Odiapua.com

କେନ୍ଦୁଝର: ବନ୍ଧୁକ ମୁନରେ ଯୁବତୀ ଅପହରଣ: ଆଇନଶୃଙ୍ଖଳା ଉପରେ ଉଠିଲା ପ୍ରଶ୍ନ

କେନ୍ଦୁଝର, ୧୫ ଜୁଲାଇ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ବନ୍ଧୁକ ମୁନରେ ଜଣେ ଯୁବତୀକୁ ତାର ଘରୁ ଅପହରଣ କରି ନିଆଯାଇଥିବା ଭଳି ଘଟଣା ଲୋକଲୋଚନକୁ ଆସିବା ପରେ ତାହା ପୋଲିସର ପାରିବାପଣିଆ ଉପରେ ସ୍ୱଭାବିକ ଭାବେ ପ୍ରଶ୍ନ ଚିହ୍ନ ଲାଗିଛି। ଏଭଳି ଲଜ୍ୟାଜନକ ଘଟଣା ଚମ୍ପୁଆ ଉପଖଣ୍ଡ ଅଞ୍ଚଳରେ ଘଟିଛି। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ନାରଦପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ପରିବାର ସଦସ୍ୟ ମାନଙ୍କୁ ଭୟଭୀତ କରି ଜଣେ ଯୁବକ ଅପହରଣ କରିନେଇଥିବା ସଂପର୍କରେ ଚମ୍ପୁଆ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନାନୁସାରେ ଜିଲ୍ଲାର ଝୁମ୍ପୁରା ବ୍ଲକର ନାରଦପୁର ଅଞ୍ଚଳର ଜନୈକ ବ୍ୟକ୍ତିଙ୍କର ଝିଅକୁ ଯୋଡା ଅଞ୍ଚଳର ଜଣେ ଯୁବକ ପ୍ରଥମେ ଗତ ୨୦୧୯ ବର୍ଷର ମେ ମାସ ୨୫ ତାରିଖ ଘରୁ ଅପହରଣ କରି ନେଇଯାଇଥିଲା ଏବଂ ଝିଅର ବାପା ମଧ୍ୟ ସେହି ଦିନ ଚମ୍ପୁଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଝିଅର ବାପାର ଏତଲା ଭିତିରେ ଚମ୍ପୁଆ ପୋଲିସ ବିଭନ୍ନ ସ୍ଥାନ ଚଢାଉକରି ସଂପୃକ୍ତ ଅପହରଣକାରୀ ଯୁବକଙ୍କୁ ଗିରଫ କରିବା ସହ ଝିଅକୁ ଉଦ୍ଧାର କରି ବାପାକୁ ହସ୍ତାନ୍ତର କରିଥିଲେ। ସେତେବେଳେ ଅବଶ୍ୟ ଝିଅଟି ନାବାଳିକା ଥିଲା। କିନ୍ତୁ ଯୁବକ ଜଣଙ୍କ ଜେଲରୁ ଫେରିବା ପରେ ଚଳିତ ଜୁଲାଇ ମାସ ୧୩ ତାରିଖ ସୋମବାର ଦିନ ରାତ୍ରିରେ ପୁନର୍ବାର ବନ୍ଧୁକ ମୁନରେ ପରିବାର ସଦସ୍ୟଙ୍କୁ ଭୟଭୀତ କରି ଯୁବତୀଙ୍କୁ ଅପହରଣ କରିନେଇଥିଲା। ଫଳରେ ଯୁବତୀର ବାପା ସେହିଦିନ ରାତ୍ରିରେ ଥାନାରେ ଏତଲା ଦେଇଥିଲେ। ଏବଂ ପୋଲିସ ମଧ୍ୟ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏ ସମ୍ବନ୍ଧରେ ଥାନା ପକ୍ଷରୁ ୧୦୧/୨୦୨୦ ରେ ମାମଲା ଦାୟର କରାଯାଇ ଭାରତୀୟ ଦଣ୍ଡବିଧି ଆଇନ ଧାରା ୪୫୮, ୩୬୫, ୫୦୬, ୩୭୯, ୩୨୩, ୩୪ଆପିସି, ୨୫/୨୭ ଅସ୍ତ୍ର ଶସ୍ତ୍ର ନିରୋଧି ଆଇନ ମାମଲା ଦାୟର ହୋଇଛି। ଚମ୍ପୁଆ ଥାନା ସବ୍‌ଇନିସ୍ପେଟକ୍ଟର ଶ୍ରୀ ସ୍ୱରୂପ ରଂଜନ ନାୟକ ଉକ୍ତ ମାମଲା ତଦନ୍ତ କରୁଥିବା ବେଳେ ଏହାର ଅପରାଧୀ ଖୁବ୍‌ଶୀଘ୍ର ଗିରଫ ହେବ ଏବଂ ପର୍ଦାଫାସ ହେବ ବୋଲି କହିଛନ୍ତି।