Odiapua.com

କେନ୍ଦୁଝର: ଦୋହଲି ଯାଇଛି ଚାଷୀଙ୍କ ଆର୍ଥକ ମାନଦଣ୍ଡ :ସରକାର ଓ ଜିଲ୍ଲା ପ୍ରଶାସନର ମାନବିକତାର ଆବଶ୍ୟକ ଅଧିକ ରହିଛି

କେନ୍ଦୁଝର, ୨୬ ଏପ୍ରିଲ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ବିଶ୍ୱରେ କରୋନାର ଭୟଭୟତା ଲାଗି ରହିଥିବା ବେଳେ ଏହାର ମୁକାବିଲା କରିବା ଲକ୍ଷ୍ୟରେ ସମଗ୍ର ଭାରତ ବର୍ଷ ଏବେ ଲକ୍ଡାଉନ ମଧ୍ୟରେ ରହିଛି। ଓଡିଶା ରାଜ୍ୟରେ କରୋନା ବର୍ତମାନ ସୁଦ୍ଧା ନିୟନ୍ତ୍ରଣରେ ରହିଥିବା ବେଳେ କେନ୍ଦୁଝର ଜିଲ୍ଲା ଅଦ୍ୟବଧି ଏକ ପ୍ରକାର କରୋନା ପଜିଟିଭ ମୁକ୍ତ ଜିଲ୍ଲା ଭାବେ ରହିଛି। କିନ୍ତୁ କେନ୍ଦୁଝର ଜିଲ୍ଲାରେ ଚାଷ ଉପରେ ନିର୍ଭରଶୀଳ ଚାଷୀ ପରିବାର ନିଜର ପନିପରିବା ଏବଂ ଚାଉଳ ବିକ୍ରୀ କରିନପାରି ଦୁର୍ଦ୍ଦିନ ମଧ୍ୟରେ କାଳ କାଟୁଛନ୍ତି। କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଝଳରେ ପନିପରିବା ଉତ୍ପାଦନ ଅଧିକ ହେବା ସହ ଏହାର ବଜାର ଚାହିଦା ରହିଥିଲେ ମଧ୍ୟ ଲକ୍ଡାଉନ ପାଇଁ ଚାଷୀମାନେ ଉତ୍ପାଦିତ ପନିପରିବା ବଜାରକୁ ଆଣି ପାରୁ ନାହାଁନ୍ତି। ସରକାର ଚାଷୀମାନ କ୍ଷେତ୍ରରେ କିଛି ପରିମାଣରେ କଟକଣା କୋହଳ କରିଥିଲେ ମଧ୍ୟ ପୋଲିସ ତାହାକୁ ମନୁ ନାହିଁ। ଫଳରେ ସେମାନଙ୍କ ପେଟପାଟଣା ଉପରେ ଲାତ୍ ପଡିଛି। ପରିବାର ପ୍ରତିପୋଷଣ ସେମାନଙ୍କ ପାଇଁ ଗୁରୁତର ସମସ୍ୟା ଭାବେ ଛିଡା ହୋଇଛି। ପୋଲିସର ଆଖିବୁଜା ମାଡ ଭୟରେ ସେମାନେ ନିଜ ନିଜର ଉତ୍ପାଦିକ ସାମଗ୍ରୀ ବିକ୍ରି ପାଇଁ ବଜାର ଆଣି ପାରୁ ନାହାଁନ୍ତି। ଚଳିତ ବର୍ଷ ଚାଷୀମାନେ ନିଜର ବିନିଯୋଗ ଅର୍ଥ ପାଇବେକି ନାହିଁ ତାହା ସନ୍ଦିହାନ ହୋଇପଡିଛନ୍ତି। ବର୍ତମାନ ପରିସ୍ଥିତିରେ ସହର ବଜାର ବନ୍ଦ ଥିବାରୁ ବଡ ବଡ ହୋଟେଲ, ଦୋକାନ, ଆବାସିକ ବିଦ୍ୟାଳୟ, ଛାତ୍ରାବାସ ମାନଙ୍କରେ ଆବଶ୍ୟକ ହେଉଥିବା ପରିବା ଯୋଗାଣ ବି ବନ୍ଦ ରହିଛି। ଅପରପକ୍ଷରେ ପୋଲିସ ଭୟରେ ଚାଷୀମାନେ ନିଜର ଉତ୍ପାଦିତ ପରିବା ବଜାରକୁ ଆଣିପାରୁ ନାହାଁନ୍ତି ଓ ଖାଉଟିମାନେ ମଧ୍ୟ ବଜାରକୁ ଯାଇ ନିୟମିତ ପରିବା କିଣିପାରୁ ନାହାଁନ୍ତି। ବାଇକ ସ୍କୁଟର ଆଦି ଚଳାଚଳ ଉପରେ କଟକଣା ଯୋଗୁଁ ଦୂର ସ୍ଥାନର ପରିବାର, ବିଶେଷ ଭାବେ ବରିଷ୍ଠ ନାଗରିକମାନଙ୍କ ପାଇଁ ସମସ୍ୟା ହୋଇଛି। ଫଳରେ ଚାହିଦା ମୁତାବକ ପରିବା ଚାଷୀମାନେ ବିକ୍ରୀ କରିପାରୁନାହାନ୍ତି। ଯେଉଁ କେତେକ ଚାଷୀ ବଜାରକୁ ପରିବା ବିକ୍ରୟ କରିବା ପାଇଁ ଆସି ପହଞ୍ଚି ପାରୁଛନ୍ତି ସେମାନେ ଦିନ ୧୧ଟା ଭିତରେ ସ୍ୱଳ୍ପ ମୂଲ୍ୟରେ ହେଲେ ବି ପରିବା ଦେଇ ଘରକୁ ଯିବା ଚାଲିଯିବାକୁ ନିରାପଦ ମଣୁଛନ୍ତି। ଏହାର ଫାଇଦା ବେପାରୀମାନେ ଉଠାଉଥିଲେ ହେଁ ଉପଭୋକ୍ତାମାନେ ଚଢା ଦରରେ ପରିବା କିଣିବାକୁ ବାଧ୍ୟ ହେଉଛନ୍ତି। କେତେକ ଚାଷୀ ପୋଲିସ ଭୟରେ ସାହୀ ବସ୍ତିରେ ମଧ୍ୟ ଆଗଭଳି ବୁଲି ପରିବା ବିକ୍ରୀ କରି ପାରୁନାହାଁନ୍ତି। ସାପ୍ତାହିକ ହାଟ ବନ୍ଦ ହୋଇଯାଇଥିବାବେଳେ ପରିବା ବଜାରରେ କଟକଣାଲାଗୁ ହୋଇଥିବାରୁ ଅମଳ ପନିପରିବା ବିକ୍ରିହୋଇ ପାରୁନାହିଁ। ଏଣୁ ଚାଷୀଙ୍କ ଏକର ଏକର ଜମିରେ ପରିବା ନଷ୍ଟ ହେଉଛି। ବହୁକଷ୍ଟରେ ଧାରକରଜ କରି ବାଡି ବଗି- ତଥା ଜମିରେ ପାଣି ମଡାଇ ବାଇଗଣ, ବିଲାତି, ବୋଇତାଳୁ, ଝୁଡଙ୍ଗ, ବିନ୍ସ, କଲରା, ରୁମାଛୁଇଁ, ଭେଣ୍ଡି, ପୋଇ, ଲଙ୍କା, ମୁଳା, କାକୁଡି, ଲାଉ, ଗାଜର, ପୋଟଳ ଆଦି ଚାଷ କରିଛନ୍ତି। ପରିବା ବିକିଲେ ଋଣ ପରିଶୋଧ କରିବେ ଏବଂ ପରିବାର ଗୁଜୁରାଣ ମେଟାଂଇବେ ବୋଲି ଆଶା କରିଥିଲେ। କେନ୍ଦୁଝର ସହର ତଥା ଜିଲ୍ଲାରେ ଶୀତଳଭଣ୍ଡାର ନଥିବାରୁ ପନିପରିବା ଗଛିତ ମଧ୍ୟ ରହି