Odiapua.com

କେନ୍ଦୁଝର ଭଳି ଧନୀ ଜିଲ୍ଲାରେ ବିକାଶର ବିକଳ ଚିତ୍ର : ଅର୍ଦ୍ଦାହାର, ଅନାହାରରେ ଦୁର୍ବିସହ ଜୀବନ ବିତାଉଛନ୍ତି ଆଦିବାସୀ ପ୍ରଜା : ନିଦାବିଷ୍ଣୁ ଭୁମିକାରେ ପ୍ରଶାସନ

କେନ୍ଦୁଝର, ୧୩ ଜୁନ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଧନୀ ଜିଲ୍ଲା ଭାବେ ଗଣା ହେଉଛି କେନ୍ଦୁଝର। କିନ୍ତୁ ସ୍ୱାଧିନତାର ଦୀର୍ଘ ପ୍ରାୟ ୭୩ ବର୍ଷ ପରେ ମଧ୍ୟ ଏହି ଧନୀ ଜିଲ୍ଲାରେ ଦେଖିବାକୁ ମିଳୁଛି ଭଳିକିଭଳି ବିକାଶର ବିକଳ ଚିତ୍ର। ଯାହା ପ୍ରତ୍ୟେକ ଲୋକକୁ କେବଳ ବିଚଳିତ କରିବ ନାହିଁ ବଂର ଅଧିକନ୍ତୁ ଲଜ୍ଜାରେ ମୁଣ୍ଡ ନୁଆଇଁ ଆଣିବ। ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାର ମାଟିର ସନ୍ତାନ, ଆଦିବାସୀ ପ୍ରଜା ଆଜି ବି ଅର୍ଦ୍ଦାହାର ଓ ଅନାହାର ମଧ୍ୟରେ ବଂଚିବା ଲାଗି ସଂଗ୍ରାମ କରୁଛି ଏଠାରେ। ଏହାଠାରୁ ବଳି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଜିଲ୍ଲା ପାଇଁ କଣ ବା ହୋଇପାରେ।

ଦାରିଦ୍ର ସୀମାରେଖାର ନିର୍ଦ୍ଦିଷ୍ଟ ସରକାରୀ ଗାଇଡଲାଇନନୁଯାୟୀ ଏହାର ସୀମାରେଖା ତଳେ ରହିଥିବା ସମାଜର ଦଳିତ ଅବହେଳିତ ଗରୀବ ପରିବାରବର୍ଗଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା। କିନ୍ତୁ ସଂପୃକ୍ତ ଲୋକାଭିମୁଖୀ ଯୋଜନା ଗୁଡିକ ଯେ ଆଜି ବି ଉର୍ଦ୍ଦିଷ୍ଟ ବର୍ଗର ଲୋକମାନଙ୍କ ଠାରୁ ବହୁଦୂରରେ ତାହାର ନିଛକ ଚିତ୍ର ଦେଖିବାକୁ ମିଳିଛି ଝୁମ୍ପୁରା ବ୍ଳକ ଅଂଚଳରେ। ଯାହାକି ଜିଲ୍ଲା ପ୍ରଶାସନିକ ବ୍ୟବସ୍ଥାର ସ୍ଥାଣୁତା ଓ ଅପାରଗତାକୁ ସ୍ପଷ୍ଟ କରିଛି। ଅବଶ୍ୟ ଏହାକୁ ଭାତହାଣ୍ଡିରୁ ଗୋଟିଏ ବୋଲି କୁହାଯାଇପାରେ।

ଝୁମ୍ପୁରା ବ୍ଲକର ବାଲିବନ୍ଧ ଗ୍ରାମ ପଂଚାୟତ ଅନ୍ତର୍ଗତ କାଶିପାଳ ଗ୍ରାମର ଛୁଟୁ ସାହି। ଛୁଟୁ ସାହିର ଜଙ୍ଗଲ ପାର୍ଶ୍ୱକୁ ରୁହନ୍ତି ୨୫ଟି ଆଦିବାସୀ ପରିବାରର ୧୦୦ରୁ ଉର୍ଦ୍ଧ ସଦସ୍ୟ। ଅତୀବ ଦୁସ୍ଥ ଜୀବନ ନିର୍ବାହ କରୁଥିବା ଏହି ଆଦିବାସୀ ପରିବାର ବଂଚିବା ଲାଗି ଅହରତ ସଂଗ୍ରାମରତ। ସରକାରୀ ଅଧିକାରୀଙ୍କ ପାଦ ପ୍ରାୟତଃ ପଡେନାହିଁ ଏହି ଗ୍ରାମରେ। ଏମାନଙ୍କର ଘର କହିଲେ ଭଙ୍ଗା ଚାଳ ଛପର ନୁଆଁଣିଆ ପଲଥିନ ଢଙ୍କା ଘର। ବର୍ଷା ହେଲେ ଘରଭିତରେ ଆଣ୍ଠୁଏ ପାଣି ସଙ୍ଗକୁ ଦିନବେଳା ସୂର୍ଯ୍ୟ ଓ ରାତିରେ ତାରାଙ୍କର ପ୍ରକୋପ ରହିଥାଏ। ସରକାରୀ ଆବାସ ଯୋଜନା ଏମାନଙ୍କ ପାଇଁ ସାତ ସପନ। ଘର ଖଣ୍ଡିଏ ପାଇଁ ବାରମ୍ବାର ନେହୁରା ହେବାପରେ ବ୍ଲକ ପ୍ରଶାସନର କୃପାରୁ କେତେକଙ୍କୁ ୪ ଡିସିମିଲ ଜମି ମିଳିଥିଲେ ମଧ୍ୟ ଚିହ୍ନଟ କରାଯାଇ ଦଖଲ କିମ୍ବା ପଟ୍ଟା ଦିଆଯାଉନାହିଁ। ସୌଭାଗ୍ୟ ଯୋଜନାରେ ୨ବର୍ଷ ପୂର୍ବେ ବିଜୁଳି ଖୁଣ୍ଟ ପୋତା ଯାଇଛି ସତ ହେଲେ ବିଦ୍ୟୁତ ସଂଯୋଗ ଦିଆଯାଇନାହିଁ। ସ୍ୱାସ୍ଥ୍ୟସେବା ଏମାନଙ୍କ ପାଇଁ ଅପହଁଚ ଥିବାବେଳେ ଶିଶୁମାନେ ଅପପୁଷ୍ଟିର ଶିକାର। କହିବାକୁ ଗଲେ ସ୍ୱାଧୀନ ଭାରତବର୍ଷରେ ଏମାନେ ସର୍ବନିମ୍ନ ମୌଳିକ ସୁବିଧାରୁ ବଂଚିତ।

