Odiapua.com

କେନ୍ଦୁଝର: ଧନୀ ଜିଲ୍ଲାର ଦୟନୀୟ ସ୍ଥିତି : ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର ଖଣ୍ଡିଏ : ପାଠ ପଢିବା ପାଲଟିଛି ସ୍ୱପ୍ନ: ବାଟବଣା ହୋଇଛି ସରକାରୀ ଯୋଜନା

କେନ୍ଦୁଝର, ୧୯ ଜୁଲାଇ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଭଳି ଏକ ଧନୀ ଜିଲ୍ଲାର ସ୍ଥିତି ଅତି ସଙ୍ଗୀନ। ରାଜକୋଷକୁ ସମୃଦ୍ଧ କରିବାର ଏହି କେନ୍ଦୁଝର ଜିଲ୍ଲାର ଏକ ପ୍ରମୁଖ ଭୁମିକା ରହିଛି। ଜିଲ୍ଲାର ମୂଲ୍ୟବାନ ଖଣିଜ ସଂପଦକୁ ଲିଜ ସୁତ୍ରରେ ନେଇ ଲକ୍ଷପତି ଲିଜଧାରୀ କୋଟିପତି ହେଉଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ସେମାନଙ୍କର ରାଜସ୍ୱ ଭରୁଛନ୍ତି। କିନ୍ତୁ ଜିଲ୍ଲାର ସେହି ଆଦିମ ଅଧିବାସୀ ଆଦିବାସୀ ପ୍ରଜା ଆଜି କେବଳ ଅବହେଳିତ ନୁହଁନ୍ତି ନିସହାୟ ମଧ୍ୟ। ତାଙ୍କ ଦୁଃଖ ଶୁଣିବାକୁ ଅଫିସର ବାବୁ ମାନଙ୍କର ଆଗ୍ରହ ନାହିଁ। ସରକାର ଯଦିଓ ସେହି ବର୍ଗର ଅବହେଳିତ ପ୍ରଜା ମାନଙ୍କୁ ଆର୍ଥିକ, ସାମାଜିକ, ଶିକ୍ଷା କ୍ଷେତ୍ରରେ ଉନ୍ନତି ସହ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଯୋଜନା ଉପରେ ଯୋଜନା କରୁଛନ୍ତି ସତ କିନ୍ତୁ ସେସବୁ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଫଳରେ ସେମାନଙ୍କ ଉନ୍ନତି ଧୂଆଁବାଣ ସଦୃଶ୍ୟ ହୋଇ ପଡିଛି। ସରକାରୀ ଯୋଜନା ଏଠା ଯେଭଳି ବାଟବଣା ହୋଇ ପଡିଛି। ଯାହାକି ଜିଲ୍ଲାର ଭାତହାଣ୍ଡିରୁ ଗୋଟିଏ ହେଉଛି ଚମ୍ପୁଆ ଅଞ୍ଚଳର ଆଦିବାସୀ ପ୍ରଜା ଟୁଟୁନା ମୁଣ୍ଡା ଓ ଶ୍ରୀକାନ୍ତ ମୁଣ୍ଡା। ଯେଉଁମାନେ ଏହି ଧନୀ ଜିଲ୍ଲାର ଗରୀବ ପ୍ରଜା। ଏହି ଧନୀ ଜିଲ୍ଲାର ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ବଡନଇଁ ଗ୍ରାମପଞ୍ଚାୟତର ଇଚିଣ୍ଡା ଗ୍ରାମର ଡମ୍ବରୁ ମୁଣ୍ଡାଙ୍କର ୧୨ ବର୍ଷର ପୁଅ ଟୁଟୁନ ମୁଣ୍ଡା। ନିରାଶ୍ରୟ ଟୁଟୁନା ଏବେ ତାର କାକା କାନ୍ଧରେ ବୋଝ ହୋଇଛି। ଗତ ୫ବର୍ଷ ତଳର କଥା ବାପା ମା’ଙ୍କ ସହ ସୁଖରେ ଚାଲିଥିବା ତାଙ୍କ ସଂସାର ଉପରେ ଆସିଲା ଝଡ। ବାପା ଡମ୍ବରୁ ମୁଣ୍ଡା ଶାରୀରିକ ଅସୁସ୍ଥତା କାରଣରୁ ମୃତ୍ୟୁ ସହ ଯୁଦ୍ଧ କରୁ କରୁ ହାରିଗଲା ଏବଂ ମୃତ୍ୟୁ ବରଣ କଲେ। ବାପ ଡମ୍ବରୁ ମୃତ୍ୟୁବରଣ କରିବାର ପ୍ରାୟ ୧ବର୍ଷ ପରେ ସ୍ତ୍ରୀ ମିନତି ମୁଣ୍ଡା ଘର ଛାଡି କୁଆଡେ ଚାଲିଗଲେ ଯେ ଆଉ ଫେରିଲାନି ଘରେ ଅସହାୟ ଅବସ୍ଥାରେ ରହିଗଲା ୧୨ ବର୍ଷ ବୟସର ଏକ ମାତ୍ର ଟୁଟୁନା। ଟୁଟୁନାର ଅନ୍ୟ କକାମାନେ ରହିଥିଲେ ମଧ୍ୟ କକା ଶ୍ରୀକାନ୍ତ ମୁଣ୍ଡା ଟୁଟୁନ ମୁଣ୍ଡାର ସବୁ ଦାୟିତ୍ୱ ନିଜ କାନ୍ଧ ଉପରକୁ ନେଲେ।

