Odiapua.com

କେନ୍ଦ୍ରାପଡାରେ ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା ୫ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରସାସନର ପ୍ରସ୍ତୁତି ବୈଠକ ପୈାରପାଳିକା ଟାଉନହଲରେ ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର, ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା, କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ, କେନ୍ଦ୍ରାପଡା ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ସଚ୍ଚିଦାନନ୍ଦ ମିଶ୍ର, ଟାଉନ ଆଇଆଇସି ଜ୍ୟୋତି ରଞ୍ଜନ ସାମନ୍ତରାୟ ପ୍ରମୁଖ ମଞ୍ଚାସୀନ ଥିଲେ। କରୋନା ମହାମାରୀର ପ୍ରକୋପକୁ ଦେଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ କୋଭିଡ କଟକଣା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବ ବୋଲି ବିଭିନ୍ନ ପୂଜା କମିଟିର ସଭାପତି ଓ ସମ୍ପାଦକମାନଙ୍କୁ ଜିଲ୍ଲାପାଳ ଓ ଏସପି କହିଥିଲେ। ପୂଜା ମଣ୍ଡପରେ ସର୍ବାଧିକ ୪ଫୁଟ ଉଚ୍ଚତାର ମୂର୍ତ୍ତି ପୁଜା ପାଇବେ। ପୂଜକ ସମେତ ୭ଜଣ ପୂଜାମଣ୍ଡପରେ ଓ ବିଷର୍ଜ୍ଜନ ସମୟରେ ୧୦ଜଣଙ୍କୁ ଉପସ୍ଥିତ ପାଇଁ ଅନୁମତି ମିଳିପାରିବ। ଏମାନେ ମାସ୍କ ଲଗାଇବା ଓ ସାମାଜିକ ଦୂରତା ରକ୍ଷା କରିବେ ଏବଂ ଯଥାରୂପେ ସାନିଟାଇଜ ହେବେ। ମଣ୍ଡପର ତିନି ପାର୍ଶ୍ୱ ବନ୍ଦ ରଖାଯିବ। ଚତୁର୍ଥ ପାର୍ଶ୍ୱ ଦେଇ କେବଳ ପୂଜକ, କର୍ତ୍ତା ଏବଂ ସହଯୋଗୀ ଏପରି ୭ ଜଣ ପ୍ରବେଶ କରିପାରିବେ। ସାଧାରଣ ଯାତ୍ରୀ ବା ଦର୍ଶକମାନଙ୍କ ପାଇଁ ଚତୁର୍ଥ ପାର୍ଶ୍ୱ ଖୋଲା ଯିବ ନାହିଁ। ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। ସାତଦିନ ମଣ୍ଡପରେ ମୂର୍ତ୍ତି ପୂଜା ପାଇବା ପରେ ଅଷ୍ଟମ ଦିନ ବିନା ବାଜାରେ ସଂନ୍ଧ୍ୟା ସୁଧା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ନିର୍ଦ୍ଧାରିତ ଜଳାଶୟରେ ବିସର୍ଜ୍ଜନ କରାଯିବ। ପୂଜାରେ ଭାଗ ନେଉଥିବା ସମସ୍ତ ସଦସ୍ୟ କୋଭିଡ ଟିକା ନେଇଥିବେ। ସେହିପରି ବିସର୍ଜ୍ଜନରେ ଭାଗ ନେଉଥିବା ଦଶ ଜଣ ବ୍ୟକ୍ତି କୋଭିଡ ଟିକା ନେବା ସହିତ କୋଭିଡ କଟକଣା ମାନିବାକୁ ବାଧ୍ୟ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏ ସମସ୍ତ ବିଧିବ୍ୟବସ୍ଥାକୁ ତହସିଲଦାର ଓ ସ୍ଥାନୀୟ ଥାନାଧିକାରୀଙ୍କ ଦ୍ୱାରା ଗଠିତ ଦଳ ଦ୍ୱାରା ତଦାରଖ କରାଯିବ। ପୂଜା ସମୟରେ କୈାଣସି ଧାର୍ମିକ ଓ ସାଂସ୍କୃତିକ ଶୋଭାଯାତ୍ରା ହେବ ନାହିଁ। କୈାଣସି ସାଧାରଣ ସଭା ସମିତି ମାଧ୍ୟମରେ ଉଦବୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବନାହିଁ ବୋଲି ନିର୍ଦ୍ଦେଶ ଜାରି ହୋଇଛି। ଏହି ବୈଠକରେ ବିଭିନ୍ନ ପୂଜାକମିଟିର ସଭାପତି, ସମ୍ପାଦକ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।