Odiapua.com

କେନ୍ଦୁଝର: ଜିଲ୍ଲା ପରିଷଦ ଅଧିବେଶନ ଅନୁଷ୍ଠିତ

କେନ୍ଦୁଝର, ୧-୩ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ପଂଚମ ଜିଲ୍ଲା ପରିଷଦର ପଂଚମ ଅଧିବେଶନ ବୁଧବାର ଦିନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କମଳିନୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଦରବାର ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଧିବେଶନରେ ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ହୃଷିକେଶ ନାୟକ, ଲୋକସଭା ସଦସ୍ୟା ଶ୍ରୀମତୀ ଶକୁନ୍ତଳା ଲାଗୁରୀ, କେନ୍ଦୁଝର ବିଧାୟକ ଅଭିରାମ ନାଏକ, ତେଲକୋଇ ବିଧାୟକ ବେଦବ୍ୟାସ ନାୟକ, ଆନନ୍ଦପୁର ବିଧାୟକ ମାୟାଧର ଜେନା, ଜିଲ୍ଲାପାଳ ଆଶିଷ ଠାକ୍ ରେ, ଜିଲ୍ଲା ପରିଷଦ ଉପସଭାପତି ଅକ୍ଷୟ କୁମାର ସାହୁ, ପିଡି ଡିଆର୍ ଡିଏ ନୃସିଂହ ଚରଣ ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା, ପଂଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା, ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ଆଶିଷ ଠାକ୍ ରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କମଳିନୀ ପାତ୍ର, ଜିଲ୍ଲା ପରିଷଦ ଅଧିବେଶନ ଉପରେ ଜିଲ୍ଲାବାସୀଙ୍କର ଆଶା, ଆକାଂକ୍ଷା ଜଡିତ ରହିଥିବାରୁ ଜିଲ୍ଲାର ସାମଗ୍ରିକ ଉନ୍ନତି ପାଇଁ ସରକାରୀ କର୍ମଚାରୀ ଓ ଲୋକ ପ୍ରତିନିଧିମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ନିବେଦନ କରିଥିଲେ।

ଆଗାମୀ ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ଏବଂ ସମସ୍ତଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ତୁରନ୍ତ ଅଚଳ ନଳକୂପଗୁଡ଼ିକୁ ଯୁଦ୍ଧକାଳୀନ ଭିତିରେ ମରାମତି କରିବା ପାଇଁ ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜଳଛତ୍ର ଖୋଲିବା, ଗ୍ରାମ ପଂଚାୟତମାନେ ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ ଆୟୋଗ ଓ ରାଜ୍ୟ ଅର୍ଥ ଆୟୋଗ ପ୍ରଦତ ଅର୍ଥରେ ନଳକୂପ ଏବଂ ପାନୀୟ ଜଳ ପ୍ରକଳ୍ପ ମରାମତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ନେସ୍କୋର ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଅଂଶୁଘାତ ରୋଗୀମାନଙ୍କର ଚିକିତ୍ସା ନିମନ୍ତେ ଡାକ୍ତରଖାନାମାନଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ନିମନ୍ତେ ବିହିତ ପଦକ୍ଷେପ ନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାରେ ବିଭିନ୍ନ ଚିକିତ୍ସାଳୟରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ସମ୍ପର୍କରେ ସମୀକ୍ଷା କରାଯିବା ସହିତ ଚିକିତ୍ସାଳୟମାନଙ୍କରେ ଡାକ୍ତର ଏବଂ ଷ୍ଟାଫ୍ ନିୟମିତ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ବିହିତ ପଦକ୍ଷେପ ନେବାକୁ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ନିରାମୟ ଯୋଜନାର ସଠିକ୍ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରାଯାଇ ଯେଉଁ ଡାକ୍ତରମାନେ ମାଗଣା ଔଷଧ ପ୍ରେସ୍ କ୍ରିପ୍ ସନ୍ ଲେଖୁନାହାନ୍ତି ଏବଂ ବାହାରୁ ଔଷଧ କିଣିବା ପାଇଁ ରୋଗୀମାନଙ୍କୁ ବାଧ୍ୟ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ଡିଏମ୍ ଏଫ୍ ଅର୍ଥରେ ଜିଲ୍ଲା ହସ୍ ପାତାଳରେ କାର୍ଡିଓଲୋଜି, ନ୍ୟୁରୋଲୋଜି, ଅଂକଲୋଜି ଓ ନେଫ୍ରୋଲୋଜି ଇତ୍ୟାଦି ବିଭାଗରେ ସୁପର ସ୍ପେଶାଲିଷ୍ଟ ସେବା ଯୋଗାଇ ଦିଆଯାଉଛି ଏବଂ ଡିଏମ୍ ଏଫ୍ ଅର୍ଥରେ ଜିଲ୍ଲା ପାଇଁ ଅଧିକ ଡାକ୍ତର ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ। ଏତଦ୍ ବ୍ୟତୀତ ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଯଥା-ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅନ୍ତର୍ଗତ ବାକି ଥିବା ଗୃହ ନିର୍ମାଣ, ହଷ୍ଟେଲ ନିର୍ମାଣ, ମେଧାବୃତି, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ, ବାଇ ସାଇକେଲ ଯୋଜନା, ସାକ୍ଷର ଭାରତ କାର୍ଯ୍ୟକ୍ରମ, ସାକ୍ଷରତା ପରୀକ୍ଷା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ, ପାଇକା ଯୋଜନାରେ ବିଦ୍ୟାଳୟମାନଙ୍କୁ ଅନୁଦାନ ରାଶି ପ୍ରଦାନ, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ, ସର୍ବଶିକ୍ଷା ଅଭିଯାନ ଅନ୍ତର୍ଗତ କାର୍ଯ୍ୟକ୍ରମ, ପାଠ୍ୟ ପୁସ୍ତକ ଯୋଗାଣ, ବିଦ୍ୟାଳୟ ଉନ୍ନତି ଅନୁଦାନ, ପୋଷାକ ଯୋଗାଣ, ଅର୍ନ୍ତନିବେଶୀ ଶିକ୍ଷା, ସାମାଜିକ ସମୀକ୍ଷା, ନିର୍ମାଣ କାର୍ଯ୍ୟ, ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଦ୍ୟାଳୟଗୁଡ଼ିକୁ ସମ୍ମିଶ୍ରଣ ଏବଂ ଶିକ୍ଷାଦାନର ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବିଦ୍ୟାଳୟମାନଙ୍କର ରକ୍ଷଣାବେକ୍ଷଣ, ମରାମତି ଆଦି କାର୍ଯ୍ୟ ପଂଚାୟତିରାଜ ବିଭାଗ ଜରିଆରେ ଗ୍ରାମ ପଂଚାୟତମାନଙ୍କୁ ଦେବାକୁ ଯୋଜନା କରାଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଥିଲେ। ଗ୍ରାମ୍ୟ ଜଳ ଯୋଗାଣ ଓ ସଜ୍ଜଳ ଧାରା, ସମ୍ପୂର୍ଣ୍ଣ ପରିମଳ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରାଯାଇ ଭିତି ପ୍ରସ୍ତର ସ୍ଥାପିତ ହୋଇଥିବା ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ନୂଆ ସେତୁ ନିର୍ମାଣ ପ୍ରସ୍ତାବ ଏବଂ ରାସ୍ତା ଓ ଗୃହ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କରାଯାଇଥିଲା। କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୧୫ନଂ ଜାତୀୟ ରାଜପଥ(୨୦)ର ବାକି ଥିବା ଅଂଶଗୁଡ଼ିକର ନିର୍ମାଣ କାର୍ଯ୍ୟ ଏବଂ ଶୋଚନୀୟ ହୋଇ ପଡ଼ିଥିବା ୪୯ନଂ ଜାତୀୟ ରାଜପଥର ତୁରନ୍ତ ମରାମତି ଉପରେ ବୈଠକରେ ଆଲୋଚନା ହୋଇଥିଲା। ସାଧାରଣ ବଂଟନ ବ୍ୟବସ୍ଥାରେ ଜାତୀୟ ଖାଦ୍ୟ ନିରାପତା ଆଇନର କାର୍ଯ୍ୟକାରିତା, କୃଷି ବିଭାଗ, ଜଙ୍ଗଲ ବିଭାଗ, ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗର କାର୍ଯ୍ୟାବଳୀ ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା।

ପ୍ରାରମ୍ଭରେ ଗତ ବୈଠକର ବିବରଣୀକୁ ଦୃଢୀକରଣ କରାଯ୍ଧବ, ଅନୁପାଳନର ବିଶଦ୍ ଭାବେ ସମୀକ୍ଷା କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟରେ ଅତିରିକ୍ତ ଗୃହ ନିର୍ମାଣ, ବିପଦ ସଂକୁଳ ଅବସ୍ଥାରେ ଥିବା ଗୃହଗୁଡ଼ିକୁ ଭାଙ୍ଗିବା, ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନଙ୍କ ବିରୁଦ୍ଧରେ ଥିବା ଅଭିଯୋଗ, ଖଣି ପ୍ରଭାବିତ ଅଂଚଳ ଏବଂ ଅନ୍ୟାନ୍ୟ ଅଂଚଳରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ, ଅଚଳ ନଳକୂପଗୁଡ଼ିକର ମରାମତି, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ, ବିଭିନ୍ନ ସ୍ଥାନରେ ଗ୍ରୀଡ୍ ସ୍ଥାପନ, ବିଦ୍ୟୁତ ସଂଯୋଗୀକରଣ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ, ପୋଲ ନିର୍ମାଣ, ଉନ୍ନତିକରଣ ଇତ୍ୟାଦି ପ୍ରସଙ୍ଗରେ ଅନୁପାଳନ ବିବରଣୀର ସମୀକ୍ଷା କରାଯାଇଥିଲା। ଟେଣ୍ଡର୍ ହୋଇ ଏଗ୍ରିମେଂଟ କରାଯାଇଥିବା ସତ୍ୱେ ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନ ଥିବା କିମ୍ବା ମନ୍ଥର ହୋଇଥିବା କ୍ଷେତ୍ରରେ ସମ୍ପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ କଳା ତାଲିକାଭୁକ୍ତ କରିବା ନିମନ୍ତେ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଜିଲ୍ଲାରେ ଖାଲି ପଡ଼ିଥିବା ହୋମିଓପାଥି ଓ ଆୟୁର୍ବେଦିକ ଡାକ୍ତରଖାନାମାନଙ୍କରେ ଡାକ୍ତର ନିଯୁକ୍ତି ପାଇଁ ଜିଲ୍ଲାପାଳ ବିହିତ ପଦକ୍ଷେପ ନେବାକୁ ସ୍ଥିରୀକୃତ ହୋଇଥିଲା। ଜିଲ୍ଲାର ବିଭିନ୍ନ ଡାକ୍ତରଖାନାମାନଙ୍କରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ସମ୍ପର୍କରେ ସମୀକ୍ଷା କରାଯାଇ ପଦବୀ ପୂରଣ ନିମନ୍ତେ ସରକାରଙ୍କୁ ଅନୁରୋଧ କରାଯିବାକୁ ସ୍ଥିରୀକୃତ ହୋଇଥିଲା। ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ସମେତ ଜିଲ୍ଲା ସାଂସଦ ଏବଂ ବିଧାୟକବୃନ୍ଦ ଆବଶ୍ୟକ ପରାମର୍ଶ ଦେଇଥିଲେ।