‘ୟାସ’ ବାତ୍ୟା ସମୟରେ ଆର.ଆଇ ଗୋଟିଏ ପଲଥିନକୁ ଦୁଇଖଣ୍ଡ କରି ଏମାନଙ୍କୁ ଧରାଇଦେଇ କାମସାରିଦେଲେ। ଗୋଟିଏ ଦିନର ରନ୍ଧାଖାଦ୍ୟ ଦେଇ ମୁହଁ ମୋଡିନେଲେ ବି.ଡି.ଓ। ଦୁଇଦିନ ସଂପୂର୍ଣ୍ଣ ଅନହାରରେ ରହିବାକୁ ପଡିଥିଲା ଏମାନଙ୍କୁ। ଅର୍ଦ୍ଧାହାର ଓ ଅନାହାରରେ ରହୁଥିବା ଏହି ଅସହାୟନିରାଶ୍ରୟଙ୍କ ଅବସ୍ଥାକୁ ପ୍ରଶାସନର ଅଣଦେଖା ମନୋଭାବ ଦୁଖଃ ଦେଇଥିବା କହିଛନ୍ତି ନବ ତନ୍ତି, ପ୍ରକାଶ ବେଣ୍ଟକାର, ବୁଲୁ ବେଣ୍ଟକାର ସଞ୍ଜୟ ବେଣ୍ଟକାର ପ୍ରମୁଖ।

ଏମାନଙ୍କର ଦୟନୀୟସ୍ଥିତି କେତେକ ସାମ୍ବାଦିକଙ୍କର ଦୃଷ୍ଟିକୁ ଆସିବାପରେ ସ୍ୱେଛାସେବୀ ସଂଗଠନଙ୍କ ସହାୟତାରେ ସେମାନେ ପ୍ରଥମେ ୧୫ ଦିନର ରେସନ ସହ ଶୁଖିଲା ଖାଦ୍ୟ ସେମାନଙ୍କ ନିକଟରେ ପହଂଚାଇଥିଲେ। ଗଣମାଧ୍ୟମରେ ଖବରପ୍ରକାଶ ପରେ କେନ୍ଦୁଝର ଜିଲା ଭାଜପା ସଭାପତି ଅଂଶୁମାନଙ୍କ ନେତୃତ୍ୱରେ ଭାଜପାର କର୍ମକର୍ତାମାନେ ପହଂଚି ସେମାନଙ୍କୁ ମାସ୍କ, ପଲିଥିନ, ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ପରେପରେ ରାଷ୍ଟ୍ରିୟ ଅନୁସୂଚିତ ଜନଜାତି ଆୟୋଗଙ୍କ ସଦସ୍ୟ ଅନନ୍ତ ନାଏକ ପ୍ରମୁଖ ପହଂଚିବା ପରେ କୁଆଡେ ପ୍ରଥମ ଥର ପାଇଁ ପ୍ରଶାସନ ଅଧିକାରୀଙ୍କର ପାଦ ପଡିଥିଲା ଗ୍ରାମରେ ଏବଂ ବିଭିନ୍ନ ସରକାରୀ ଯୋଜନାରେ ସେମାନଙ୍କୁ ସାମିଲ କରିବାକୁ ଦେଖାଇଥିଲେ ଆଗ୍ରହ। କିନ୍ତୁ ଏଭଳି ଘଟଣାରେ ଉତ୍ତରଦାୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ସରକାରଙ୍କ ସ୍ୱଛ ବ୍ୟବସ୍ଥା ପ୍ରତି ଉପହାସ ନୁହେଁକି ? ଜିଲ୍ଲାର ଭାଗ୍ୟବିଧାତା ସାଜିଥିବା ଏହି କର୍ଣ୍ଣଧାର ପ୍ରଶାସନ ହାତରେ ଜିଲ୍ଲାବାସୀଙ୍କ କେତେଦୂର ସୁରକ୍ଷିତ ତାହା ଅବଶ୍ୟ ବିଚାର୍ଯ୍ୟର ବିଷୟ ବୋଲି ପ୍ରଶ୍ନ ଉଠାଇଛନ୍ତି ସଚେତନ ନାଗରିକମାନେ ? ସରକାର ଏଦିଗରେ ଗୁରୁତର ସହ ବିଚାର କରିବା ଆବଶ୍ୟକ ରହିଛି।