Odiapua.com

କେନ୍ଦୁଝର: ଧାର୍ମିକ ଅନୁଷ୍ଠାନ ପରେ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଖୋଲିବାର ନିଷ୍ପତି କେବେ?

କେନ୍ଦୁଝର, ୮-୧ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ରାଜ୍ୟର ଅନେକ ଜିଲ୍ଲାରେ ଧାର୍ମିକ ଅନୁଷ୍ଠାନ ସହ କେତେକ ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳୀ ମଧ୍ୟ ଖୋଲି ଯାଇଥିବା ବେଳେ, ଇତି ମଧ୍ୟରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ କୋଭିଡ -୧୯ର ଗାଇଡ ଲାଇନ ଅନୁପାଳନ କରି ଚଳିତ ମାସ ୭ ତାରିଖରେ ଜିଲ୍ଲାରେ ଧାର୍ମିକ ଆନୁଷ୍ଠାନ ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ ଆଦି ଖୋଲିବା ସଂପର୍କିୟ ନିଷ୍ପତି ଘୋଷଣା କରିବା ପରେ ଦୀର୍ଘ ମାସ ପରେ ଜିଲ୍ଲାର ଧାର୍ମିକ ଅନୁଷ୍ଠାନ ଖୋଲିଛି। ଫଳରେ ଶ୍ରଦ୍ଧାଳୁ ମାନଙ୍କ ସହ ପୂଜକ ମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। କିନ୍ତୁ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଗୁଡିକ କେବେ ଖୋଲିବ ସେ ସଂପର୍କରେ ଅଦ୍ୟବଧି କୌଣସି ସୂଚନା ଦେଇ ନାହାଁନ୍ତି। ଫଳରେ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ସବୁ ଖୋଲିବାକୁ ନେଇ ଏବେ ବି ସାଧାରଣରେ ଦ୍ୱନ୍ଦ ଲାଗି ରହିଛି। ଇତି ମଧ୍ୟରେ ଦୋକାନ ବଜାର ଠାରୁ ସମସ୍ତ ଅନୁଷ୍ଠାନ, କାର୍ଯ୍ୟାଳୟ ଆଦି ସବୁ କିଛି ଖୋଲିବା ପରେ ମନ୍ଦିର, ମସ୍‌ଜିଦ ଆଦି ସମସ୍ତ ଧାର୍ମିକ ଅନୁଷ୍ଠାନ ମଧ୍ୟ ଖୋଲିବା ନିଷ୍ପତି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି। ଦୀର୍ଘ ମାସ ପରେ ରାଜ୍ୟରେ କରୋନା ମୃତ୍ୟୁ ନଥିବା ସଂପର୍କରେ ସରକାରଙ୍କ ପକ୍ଷରୁ ସୂଚନା ଦିଆ ଯାଇଥିବା ବେଳେ କେନ୍ଦୁଝର ଜିଲ୍ଲାରେ କରୋନା ସଂକ୍ରମଣ ମଧ୍ୟ କମିବାରେ ଲାଗିଛି। ଏଭଲି ସ୍ଥିତିରେ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଖୋଲିବା ବାବଦରେ ସାଧାରଣଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇବା ସ୍ୱଭାବିକ। କିନ୍ତୁ ଅଦ୍ୟବଧି ପର୍ଯ୍ୟଟନସ୍ଥଳୀ ଗୁଡିକ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯିବାରେ ବିଳମ୍ବକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କୋଭିଡ ପାଇିଁ ଦୀର୍ଘମାସ ହେବ ପର୍ଯ୍ୟଟନ ସ୍ଥଳୀ ଗୁଡିକ ବନ୍ଦ ହୋଇଯିବା ଯୋଗୁଁ ସେଗୁଡିକ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ସେହି ଗରୀବ ଲୋକମାନେ ଅନେକ ସମସ୍ୟା ମଧ୍ୟରେ ଗତି କରୁଛନ୍ତି। ଅନ୍ୟ ପକ୍ଷରେ କୋଭିଡ କାରଣରୁ ଦୀର୍ଘମାସ ହେବ ସମସ୍ତେ ମାନସିକ ଚାପଗ୍ରସ୍ତ ଥିବା ବେଳେ ସେ ଚାପରୁ ଏବେ ବି ସଂପୁର୍ଣ୍ଣ ମୁକୁଳି ପାରି ନାହାଁନ୍ତି। ଯେଉଁଥି ପାଇିଁ ସେହି ଚାପଗ୍ରସ୍ତ ମନକୁ ଟିକିଏ ହାଲୁକା କରିବା ପାଇିଂ କେନ୍ଦୁଝର ଭଳି ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଶୋଭାରାଜି ପରିବେଷ୍ଟିତ ପର୍ଯ୍ୟଟନ ସ୍ଥଳୀ ପ୍ରକୃଷ୍ଠ ସ୍ଥାନ ବୋଲି ଅନେକ ମତ ରଖୁଥିବା ବେଳେ ସେଠାରେ କିଛି ସମୟ କଟାଇବାକୁ ଅଧିକ ଆଗ୍ରହ ପ୍ରକାଶ ପାଇବା ସ୍ୱଭାବିକ। ରାଜ୍ୟର ଅନେକ ସ୍ଥାନରେ ଧର୍ମାନୁଷ୍ଠାନ ସହ ପର୍ଯ୍ୟଟନ ସ୍ଥଳୀ ଖୋଲିଯାଇଥିବା ବେଳେ କେନ୍ଦୁଝର ଜିଲ୍ଲାରେ ଶିଘ୍ର ଖୋଲିବା ଦିଗରେ ଜିଲ୍ଲା ପ୍ରଶାସନ ଗୁରୁତର ସହ ବିଚାର କରିବା ସପକ୍ଷରେ ବହୁଳ ମତ ପ୍ରକାଶ ପାଉଛି। ଅନ୍ୟ ପକ୍ଷରେ କେନ୍ଦୁଝର ଜିଲ୍ଲାରେ ମକର ପର୍ବ ଏକ ଗଣ ପର୍ବ ହୋଇଥିବା ଏବଂ ଏଥିରେ ମା ତାରେଣୀଙ୍କ ଦର୍ଶନ ଓ ଆଶିଷ ଭିକ୍ଷା ଅଧିକ ଗୁରୁତ୍ୱ ବହନ କରୁଥିବା କାରଣରୁ ଅଧିକ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ କରି ମା ତାରେଣୀଙ୍କ ମନ୍ଦିର ଖୋଲିବା ବିଳମ୍ବକୁ ନେଇ ଅସନ୍ତୋଷ ମଧ୍ୟ ଲାଗି ରହିଛି। ଧାର୍ମିକ ଅନଷ୍ଠାନ ଖୋଲିବାକୁ କୋଭିଡ ନିୟମ ଅନୁପାଳନ ବାଧ୍ୟତା ମୂଳକ ବୋଲି କୁହାଯିବା ସହ ଏହାର ଖିଲାପ କରାଗଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏବଂ ସଂପୃକ୍ତ ଧାର୍ମିକ ସ୍ଥଳୀକୁ ବନ୍ଦ କରି ଦିଆଯିବ ବୋଲି ଘୋଷଣା କରାଯାଇଛି ସତ କିନ୍ତୁ କୋଭିଡ ନିୟମ ଅନୁପାଳନ ହେଉଛି କି ନାହିଁ ତାହାକୁ କିଏ ଜଗିବ ଏବଂ କିଏ ସାର୍ଟଫିକେଟ ଦେବ ସେ ସଂପର୍କରେ କିଛି କୁହାଯାଇନି।