Odiapua.com

କେନ୍ଦୁଝର :ଥାନା ଭିତରେ ବାଳକକୁ ଅମାନୁଷିକ ଲାଠି ଓ ଗୋଇଠା ମାଡ ଘଟଣା: ପାଟଣା ଥାନା ଅଧିକାରୀଙ୍କୁ ସସ୍‌ପେଣ୍ଡ କଲେ ପୋଲିସ ଡି.ଜି.

କେନ୍ଦୁଝର, ୨୩ ମଇ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଥାନା ଭିତରେ ଜଣେ ବାଳକକୁ ଅମାନୁଷିକ ଭାବେ ଲାଠି ଓ ଗୋଇଠା ମାଡ ମାରି ଲହୁ ଲୁହାଣ କରି ନିଜର ଦବଙ୍ଗଗିରି ପ୍ରଦର୍ଶନ କରିଥିବା କେନ୍ଦୁଝର ଜିଲ୍ଲାର ପାଟଣା ଥାନାର ଭାରପ୍ରାପ୍ତ ଅଧିକାରୀଣୀ ସଂଧ୍ୟାରାଣୀ ଜେନାଙ୍କୁ ମହଙ୍ଗା ପଡିଛି। ଏହି ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ସଂପୃକ୍ତ ଥାନା ଅଧିକାରୀଣୀଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି ରାଜ୍ୟ ପୋଲିସ ଡି. ଜି. ଶ୍ରୀ ଅଭୟ। ଫଳରେ ସଂପୃକ୍ତ ଥାନା ଅଧିକାରୀଣୀଙ୍କୁ କଳେ ବଳେ କୌଶଳେ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଥିବା କେନ୍ଦୁଝର ଜିଲ୍ଲା ପୋଲିସ ପ୍ରଶାସନର ସେହି ପଦାଧିକାରୀଙ୍କର ସମସ୍ତ ଚେଷ୍ଟା ଫିକା ପଡି ଯାଇଥିବା ବେଳେ ଶେଷରେ ନିରୀହ ବାଳକ ରାଜୁ ମହାନ୍ତକୁ ହୁଏତ ଅନେକ ପରିମାଣର ଆଶ୍ୱସ୍ତି ମିଳି ପାରିଥିବ। ପଡୋଶୀ ସହ ସାମାନ୍ୟ ଜମି ବିବାଦକୁ ନେଇ ପଟଣା ଥାନା ଭାରପ୍ରାପ୍ତ ଅଧିକାରୀଣୀ ବାଳକ ରାଜୁ ମହାନ୍ତକୁ ଘରୁ ଉଠାଇ ଆଣି ସମସ୍ତ ମାନବିକତାକୁ ଭୁଲିଯାଇ ଥାନା ଭିତରେ ଥାର୍ଡ ଡିଗ୍ରି ପ୍ରୟୋଗ ଯେଭଳି ଲାଠି ଓ ଗୋଇଠାରେ ପ୍ରବଳ ମାଡମାରି ଦରମରା କରି ସମସ୍ତ ମାନବିକତାକୁ ଭୁଲିଯାଇ ଦୃଷ୍ଟାନ୍ତ ତିଆରି କଲେ ତାହାକୁ କୌଣସି ସଭ୍ୟ ସମାଜ ଗ୍ରହଣ କରି ପାରିନଥିବା ବେଳେ ତାହାର ଭିଡିଓ ଚିତ୍ର ବିଭିନ୍ନ ବିଦ୍ୟୁତ ଓ ପ୍ରିଣ୍ଟ ଗଣ ମାଧ୍ୟମରେ ପ୍ରସାରିତ ସହ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଥିଲା। ଫଳରେ ପୋଲିସ ଅପିସରଙ୍କର ଏଭଳି ବର୍ବରଚିତ କାର୍ଯ୍ୟ ଘଟଣାକୁ ମନୋଜ ଜେନା ନାମକ ଜଣେ ଆକ୍ଟିଭିଷ୍ଟ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଫଳରେ ରାଜ୍ୟ ମାନବିକ ଅଧିକାର କମିଶନ ଘଟଣାକୁ ଅନୁଧ୍ୟାନ ସହ ତର୍ଜମା କରିବାପରେ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ଥିଲେ। ଏଭଳି ଅଧିକାରୀ ମାନଙ୍କୁ ବିନା ଦଣ୍ଡରେ ଛାଡିଦିଆଗଲେ ଭବିଷ୍ୟତରେ ଏମାନେ ବିଭାଗ ପ୍ରତି ବୋଝ ସଦୃଶ୍ୟ ହେବା ବୋଲି କମିଶନ ମତ ପ୍ରକାଶ କରିବା ସହ ଭର୍ସନା ମଧ୍ୟ କରିଥିଲେ। କେନ୍ଦୁଝର ଏସ୍‌. ପି. ଙ୍କ ଠାରୁ ରିପୋର୍ଟ ତଲବ କରିଥିଲେ ଏବଂ ରାଜ୍ୟ ପ୍ରିନ୍ସପାଲ ସେକ୍ରେଟାରୀ ଏବଂ ଡି. ଜି. ପୋଲିସ କମିଶନଙ୍କୁ ସଂପୃକ୍ତ ପୀଡିତା ରାଜୁ ମହାନ୍ତଙ୍କୁ କ୍ଷତି ପୁରଣ ବାବଦ ୧୦ ହଜାର ଟଙ୍କା ୧୦ ଦିନ ମଧ୍ୟରେ ପ୍ରଦାନ କରିବାକୁ ସୁପାରିଶ କରିବା ସହ ଏହି ଅର୍ଥକୁ ସଂପୃକ୍ତ ପୋଲିସ ଭାରପ୍ରାପ୍ତ ଅଧିକାରୀ ସଂଧ୍ୟାରାଣୀ ଜେନାଙ୍କ ଦରମାରୁ ଭରଣା କରିବାକୁ କହିଛନ୍ତି। ଏହି ଘଟଣାକୁ କମିଶନ ସ୍ପଷ୍ଟ ଭାବେ ବର୍ବର କାର୍ଯ୍ୟ ବୋଲି କହିଛନ୍ତି। ଏବଂ ନିଜର ସୁରକ୍ଷା ଉଦ୍ଦେଶ୍ୟରେ ସଂପୃକ୍ତ ଅଧିକାରୀ ଅନେକ ଆଳ ତଥା ପ୍ଲିୁ ନେଲେ ମଧ୍ୟ ସତ୍ୟ ସ୍ପଷ୍ଟ ବୋଲି ମଧ୍ୟ କହିଛନ୍ତି। କମିଶନଙ୍କ ସୁପାରିଶ ପରେ ପରେ ପୋଲିସ ଡି. ଜି . ତୁରନ୍ତ ସଂପୃକ୍ତ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ଯଦିଓ ସମସ୍ତ ଘଟଣା ସ୍ପଷ୍ଟ ହେବା ପରେ ମଧ୍ୟ କେନ୍ଦୁଝର ଜିଲ୍ଲା ପୋଲିସ ପ୍ରଶାସନ ତଦନ୍ତ ଆଳରେ କାର୍ଯ୍ୟାନୁଷ୍ଠାନ କୁ ଅଯଥା ବିଳମ୍ବ କରୁଥିବା ବେଳେ ସଂପୃକ୍ତ ଅଧିକାରୀଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପୀଡିତଙ୍କୁ ଅପରାଧି ସଜାଇବା କାମରେ ଲାଗିପଡିଥିବା ଘଟଣା ମଧ୍ୟ ଇତି ମଧ୍ୟରେ ପଦାରେ ପଡିଛି। ଅନ୍ୟ ପକ୍ଷରେ ଇତି ମଧ୍ୟରେ କାର୍ଯ୍ୟାନୁଷ୍ଠାନ ବିଳମ୍ବତାକୁ ନେଇ ସମଗ୍ର କୁଡୁମୀ ସମାଜ ତାତି ଉଠିବା ସହ ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ନ୍ୟାୟ ପାଇିଁ ରାଜ୍ୟର ୩୦ ଲକ୍ଷ କୁଡୁମୀ ସେନା ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗତ ୨୧ ତାରିଖ ଦିନ ଜିଲ୍ଲା ପୋଲିସ ମୁଖିଆଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ। ଅନ୍ୟ ପକ୍ଷରେ କେନ୍ଦୁଝର ପୋଲିସ ବିରୁଦ୍ଧରେ ଅନେକ ଗୁରୁତର ଅଭିଯୋଗ ମାନ ରହିଥିଲେ ମଧ୍ୟ ତାକୁ ତା ଉପରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ସଠିକ ଢଙ୍ଗରେ ତଦନ୍ତ ମଧ୍ୟ କରାନ ଯାଇ ଏଡାଇ ଦିଆଯାଉଥିବାର ଦୃଷ୍ଟାନ୍ତ ମଧ୍ୟ ବିରଳ ନୁହେଁ। ପୋଲିସ ଡି.ଜି.ଙ୍କ ପକ୍ଷରୁ ଏ ଦିଗରେ ଅନୁସନ୍ଧାନର ଆବଶ୍ୟକ ରହିଛି ବୋଲି ମତ ପ୍ରକାଶ ପାଉଛି।