ସ ମୃତୟନ ହୋଇ କଟକ – ଚାନ୍ଦବାଲି ରାସ୍ତାରେ ଦୁହୁରିଆ ଆଡୁ ସହର ଆଡକୁ ଆସୁଥିବା, ନୂଆବସଷ୍ଟାଣ୍ଡରୁ ତିନିମୁହାଣି ଛକ ଆଡକୁ ଆସୁଥିବା ଏବଂ ଗରାପୁର ଆଡୁ ତିନିମୁହାଣି ଆଡକୁ ଆସୁଥିବା ଗାଡି ଓ ବାଇକ ପ୍ରଭୃତିକୁ ଯାଂଚ କରାଯାଉଛି। ପୁରୁଣା ବସଷ୍ଟାଣ୍ଡରେ ମାରୁଆଡିପଟି ପାଖରେ ଓ ସବରେଜିଷ୍ଟ୍ରାର ଅଫିସ ଗଳିରାସ୍ତା ନିକଟରେ ପୋଲିସ ପକ୍ଷରୁ ରାସ୍ତାକୁ ବନ୍ଦ କରିଦିଆଯାଇଥିବା ଦେଖିବାକୁ ମିଳିଛି। ପୈାରସଂସ୍ଥା ଓ ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଘରୁ ବାହାରକୁ ନବାହାରିବା ପାଇଁ ପ୍ରଚାର କରାଯିବା ସହ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଯାଉଥିବାର ଦେଖିବାକୁ ମିଳିଛି। ଆବଶ୍ୟକ ନହେଲେ ବାହାରକୁ ନଆସିବାକୁ ଲୋକମାନଙ୍କୁ କୁହାଯାଉଛି। ସେହିଭଳି ସଦର ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମପଂଚାୟତରେ ପୋଲିସ ଓ ବ୍ଲକ ପକ୍ଷରୁ ସଚେତନ କରାଯିବା ସହ ଘର ବାହାରକୁ ନଆସିବା ପାଇଁ କୁହାଯାଉଛି। ଲୋକମାନେ ସଚେତନ ହୋଇ ଏଭଳି ପରିସ୍ଥିତିରେ ପ୍ରଶାସନକୁ ସହଯୋଗ କରିବା ସହିତ ପ୍ରତ୍ୟେକଦିନ ବାହାରୁ ଆସୁଥିବା ଲୋକମାନଙ୍କ ସମ୍ପର୍କରେ ନିକଟସ୍ଥ ଡାକ୍ତରଖାନାରେ ପଞ୍ଜିକରଣ କରିବା ନିତ୍ୟାନ୍ତ ଜରୁରୀ ହୋଇପଡିଛି।