Odiapua.com

କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ, ମଧୁ ଶାସନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

କେନ୍ଦ୍ରାପଡ଼ା ୨୨-୮ (ଓଡ଼ିଆ ପୁଅ) ସକାଳ ୮ ଟା ପରିବର୍ତ୍ତେ ୧ ଘଣ୍ଟା ଡେରିରେ ସକାଳ ୯ ଟା ରେ ଖୋଲୁଛି ଡାକ୍ତରଖାନାର ମୁଖ୍ୟ ଦ୍ୱାର। ଡାକ୍ତର ଆସୁଛନ୍ତି ଦେଢ଼ ଘଣ୍ଟା ଡେ଼ରିରେ ୯:୩୦ ରେ, ଫାର୍ମାସିଷ୍ଟ ଓ ନର୍ସ ଆସୁଛନ୍ତି ପ୍ରାୟ ୧ ଘଣ୍ଟା ଡେରିରେ।

ପୂର୍ବରୁ ମଧ୍ୟ ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା ଦେଖିଥିଲେ ରାଜନେତା ତେଜେଶ୍ୱର ପରିଡ଼ା। ସେ ପୂର୍ବରୁ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇ ପ୍ରତିବାଦ ଓ ଆଲୋଚନା କରିବା ପରେ ଅବସ୍ଥାରେ ସୁଧାର ଆସିଥିଲା, କାନ୍ଥରେ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ରହିବାର ସମୟ ଲେଖା ଯାଇଥିଲା, ମାତ୍ର ପୁନର୍ବାର ସେହି ଅବସ୍ଥା, ଡାକ୍ତରଖାନା ଠିକ ସମୟରେ ଖୋଲୁନଥିବାରୁ ରୋଗୀମାନେ ଘରୋଇ ଡାକ୍ତରଖାନା, କ୍ଲିନିକ ବା ଦୂର ସ୍ଥାନକୁ ଯାଉଛନ୍ତି।

ତେବେ ନଦୀ ଆର ପାଖେ ଥିବା ତେଣ୍ଡାକୁଡ଼ା ଡାକ୍ତରଖାନା ଅତି ଭଲ ଭାବେ ଚାଲିଥିବା ବେଳେ, ମଧୁ ଶାସନ ଡାକ୍ତରଖାନା ଅବସ୍ଥା କଣ ପାଇଁ ଅତି ଖରାପ ତାହା ଏକ ବିରାଟ ପ୍ରଶ୍ନବାଚୀ। ଡାକ୍ତରଖାନା ଖୋଲିବା ସମୟ ସକାଳ ୮ ରୁ ମଧ୍ୟାହ୍ନ ୧୨ ଟା, ପୁଣି ଅପରାହ୍ନ ୩ ରୁ ୫ ଟା ବା ୪ ଟାରୁ ୬ ଟା, ଅର୍ଥାତ ଦୈନିକ ୬ ଘଣ୍ଟା। ପଛ ପଟ ଘରେ ଡାକ୍ତର ବା ଫାର୍ମାସିଷ୍ଟ ରହିବାର ସୁବିଧା ଅଛି କିନ୍ତୁ ରହୁ ନାହାନ୍ତି, ଲୋକେ କହନ୍ତି ମଧୁ ଶାସନ ଡାକ୍ତରଖାନାରେ ଜଣେ କର୍ମଚାରୀଙ୍କ ଦୌରାତ୍ମ୍ୟ ବି କିଛି କମ ନୁହେଁ। ଡାକ୍ତରଖାନା ସେବା ଛାଡି ଘରୋଇ ଚିକିତ୍ସାରେ ବ୍ୟସ୍ତ ସମ୍ପୃକ୍ତ ବ୍ୟକ୍ତି।

ହାସ୍ୟାସ୍ପଦ କଥା ଯେ, ଜଣେ କର୍ମଚାରୀ ଆମକୁ କହିଲେ ପେଟ୍ରୋଲ ପମ୍ପରେ ଭିଡ଼ ଯୋଗୁଁ ଡେ଼ରି ହେଲା, କିନ୍ତୁ ମୋଟର ସାଇକେଲରେ ତେଲ ପକାଇବା ପାଇଁ ୧ ଘଣ୍ଟା ସମୟ କେମିତି ଡେ଼ରି?