Odiapua.com

କେନ୍ଦ୍ରମନ୍ତ୍ରୀଙ୍କ ଜନ୍ମଦିନରେ ବିଜେପିର ସେବାଦିବସ – ଜିଲ୍ଲାରେ ବୃକ୍ଷରୋପଣ-ରକ୍ତଦାନ ଜାରି

ବାଲେଶ୍ୱର, ୯ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଲୋକସଭା ସାଂସଦ ତଥା କେନ୍ଦ୍ର ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ୬୫ତମ ଜନ୍ମୋତ୍ସବକୁ ବିଜେପି ପକ୍ଷରୁ ସେବା ଦିବସ ଭାବେ ପାଳନ କରାଯାଉଛି। ଆଜିଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହି ସେବା ଦିବସରେ ବିଭିନ୍ନ ପ୍ରକାର ଜନସେବା ମୂଳକ କାର୍ଯ୍ୟକ୍ରମ ଆୟୋଜନ ହେବା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ସେବା ଦିବସ ଶୁଭାରମ୍ଭ ଅବସରରେ ଜିଲ୍ଲା ବିଜେପି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରବୀନ୍ଦ୍ର କଲ୍ୟାଣମଣ୍ଡପ ପରିସରରେ ଆୟୋଜିତ ଶିବିରକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ଏହିଭଳି ମହତ କାର୍ଯ୍ୟ ପାଇଁ ଦଳୀୟ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ। ଅନ୍ୟର ବହୁମୂଲ୍ୟ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ବିଜେପି କର୍ମୀଙ୍କ ଏହି ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ମତ ପ୍ରକାଶ କରିଥିଲେ। ବିଜେପି ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ମହିଳା ମୋର୍ଚ୍ଚା ରାଜ୍ୟନେତ୍ରୀ ସୁଷମା ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ସଦର ମଣ୍ଡଳୀ ସଂଯୋଜକ ତଥା ଦଳୀୟ ସଦର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ, ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି କମଳା ବିନ୍ଧାଣୀ, ଜୋନାଲ ମିଡିଆ କୋର୍ଡ଼ିନେଟର ସତ୍ୟଜିତ୍ ମିଶ୍ର, ବିଜେପି ନଗର ସଭାପତି ଚିତ୍ତରଂଜନ ପଣ୍ଡା, ବରିଷ୍ଠ ବିଜେପି ନେତା ଶୁଭଙ୍କର ମହାପାତ୍ର, ଜିଲ୍ଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଦଳୀୟ ସଂଗଠକ ଗୌରାଙ୍ଗ ଦାସ, ମନୋଜ ପୋଦାର, ସୀତାକାନ୍ତ ସ୍ୱାଇଁ, ଯୁବମୋର୍ଚ୍ଚା କର୍ମକର୍ତ୍ତା ସମର ଶଙ୍କର କାନୁନଗୋ ପ୍ରମୁଖ ଏଥିରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ବସନ୍ତ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିର ଶେଷ ସୁଦ୍ଧା ଶହେରୁ ଅଧିକ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଅନୁରୂପ ଭାବେ ଭୋଗରାଇ ଓ ବାହାବଳପୁରରେ ରକ୍ତଦାନ ଶିବିର ଆୟୋଜନ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ସେଠାରେ ମଧ୍ୟ ଶିବିର ଉଦ୍‌ଘାଟନ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।