Odiapua.com

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏନଏସଡ଼ିସିଆଇ ଇଂଟରନ୍ୟାସନାଲ-ହିନ୍ଦୁସ୍ତାନ ପୋର୍ଟ ମଧ୍ୟରେ ଏମଓୟୁ ସ୍ୱାକ୍ଷର

– ଦକ୍ଷ ମାନବସମ୍ବଳ ପ୍ରସ୍ତୁତ ପାଇଁ ବାରଣାସୀ ଠାରେ ସ୍କିଲ ଇଣ୍ଡିଆ ଇଂଟରନ୍ୟାସନାଲ ସେଂଟର ପ୍ରତିଷ୍ଠା କରାଯିବ-ଧର୍ମେନ୍ଦ୍ର ପ୍ରଧାନ
– ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୂତ୍ କରିବା ନେଇ ୟୁଏଇ ମନ୍ତ୍ରୀଙ୍କ ସହ ଆଲୋଚନା ଲଜିଷ୍ଟିକ୍‌, ବନ୍ଦର ପରିଚାଳନା କ୍ଷେତ୍ରରେ ଯୁବବର୍ଗଙ୍କ ଦକ୍ଷତା ବିକାଶ କରାଯିବ

ନୂଆଦିଲ୍ଲୀ/ଭୁବନେଶ୍ୱର, ମଇ ୧୨ (ଓଡ଼ିଆ ପୁଅ) – ଉପସାଗରୀୟ ଦେଶ ତଥା ବିଶ୍ୱ ବଜାର ପାଇଁ ଦକ୍ଷ ମାନବସମ୍ବଳ ପ୍ରସ୍ତୁତ ନିମନ୍ତେ ବାରଣାସୀ ଠାରେ ସ୍କିଲ ଇଣ୍ଡିଆ ଇଂଟରନ୍ୟାସନାଲ ସେଂଟର ପ୍ରତିଷ୍ଠା କରାଯିବ। ଏ ନେଇ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଜାତୀୟ ଦକ୍ଷତା ବିକାଶ ଉଦ୍ୟୋଗ ତଥା ଏନଏସଡ଼ିସିଆଇ ଇଂଟରନ୍ୟାସନାଲ (ଏନଏସଡ଼ିସିଆଇ) ଏବଂ ଡିପି ୱାର୍ଲଡର ଭାରତୀୟ ୟୁନିଟ୍‌, ହିନ୍ଦୁସ୍ତାନ ପୋର୍ଟ ପ୍ରାଇଭେଟ୍ ଲିମିଟେଡ଼୍ ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି।

ଏହି ଏମଓୟୁ ଦ୍ୱାରା ଉତ୍ତରପ୍ରଦେଶର ବାରଣାସୀ ଠାରେ ସ୍କିଲ ଇଣ୍ଡିଆ ଇଂଟରନ୍ୟାସନାଲ ସେଂଟରକୁ ବିକଶିତ କରାଯିବ। ବିଦେଶରେ ରୋଜଗାର ପାଇଁ ଇଚ୍ଛୁକ ଥିବା ଦେଶର ଯୁବବର୍ଗଙ୍କ ଲଜିଷ୍ଟିକ୍‌, ବନ୍ଦର ପରିଚାଳନା ଓ ସମତୁଲ୍ୟ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ ଦିଆଯିବ। ଏଠାରେ ଅନ୍ତରାଷ୍ଟ୍ରୀୟ ସ୍ତରର ଦକ୍ଷତା ପ୍ରଦାନ କରିବା ସହ ବିଶ୍ୱ ବଜାର ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବା ନେଇ ଏହି ବଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଉପସାଗରୀୟ ଦେଶ ଓ ବିଶ୍ୱର ଅନ୍ୟ ଦେଶ ଗୁଡ଼ିକ ସହ ଭାରତ ଏକ ସହଯୋଗୀ ରାଷ୍ଟ୍ର ହୋଇପାରିଛି। ସରକାର ଦେଶର ଯୁବକଙ୍କ ଆକାଂକ୍ଷାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ଏବଂ ଭବିଷ୍ୟତ କାର୍ଯ୍ୟ ପାଇଁ ମଧ୍ୟ ପ୍ରସ୍ତୁତ କରୁଛି। ସରକାର ଦକ୍ଷ ଓ ନିର୍ଭରଯୋଗ୍ୟ ମାନବସମ୍ବଳ ପ୍ରସ୍ତୁତ କରୁଛନ୍ତି। ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତ ଦ୍ୱାରା ଦେଶ ଓ ବିଶ୍ୱ ଅର୍ଥନୀତି ଗତିଶୀଳ ହେବ। ଭାରତ ଏବଂ ୟୁଏଇ ମଧ୍ୟରେ ଦୃଢ଼ ସମ୍ପର୍କ ରହିଛି ଏବଂ ଆଜିର ଏହି ଏମଓୟୁ ଅନ୍ୟ ଏକ ସଫଳ ଭାଗିଦାରୀ ହେବ, ଯାହା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୂତ୍ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏହି ଏମଓୟୁ ସ୍ୱାକ୍ଷରିତ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ୟୁଏଇର ଉଦ୍ୟମିତା, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଡ଼. ଅହିମ୍ମଦ ବେଲହଲ ଅଲଫାଲାସୀ ଓ ୟୁଏଇର ପ୍ରତନିଧି ମଣ୍ଡଳିଙ୍କ ସହ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ଷେତ୍ରରେ ଭାରତ ଓ ୟୁଏଇର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ଭାରତ-ୟୁଏଇ ସଇପିଏକୁ ଆହୁରି ଶିଖରକୁ ନେବା ଦିଗରେ ବୈଠକରେ ଆଲୋଚନା ହୋଇଥିଲା।

ଉଲ୍ଲେଖନୀୟ ଯେ, ଏନଏସଡ଼ିସି ଇଂଟରନ୍ୟାସନାଲର ନିର୍ଦ୍ଦେଶକ ଭେଦମଣି ତ୍ରିପାଠୀ ଓ ଡ଼ିପି ୱାର୍ଲଡର ସଭାପତି ତଥା ଏଚପିପିଏଲର ନିର୍ଦ୍ଦେଶକ ମହମ୍ମଦ ଅଲ୍ ମୁଲେମଙ୍କ ମଧ୍ୟରେ ଏମଓୟୁକୁ ପାରସ୍ପରିକ ହସ୍ତାନ୍ତର କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ୟୁଏଇ ମନ୍ତ୍ରୀ ଡ଼. ଅହିମ୍ମଦ ବେଲହଲ ଅଲଫାଲାସୀ ପ୍ରମୁଖ ଉପସ୍ଥିତ ଥିଲେ।