Odiapua.com

କେନ୍ଦ୍ରମନ୍ତ୍ରୀଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ : ଅନୁଗୋଳ ଓ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଭୂମିପୂଜନ ଏବଂ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ଅନୁଗୋଳରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ ସହ ନୂତନ ଗୃହ ନିର୍ମାଣ ପାଇଁ ଭୂମିପୂଜନ
– ଖୋର୍ଦ୍ଧାରେ ରେଳ ମନ୍ତ୍ରୀଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ
– ଆସନ୍ତା ଶୁକ୍ରବାର ଦିନ ପୁରୀରେ ରଥଯାତ୍ରାରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ଜୁନ ୨୯ (ଓଡ଼ିଆ ପୁଅ) – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ଅନୁଗୋଳ ଏବଂ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ବିଭିନ୍ନ ଲୋକଭିମୁଖୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ଶିକ୍ଷା ଓ ରେଳ ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ଭୂମିପୂଜନ ଓ ଶୁଭାରମ୍ଭ କରିବେ। ଏହା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରଥଯାତ୍ରା ଦିନ ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆସନ୍ତାକାଲି(ଗୁରୁବାର) ସକାଳେ ଭୁବନେଶ୍ୱରରେ ପହଞ୍ଚିବା ପରେ ଅନୁଗୋଳ ଜିଲ୍ଲା ତାଳଚେର ଗସ୍ତ କରିବେ। ଏମସିଏଲର ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କରିବା ସହ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ଭୂମିପୂଜନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭିଡ଼ିଓ କନଫରେନ୍ସିଂରେ ଯୋଗଦେବେ।

ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ପ୍ରଧାନ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ଖୋର୍ଦ୍ଧା ରୋଡ଼୍ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟକ୍ରମରେ ସାମିଲ ହେବେ। ରେଳ ମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ମିଳିତ ଭାବରେ ଖୋର୍ଦ୍ଧା ରୋଡ଼୍ ଷ୍ଟେସନର ନୂତନ ବିଲଡିଂର ଲୋକାର୍ପଣ କରିବା ସହ ଭୁବନେଶ୍ୱର- ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସର ଏଲଏଚବି ରେକ୍ ଓ ଭୁବନେଶ୍ୱର-ଆନନ୍ଦବିହାର ଦୁରୋନ୍ତ ଏକ୍ସପ୍ରେସର ଉଦଘାଟନ କରିବେ। ଏହାବ୍ୟତୀତ ସେହି ସ୍ଥାନରୁ ରହି ଉଭୟ ମନ୍ତ୍ରୀ ପଟିଆ ଓ ବାଣୀବିହାର ପିଏଚର ନୂଆ ବିଲ୍ଡିଂକୁ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଆସନ୍ତା ଜୁଲାଇ ୧ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁରୀରେ ସାମାଜିକ ସଂଗଠନ “ଆମେ ଓଡ଼ିଆ” ପକ୍ଷରୁ ଆୟୋଜିତ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ହ୍ରାସ କରିବା ପାଇଁ ଜନସଚେତନ ଅଭିଯାନରେ ସାମିଲ ହେବେ। ପୁରୀ ଶରଧାବାଲି ଠାରେ ଭାରତ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ମୋଦି ସରକାରଙ୍କ ୮ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ପୂର୍ତ୍ତି ଅବସରରେ ଅନୁଷ୍ଠିତ ଏକ ପ୍ରଦର୍ଶନକୁ ଉଦଘାଟନ କରିବେ। ତା’ ସହିତ ପୁରୀ ଭୋଳାନାଥ ବିଦ୍ୟାପୀଠ ନିକଟରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଅଧୀନ ଆଇସିଏଚଆର ଦ୍ୱାରା ‘ଆଜାଦୀ କା ଅମୃତ ମହୋତ୍ସବ’ ଉପରେ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବେ। ବଡ଼ଶଙ୍ଖ ଶରଧା ମଣ୍ଡପ ଠାରେ ବିଶ୍ୱ କଲ୍ୟାଣ ଆଧ୍ୟାତ୍ମିକ ଚେତନା ସଂଘର ପ୍ରସାଦ ବିତରଣ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଶ୍ରୀ ପ୍ରଧାନ ରଥଯାତ୍ରାରେ ଯୋଡ଼ି ହେବାର କାର୍ଯ୍ୟକ୍ରମ ରହିଛି।