ଏମାନେ ସମସ୍ତେ ହୋ’ ଆଦିବାସୀ ମୁଣ୍ଡା ପରିବାରର ଅଟନ୍ତି। କିନ୍ତୁ ସେମାନଙ୍କର ଅଭିଯୋଗ ହେଉଛି ଯେ ଏହି ଗରୀବ ଗୁରୁବାଙ୍କ କଥା ବାବୁମାନେ କେହି ଶୁଣନ୍ତି ନାହିଁ। ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ନଥିବାରୁ ନିଜସ୍ୱ ଉଦ୍ୟମରେ ନିର୍ମାଣ କରିଥିବା ମାତ୍ର ଗୋଟିଏ ଝାଟିମାଟି ବଖରା ବଖରାରେ କଷ୍ଟ ମଷ୍ଟେ ପରିବାର ବାସକରୁଛନ୍ତି। ସରକାରୀ ବାବୁ ମାନଙ୍କର କୃପାଦୃଷ୍ଟି ପଡି ନଥିବାରୁ ଏମାନେ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କା ଘର ଆଦି ଯୋଜନାରୁ ବଞ୍ଝିତ ଅଛନ୍ତି। ପଞ୍ଚାୟତ କର୍ତ୍ତୃପକ୍ଷ କେବଳ ଦେବେ ଦେବେ ବୋଲି କହୁଛନ୍ତି ସତ କିନ୍ତୁ ଦେଉ ନାହାଁନ୍ତି। ଏପରିକି ପ୍ରଥମେ ନିଅଁ ଖୋଳ, ଘର ଦେବୁ ବୋଲି କହୁଛନ୍ତି, ନିଅଁ ଖୋଳିବା ପରେ ମଧ୍ୟ ଦେଉ ନାହାଁନ୍ତି। ଏପଟେ ଆଦିବାସୀ ବାଳକ ଟୁଟୁନ ମୁଣ୍ଡା ଉଚ୍ଚ ଶିକ୍ଷା ଗ୍ରହଣ କରିବା ଦିଗରେ ବେଶ ଆଗ୍ରହୀ ଥିଲେ ମଧ୍ୟ ସେଥିରେ ବି ସମସ୍ୟା ଉପୁଜୁଛି। ସମ୍ପୂର୍ଣ୍ଣ ଗରୀବ ଏହି ଆଦିବାସୀ ପରିବାର ପାଖରେ ଉଚ୍ଚ ଶିକ୍ଷାପାଇଁ ସାମର୍ଥ୍ୟ ନାହିଁ। ଯେଉଁଥିପାଇଁ ଉଚ୍ଚଶିକ୍ଷା ଇଛା ତାର ଦିନକୁ ଦିନ ମଉଳିବାରେ ଲାଗିଛି। ସ୍ୱଳ୍ପ ବ୍ୟୟ ଆବାସ ଛାତ୍ରାବାସ ରେ ୫ମ ଶ୍ରେଣୀ ଶିକ୍ଷା ସମାପ୍ତ ହୋଇଛି। ମାତ୍ର ଉଚ୍ଚ ବିଦ୍ୟାଳୟ ଶିକ୍ଷା ନିମନ୍ତେ ପଞ୍ଚାୟତରେ ବ୍ୟବସ୍ଥା ନଥିବା ଟୁଟୁନ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଏ ଦିଗରେ ବିଭାଗୀୟ ପଦାଧିକାରୀ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଅନୁରୋଧ ହୋଇଛି। ଖଣି ପ୍ରଭାବିତ ଅଞ୍ଚଳର ବିକାଶ ଉଦ୍ଦେଶ୍ୟରେ ଖଣିଜ ପ୍ରତିଷ୍ଠାନ ପ୍ରତିଷ୍ଟା ହୋଇଛି। ତାହାର ମଧ୍ୟ ଉପଯୁକ୍ତ ବିନିଯୋଗ ଉପରେ ଜିଲ୍ଲା ପ୍ରଶାସନ କର୍ତ୍ତୃପକ୍ଷ ଉଚିତ ଧ୍ୟାନ ଦେବାର ଆବଶ୍ୟକ ରହିଛି ଯଦ୍ୱାରା ଟୁଟୁନା ମୁଣ୍ଡା ଭଳି ବାଳକ ଉପକୃତ ହୋଇପାରିବ ବୋଲି ମତ ପ୍ରକାଶ ପାଉଛି।