Odiapua.com

କେନ୍ଦୁଝର : ହାତୀ ମୃତ୍ୟୁ ଘଟଣାରେ ରେଞ୍ଜର ଏବଂ ଫରେଷ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ

କେନ୍ଦୁଝର, ୭ ମେ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଚମ୍ପୁଆ ରେଞ୍ଜ ବାମେବାରୀ ଫରେଷ୍ଟ ସେକ୍ସନ କାଶିଆ ଖେସରା ଜଙ୍ଗଲରେ ଏକ ହାତୀ ମୃତ୍ୟୁ ଘଟଣାରେ କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀ ଚମ୍ପୁଆ ରେଞ୍ଜର, ବାମେବାରୀ ଫରେଷ୍ଟର ଏବଂ ମଲଦା ବିଟ୍ ଫରେଷ୍ଟ ଗାର୍ଡଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରିଛନ୍ତି। କାଶିଆ ଖେସରା ଜଙ୍ଗଲରେ ଏକ ହାତୀ ୧ ମାସରୁ ଉର୍ଦ୍ଧ ସମୟ ଧରି ମରିପଡିବା ଘଟଣାରେ ବନ ବିଭାଗର କୌଣସି କର୍ମଚାରୀ ଜାଣି ନପାରିବା ଘଟଣାରେ ବନ କର୍ମଚାରୀଙ୍କ ଦାୟିତ୍ୱ ହୀନତାକୁ ପଦାରେ ପକାଇଛି। ସ୍ଥାନୀୟ ଲୋକ ଜଙ୍ଗଲକୁ ଶାଳ ପତ୍ର ସଂଗ୍ରହ କରିବାକୁ ଯାଇଥିବାବେଳେ ଜଙ୍ଗଲରେ ହାତୀର ଏକ ଗଳିତ ମୃତ ଦେହ ପଡିଥିବା ନେଇ ଦେଖିବା ପରେ ବନ ବିଭାଗକୁ ଜଣାଇଥିଲେ। ଜଙ୍ଗଲରେ ଏକ ହାତୀ ମୃତ୍ୟୁ ଘଟଣା ଜାଣିବା ପରେ ଗତ ୫ ତାରିଖ ଦିନ କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀ ଏବଂ ଏସିଏଫ୍ ଅଜୟ କୁମାର ସାହୁ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିଥିଲେ। ଚମ୍ପୁଆ ରେଞ୍ଜର କାଶିଆ ଖେସରା ଜଙ୍ଗଲ ମଧ୍ୟରେ ହାତୀର ଗଳିତ ମୃତଦେହ ଜଙ୍ଗଲ ମଧ୍ୟରେ ବିକ୍ଷିପ୍ତ ହୋଇ ପଡିଥିବା ବେଳେ ହାତୀର ହାଡ ଏବଂ ଚମଡା ସଂଗ୍ରହ କରାଯାଇ ଡିଏନଏ ଟେଷ୍ଟ ପାଇଁ ଡେରାଡୁନ ସ୍ଥିତ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ପଠାଯାଇଛି।

ଡିଏନ୍‌ଏ ପରୀକ୍ଷା ପରେ ହାତୀଟି ଅଣ୍ଡିରା କି ମାଈ ଜଣାପଡିବ ଏବଂ ଏହାର ବୟସ କେତେ ଥିଲା ଜଣାପଡିବ ବୋଲି ଏ.ସି.ଏଫ୍ ଅଜୟ କୁମାର ସାହୁ ସୂଚନା ଦେଇଛନ୍ତି। ଦାନ୍ତ ନେବା ପାଇଁ ଦନ୍ତାହାତୀକୁ ହତ୍ୟା କରାଯାଇଛି କି ନାହିଁ ସେ ଦିଗରେ ମଧ୍ୟ ତଦନ୍ତ କରାଯିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

ଜଙ୍ଗଲ ଏବଂ ବନ୍ୟ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ସ୍ୱାର୍ଡ ଏବଂ ପେଟ୍ରୋଲିଂ ଗାଡି ଯୋଗାଇ ଦିଆଯାଇଥିବା ସତ୍ୱେ ଏହି ଅଞ୍ଚଳରେ ଜଙ୍ଗଲ ନଷ୍ଟ ହେବା ଏବଂ ଜଙ୍ଗଲ ଜୀବଜନ୍ତୁ ମରିବା ଘଟଣା ବନ କର୍ମଚାରୀଙ୍କ ଦାୟିତ୍ୱହୀନତାକୁ ନେଇ ଚର୍ଚ୍ଚା ଜୋରଧରିଛି ଏବଂ ବନ ବିଭାଗ ସାଧାରଣରେ ସମାଲୋଚିତ ହେଉଛି। ଚମ୍ପୁଆ ରେଞ୍ଜର କାଶୀନାଥ ହେମ୍ବ୍ରମ, ବାମେବାରୀ ଫରେଷ୍ଟର ଯତିନ୍ଦ୍ର ସାହୁ ଏବଂ ମଲଦା ବିଟର ଫରେଷ୍ଟ ଗାର୍ଡ ହୃଷିକେଶ ପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇ ୭ ଦିନ ମଧ୍ୟରେ ଉତର ଦେବାକୁ କୁହାଯାଇଛି।