ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀର ଆଖୁଆପଦା ବ୍ୟାରେଜ ନିର୍ମାଣ ଦାବିରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ମନ୍ତ୍ରୀ ଶ୍ରୀ ଟୁଡୁଙ୍କ ମୟୁରଭଞ୍ଜ ଗସ୍ତ ଅବସରରେ ଭଦ୍ରକ ଠାରେ ଗତ ରବିବାର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସମ୍ପ୍ରତି ବୈତରଣୀ ନଦୀର ବିଭିନ୍ନ ସ୍ତାନରେ ବ୍ୟାରେଜ ନିର୍ମାଣ ହେଉଥିବା ବେଳେ ବ୍ୟାରେଜ ନିର୍ମାଣ ପାଇଁ ସବୁଠାରୁ ଉପଯୁକ୍ତ ସ୍ଥାନ ଭାବେ ଆଖୁଆପଦାକୁ ବିବେଚନା କରାଯାଉଛି । ଆଖୁଆପଦାରେ ଥିôବା ଆନିକଟ ରୂପକ ଭିତ୍ତିଭୂମିକୁ ଉନ୍ନତିକରଣ କରାଯାଇ ଭଦ୍ରକ ଓ ଯାଜପୁର ଜିଲ୍ଲାର ଉଭୟ ବ୍ୟାପକ ଜଳସେଚନ ଓ ବନ୍ୟାନିୟନ୍ତ୍ରଣ ଉଦ୍ଦେଶ୍ୟରେ ଉପଯୋଗ କରାଯାଇପାରିବ । ଏଭଳି ଲକ୍ଷ୍ୟ ଅନ୍ୟ କୌଣସି ବ୍ୟାରେଜ ପୂରଣ କରିବା ସମ୍ଭବ ନୁହେଁ । ମାତ୍ର ବାରମ୍ବାର ଦାବି ସତ୍ତ୍ୱେ ରାଜ୍ୟ ସରକାର ଆଖୁଆପଦା ବ୍ୟାରେଜ ନିର୍ମାଣ ପ୍ରସଙ୍ଗକୁ ଅଣଦେଖା କରୁଥିବାରୁ ବିଜେପି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଏହି ଦାବି ଦୋହରାଇଛି । ସେହିପରି ଆନିକଟ ସିଷ୍ଟମର ହାଇଲେବୁଲ କେନାଲ, ମାଇନର କେନାଲ ଓ ଡିଷ୍ଟ୍ରିବ୍ୟୁଟାରୀଗୁଡିକର ଉନ୍ନତିକରଣ କରିବା, ବନ୍ଦାଳୋ-ମଢିଆଳି ଓ ଝୁଟୁଣା ପଞ୍ଚାୟତର ଗ୍ରାମଗୁଡିକୁ ନଦୀ କୂଳକ୍ଷୟରୁ ସୁରକ୍ଷା ଦେବା, କଣ୍ଟି ଘାଇର ଉଚ୍ଚତା ବୃଦ୍ଧି କରିବା, ନଦୀର ବାମପାଶ୍ୱର୍ ବନ୍ଧ ସୁଦୃଢ କରିବା ପାଇଁ ଶ୍ରୀ ଧଳ ଦୃଷ୍ଟି ଆକର୍ଷଣ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ଗ୍ରହଣ କରିବା ସହ ଅବିଳମ୍ବେ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ଆଖୁଆପଦା ଗସ୍ତ କରି ନିର୍ମାଣ ସମ୍ପର୍କରେ ସୁପାରିଶ କରିବେ ବୋଲି ଆଶ୍ୱାସନା ଦେଇଥିଲେ । ଆବଶ୍ୟକ ହେଲେ ଶ୍ରୀ ଟୁଟୁ ମଧ୍ୟ ଆଖୁଆପଦା ଗସ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିଯୋଗୁଁ କେନ୍ଦ୍ରୀୟ ଅର୍ଥରେ ଆଖୁଆପଦା ବ୍ୟାରେଜ ନିର୍ମାଣ ସାକାର ହୋଇପାରିବ ବୋଲି ବିଜେପି ନେତା ଶ୍ରୀ ଧଳ ଆଶାବ୍ୟକ୍ତ କରିଛନ୍ତି ।