Odiapua.com

କେନ୍ଦୁପତ୍ର ପିସିସିଏଫଙ୍କ ମାଲକାନଗିରି ଜିଲ୍ଲା ଗସ୍ତ କେନ୍ଦୁପତ୍ର ଫଡ଼ି ପରିଦର୍ଶନ ତୋଳାଳୀଙ୍କ ସହିତ ଆଲୋଚନା

ମାଲକାନଗିରି, ୨୧/୪ (ଓଡ଼ିଆ ପୁଅ) ରାଜ୍ୟ କେନ୍ଦୁପତ୍ର ପିସିସି ଏଫ ଏସ.କେ.ପାପୁଲ ଗତ ଦୁଇଦିନ ହେଲା ମାଲକାନଗିରି ଜିଲ୍ଲା ଗସ୍ତରେ ଆସି କେନ୍ଦୁପତ୍ର ରେଞ୍ଜ, ଫଡ଼ି ପରିଦର୍ଶନ ସହିତ କେନ୍ଦୁପତ୍ର ତୋଳାଳୀମାନଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଛନ୍ତି। ଆଜି ସେ ମାଲକାନଗିରି କେନ୍ଦୁପତ୍ର ରେଞ୍ଜର ବିଭିନ୍ନ ଫଡ଼ି ପରିଦର୍ଶନ କରି ତୋଳାଳୀମାନଙ୍କ ସହ ଆଲୋଚନା କରିବା ସହିତ ଫଡ଼ିରେ ପାନୀୟଜଳ, ତୋଳାଳୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଅନ୍ୟାନ୍ୟ ସୁବିଧା ଯେପରି ଯୋଗାଇ ଦିଆଯିବ ସେଥି ପ୍ରତି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପିସିସିଏଫଙ୍କ ସହିତ ସିସିଏଫ ପ୍ରଦୀପ କୁମାର ମହାପାତ୍ର, ଜୟପୁର ଡିଏଫଓ ବିଭୂତି ଭୂଷଣ ବେହେରା, ମାଲକାନଗିରି କେନ୍ଦୁପତ୍ର ରେଞ୍ଜଫିସର ସମ୍ପଦ ପଟ୍ଟନାୟକ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।

ପିସିସିଏଫ ମାଲକାନଗିରି ଜିଲ୍ଲାର ଏମଭି ୭୯, କାଲିମେଳା, ମାଥିଲି, କତାମେଟା, ବାଲିମେଳା କେନ୍ଦୁପତ୍ର ରେଞ୍ଜ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି।

ମାଲକାନଗିରି କେନ୍ଦୁପତ୍ର ରେଞ୍ଜ ଅଧୀନରେ ୮୨ଟି ଫଡ଼ି ଖୋଲା ଯାଇଛି, ଏକ କୋଟି ୬୩ ଲକ୍ଷ ୨୫ ହଜାର କେନ୍ଦୁପତ୍ର ବିଡ଼ା କ୍ରୟ ଧାର୍ଯ୍ୟ କରାଯାଇଥିବା ବେଳେ ସାତ ଦିନ ମଧ୍ୟରେ ୮୨ ଲକ୍ଷ ୫୩ ହଜାର ୧୧୦ ବିଡା ବିଭିନ୍ନ ଫଡ଼ିରେ କ୍ରୟ ହୋଇ ସାରିଲାଣି, ପ୍ରତି ବିଡା ପ୍ରତି ତୋଳାଳୀଙ୍କୁ ୨ ଟଙ୍କା ୮୦ ପଇସା ଲେଖା ଦିଆ ଯାଉଛି। ଇତି ମଧ୍ୟରେ ୫୮୨୬ ଜଣ କେନ୍ଦୁପତ୍ର ତୋଳାଳୀ ସେମାନଙ୍କ ନାମ ପଞ୍ଜିକୃତ କରିଛନ୍ତି ବୋଲି ମାଲକାନଗିରି ରେଞ୍ଜ ଅଫିସର ଏସ.କେ ପଟ୍ଟନାୟକ ସୂଚନା ଦେଇଛନ୍ତି।