Odiapua.com

କେନ୍ଦୁଝର : ଧୀରେ ଧୀରେ ସ୍ୱାବଲମ୍ବୀ ହେଉଛନ୍ତି ଗ୍ରାମୀଣ ମହିଳା : ସହେଯାଗର ହାତ ବଢାଇଛି ଆଇ.ସି.ଆଇ.ସି.ଆଇ.ଫାଉଣ୍ଡେସନ

କେନ୍ଦୁଝର, ୯ ଫେବୃୟାରୀ ୨୦୨୦ (ଓଡ଼ିଆ ପୁଅ) କେନ୍ଦୁଝର ଜିଲ୍ଲାର ଗ୍ରାମୀଣ ମହିଳା ମାନେ ଧୀରେ ଧୀରେ ସ୍ୱାବଲମ୍ବୀ ହେଉଥିବା ବେଳେ ଏଥିରେ ସହଯୋଗର ହାତ ବଢାଇଛନ୍ତି ଆଇ.ସି.ଆଇ.ସି.ଆଇ ଫାଉଣ୍ଡେସନ। ଆଇ.ସି.ଆଇ.ସି.ଆଇ. ବ୍ୟାଙ୍କ ତାର ସାମାଜିକ ଦାୟିତ୍ୱବୋଧକୁ ତୁଲାଇବାକୁ ଯାଇ ଆଇ.ସି.ଆଇ.ସି.ଆଇ.ଫାଉଣ୍ଡେସନ ମାଧ୍ୟମରେ କେନ୍ଦୁଝର ଜିଲ୍ଲାରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଯାହା ମଧ୍ୟରେ ରହିଛି ଛତୁ ଚାଷ, ଛେଳି ଚାଷ ଭଳି ଅନେକ ଲାଭଜନକ କାର୍ଯ୍ୟକ୍ରମ।

ଇତି ମଧ୍ୟରେ ଗୌରୀ ଶଙ୍କର ପାଢୀଙ୍କର ମାର୍ଗ ଦର୍ଶନରେ ରାଜୀବ କୁମାର ମହାନ୍ତଙ୍କର ସହାୟତାରେ ଫାଉଣ୍ଡେସନ ପକ୍ଷରୁ କେନ୍ଦୁଝର ଜିଲ୍ଲା ସଦର ବ୍ଳକ ମହାଦେଇଯୋଡା ପଞ୍ଚାୟତ ଅନ୍ତର୍ଗତ ଡାଳିମାପୁର, ମଦରଙ୍ଗାଯୋଡି, ନାଉପଦା ଏବଂ ବରଦାପାଳ ପଞ୍ଚାୟତ ଅନ୍ତର୍ଗତ ବରଦାପାଳ ଗ୍ରାମରେ ଛତୁଚାଷ ସଂପର୍କରେ ତାଲିମ ଦିଆଯାଇଥିଲା। ପର୍ଯ୍ୟାୟକ୍ରମେ ସାତ ଦିନ ବ୍ୟାପି ଆୟୋଜିତ ଏହି ତାଲିମ ଶିବିରରେ ପ୍ରାୟ ୧୨୦ ଜଣ ଅଂଶ ଗ୍ରହଣ କରିଥିବା ବେଳେ ଦକ୍ଷ ପ୍ରଶିକ୍ଷକ ଶରତ ଚନ୍ଦ୍ର ଦାସଙ୍କର ଦ୍ୱାରା ତାଲିମ ଦିଆ ଯାଇଥିଲା।

ପ୍ରଶିକ୍ଷକ ଶରତ ଚନ୍ଦ୍ର ଦାସଙ୍କ ତତ୍ୱାବଧାନରେ ବୈଜ୍ଞାନିକ ପ୍ରଣାଳୀରେ ଛତୁ ଚାଷ କରି କିପରି ଅଧିକ ଅମଳ କରାଯାଇ ପାରିବ ସେ ସଂପର୍କରେ ତାଲିମ ଦିଆଯାଇଥିଲା। ଫଳରେ ସଂପୃକ୍ତ ଅଞ୍ଚଳର ମହିଳାମାନେ ଏବେ ପ୍ରାୟ ୨୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି। ଯାହାକି ସେମାନଙ୍କର ଆର୍ଥିକ ମାନଦଣ୍ଡ ସୁଦୃଢ କରିବାରେ ସହାୟକ ହୋଇପାରିବ। କେବଳ ଏତିକି ନୁହେଁ ଆଗାମୀ ଦିନରେ ଏହା ବଢିବା ସଂପର୍କରେ ସେମାନେ ଯଥେଷ୍ଟ ଆଶାବାଦୀ ବୋଲି କହିଛନ୍ତି। ଇତି ମଧ୍ୟରେ ସଂପୃକ୍ତ ଗ୍ରାମ ମାନଙ୍କରେ ଅଧିକରୁ ଅଧିକ ପୁରୁଷ ଓ ମହିଳା ଛତୁ ଚାଷ ପାଇିଂ ଆଗ୍ରହ ପ୍ରକାଶ କରୁଥିବା ଲକ୍ଷ୍ୟ କରାଯାଉଛି।

ଛତୁର ଉତ୍ପାଦନ ପରିମାଣ ଅଧିକ ବଢିଲେ ଫାଉଣ୍ଡେସନ ପକ୍ଷରୁ ମାର୍କେଟିଂ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଗୌରୀ ଶଙ୍କର ପାଢୀ।ଇତି ମଧ୍ୟରେ ଶୁଭଶ୍ରୀ ମହାନ୍ତ, ଅଜଂନ ଖୁଟିଂଆ, କୁନ୍ତଳା ମହାନ୍ତ, ସଯୁଂକ୍ତା ଖୁଟିଂଆ ପ୍ରମୁଖ ଅନେକ ମହିଳା ଛତୁ ଚାଷ କରି ଆତ୍ମନିର୍ଭରଶୀଳ ହେବା ଆରମ୍ଭ କରିଛନ୍ତି। ଏବଂ ଏଥିରେ ଅନୁପ୍ରାଣୀତ ହୋଇ ନିକଟବର୍ତି ଅଞ୍ଚଳର ଅନେକ ମହିଳା ଓ ପୁରୁଷ ଏ ଦିଗରେ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି।