Odiapua.com

କେନ୍ଦୁଝର : ଶିକ୍ଷକଙ୍କୁ କରୋନା ଯୋଦ୍ଧା ଘୋଷଣା କରିବାକୁ ଦାବୀ କଲା କେନ୍ଦୁଝର ଓଷ୍ଟା

କେନ୍ଦୁଝର, ୧୬ ମଇ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କରୋନା ଦ୍ୱିତୀୟ ଲହରର ଭୟାବହତା ବଢିବାରେ ଲାଗିଛି। ଇତି ମଧ୍ୟରେ ସରକାରଙ୍କ ପକ୍ଷରୁ ସମାଜର ଅନେକ ବର୍ଗଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇଥିବା ବେଳେ ଶିକ୍ଷକ ବର୍ଗଙ୍କୁ ଏଥିରେ ଅଦ୍ୟବଧି ସାମିଲ କରାଯାଇନାହିଁ। ସରକାର ଲକ୍ଡାଉନ୍, ସଟ୍ଡାଉନ୍, ବ୍ୟାପକ ପରୀକ୍ଷଣ, ଟୀକାକରଣ ସାଙ୍ଗକୁ ପ୍ରତ୍ୟହ ବିଭିନ୍ନ ମାଧ୍ୟମରେ ସଚେତନତା ବାର୍ତା ଦେଉଥିବା ବେଳେ ଶିକ୍ଷକ ତଥା କର୍ମଚାରୀମାନଙ୍କ ଉପରେ ବିଭିନ୍ନ ପ୍ରକାର କାର୍ଯ୍ୟଭାର ଲଦି ଦେଇ ସେମାନଙ୍କ ଜୀବନକୁ ସଂକଟ ମୁଖକୁ ଠେଲି ଦେଉଛନ୍ତି ବୋଲି ଓଷ୍ଟା କେନ୍ଦୁଝର ମତପୋଷଣ କରିଛି। ଏହି ଘଡିସନ୍ଧି ମୁହୁର୍ତରେ ମଧ୍ୟ ଶିକ୍ଷକମାନେ ଦଶମ ଶ୍ରେଣୀ ପରୀକ୍ଷା ଫଳ ସମ୍ବନ୍ଧୀୟ କାର୍ଯ୍ୟ, ନିଜ ବିଦ୍ୟାଳୟରୁ ବିଦ୍ୟାଳୟ ଯିବା ଆସିବା, ନାମଲେଖା, ଚାଉଳ, ଔଷଧ ବଟଂନ, ପୋଷାକ ବିତରଣ ଠାରୁ ଆରମ୍ଭ କେରି ବହିପତ୍ର ପ୍ରଦାନ ତଥା ବୋର୍ଡ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶମତେ ବିଭିନ୍ନ କାର୍ଯ୍ୟ କରି ଆସୁଛନ୍ତି। ଏବେ ପୁଣି ଗତବର୍ଷ ମୁଖ୍ୟମନ୍ତ୍ରୀ ସାଇକେଲ ଯୋଜନାରେ ଅନ୍ତର୍ଭୁକ୍ତ ଛାତ୍ରଛାତ୍ରୀଙ୍କ ମୋବାଇଲ ନମ୍ବର ଗୋଟିଏ ଦିନରେ ଦେବାକୁ ନିର୍ଦ୍ଦେଶ ଶିକ୍ଷକଙ୍କ ଦୁର୍ଦ୍ଦଶାକୁ ବଢାଇ ଦେଇଛି। ବାଧ୍ୟ ହୋଇ ମୋବାଇଲ ନମ୍ବର ସଂଗ୍ରହ ପାଇଁ ଶିକ୍ଷକ ତଥା କର୍ମଚାରୀ ଘରକୁ ଘର ବୁଲିବାକୁ ପଡୁଛି। ଶିକ୍ଷକମାନେ ଜୀବନକୁ ବାଜି ଲଗାଇ ସରକାରଙ୍କ ସମସ୍ତ ନିର୍ଦ୍ଦେଶ ଯଥା ରେଳଷ୍ଟେସନରୁ ମଶାଣି ଯାଏ ସମସ୍ତ କାମ ଠିକ୍ ସମୟରେ ପାଳନ କରୁଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରାନଯିବା ପରିତାପର ବିଷୟ। କୌଣସି ସୁରକ୍ଷା କିଟ୍ ପ୍ରଦାନ କରାଯାଉନାହିଁ କିମ୍ବା ଟୀକାକରଣରେ ପ୍ରାଧାନ୍ୟ ଦିଆଯାଉନାହିଁ। ଫଳତଃ ଦୈନିକ କରୋନାଜନିତ ଶିକ୍ଷକ ମୃତ୍ୟୁ ବଢିବାରେ ଲାଗିଛି। ତେଣୁ ଓଷ୍ଟା , କେନ୍ଦୁଝର ଉଦ୍ବେଗ ପ୍ରକାଶ କରିବା ସଂଗେ ସଂଗେ ଶିକ୍ଷକମାନଙ୍କୁ ଅଗ୍ରାଧିକାର ଭିତିରେ କରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ତଥା ସୁରକ୍ଷା ସରଞ୍ଜାମ ଯୋଗାଣ ଓ ଟୀକାକରଣରେ ପ୍ରାଧାନ୍ୟ ଦେବାକୁ ସର୍ବଶ୍ରୀ ଶାନ୍ତନୁ କୁମାର ମିଶ୍ର, ପୁଷ୍ପାଞ୍ଜଳି ମିଶ୍ର, ରଘୁନାଥ ବେହେରା, କ୍ଷୀରୋଦ କୁମାର ରାଉତ, କାଶୀନାଥ ମହାନ୍ତ, ସଚ୍ଚିଦାନନ୍ଦ ସାହୁ, ଜ୍ଞାନେନ୍ଦ୍ର କୁମାର ଦେଓ, ଭିକାରି ଚରଣ ସାହୁ, କାହ୍ନୁଚରଣ ସାମଲ, ପ୍ରଶାନ୍ତ କୁମାର ମିଶ୍ର, ରବିନାରାୟଣ ସାହୁ ପ୍ରମୁଖ ସରକାରଙ୍କ ନିକଟରେ ଦୃଢ ଦାବୀ କରିଛନ୍ତି।