ପାରୁନାହିଁ। ଫଳରେ ଚାଷୀ ମାନେ ଅଧିକ ଭାବେ କ୍ଷତିଗ୍ରସ୍ତ ହୋଉଛନ୍ତି। ପାଟଣା ବ୍ଲକ ବାଉଁଶୁଳୀ ପଂଚାୟତ ଭଅଁରପୁର ଗ୍ରାମର ଗୋବର୍ନ୍ଧନ ନାୟକ ନାମକ ଚୀାଷ ତାଙ୍କର ଉତ୍ପାଦିତ ପରିବା ବିକ୍ରୀ କରି ପାରୁନଥିବାରୁ ହାତଉଧାରି କିପରି ସୁଝିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି। ପ୍ରତ୍ୟେକ ବର୍ଷ ଚାଷରୁ ପ୍ରାୟ ୫୦ହଜାର ଟଙ୍କା ଆୟ କରିଥାନ୍ତି। ଚଳିତ ବର୍ଷ କରୋନା ଯୋଗୁଁ ହାଟ ବନ୍ଦ ଅଛି। ବାହାରୁ ବେପାରୀ ଆସି ପାରୁନଥିବା ବେଳେ ନିଜେ ମଧ୍ୟ ଯାଇ ପାରୁନାହାଁନ୍ତି। ବିଲରେ ପନପରିବା ପଡି ନଷ୍ଟ ହେଉଛି। ଆଖିର ଲୁହ ହୃଦୟର କୋହକୁ ଚାପି ବଞ୍ଚିବାକୁ ଚେଷ୍ଟା କରୁଛି ଚାଷୀ ବାପୁଡା। ଚାଷ ପାଇଁ ଆବଶ୍ୟକ ଜଳ ଉଠାଇବା ପାଇଁ ବ୍ୟବହୃତ ପମ୍ପ ଚଲାଇବା ପାଇଁ କିରୋସିନ ମଧ୍ୟ କିଣିବା ପାଇଁ ଚାଷୀମାନେ ଅକ୍ଷମ ହେଉଛନ୍ତି। ବସନ୍ତ ଓ ଗ୍ରୀଷ୍ମ ଋତୁରେ ଆବଶ୍ୟକତାକୁ ଲକ୍ଷ୍ୟ ରଖି ଚାଷୀ ଚାଷ କରିଥିବା ମକା, ବୋଇତାଳୁ, ବିଭିନ୍ନ କିସମ ଶାଗ ଇତ୍ୟାଦି ବିକ୍ରୀ ନହୋଇ ଜମିରେ ପଡି ରହିଥିବାରୁ ସେମାନେ ଆଶା କରିଥିବା ଳାଭ ତ ଦୂରେ ଥାଉ ମଂଜି, ସାର, କୀଟନାଶକ ଓ ଚାଷ କାର୍ଯ୍ୟ ପାଇଁ ବିନିଯୋଗ ହୋଇଥିବା ମୂଳ ମଧ୍ୟ ପାଇ ପାଇ ପାରିବେ ନାହିଁି। ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବାରୁ ସରକାରଙ୍କ ପକ୍ଷରୁ ସେମାନଙ୍କ ଦୁରାବସ୍ଥାକୁ ହୃଦୟଙ୍ଗମ କରିବା କରି ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ଏବଂ ଜିଲ୍ଲା ପ୍ରଶାସନ ସର୍ବନିମ୍ନ ମାନବିକତା ଦୃଷ୍ଟିରୁ ସେମାନଙ୍କ ଉତ୍ପାଦିତ ସାମଗ୍ରି ବିକ୍ରି ହେବା ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେବା ଅ୍ତୀବ ଜରୁରୀ ହୋଇ ପଡିଛି।