ଯୋଡା – ୦୩/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କେନ୍ଦୁଝର ଖଣି କ୍ଷେତ୍ରରେ ବୃହତ୍ତ ଆର୍ସେଲର ମିତ୍ତଲ କମ୍ପାନୀର ପ୍ରବେଶ ପୁରୁଣା ଖଣି ମାଲିକଙ୍କୁ ଛାନିଆ କରିଦେଇଛି । ଚାଲିଥିବା ଖଣି ନିଲାମ ପ୍ରକ୍ରିୟାରେ ତୃତୀୟ ବୃହତ୍ତମ ଖଣି ଠାକୁରାଣି ଲୌହ ଖଣିଟିକୁ ହାତେଇବାରେ ଆର୍ସେଲର ମିତ୍ତଲ ସକ୍ଷମ ହୋଇପାରିଛି । ମିତ୍ତଲ ସର୍ବାଧିକ ଟେକ୍ନିକାଲ ବିଡିଂରେ ୧୦୭.୫୫ ପ୍ରତିଶତ ମୂଲ୍ୟ ଦର୍ଜ କରି ଖଣିଟିକୁ ପାଇପାରିଛି । ଏହି ଖଣିଟି ନିମନ୍ତେ ଜେଏସ୍ପିଏଲ୍, ବେଦାନ୍ତ, ରୁଙ୍ଗଟା ମାଇନ୍ସ ଲିଃ, ରାଷ୍ଟ୍ରୀୟ ଇସ୍ପାତ ନିଗମ, କେଜେଏସ୍ ଆଲୁୱାଲିଆ, ପ୍ରୋ ମିନେରାଲ୍ସ, ଓଡିଶା ମେଟାଲିକ୍ସ, ବିଆରପିଏଲ୍, ଆର୍ସେଲର ମିତ୍ତଲ, ଆମଲାଗାମ ଏହିପରି ମୋଟ ୧୦ ଜଣ ଟେଣ୍ଡର ଭରଣା କରିଥିବା ବେଳେ ସେମାନଙ୍କ ମଧ୍ୟରୁ ସର୍ବାଧିକ ଆମଲାଗାମ ୭୨.୫ ପ୍ରତିଶତ ଟେଣ୍ଡର ପକାଇଥିବା ଜାଣିବାକୁ ମିଳିଥିଲା । ସେମାନଙ୍କ ମଧ୍ୟରୁ ଆମଲାଗାମ, ବିଆରପିଏଲ୍ (ବ୍ରାହ୍ମଣୀ ରିଭର ପିଲେଟ ଲିଃ), ଆର୍ସେଲର ମିତ୍ତଲ, ଜେଏସପିଏଲ୍ (ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିଃ), କେଜେଏସ୍ (କମଲଜିତ୍ ସିଂ ଆଲୁଓା୍ୱଲିଆ) ଓ ଓଡିଶା ମାଟାଲିକ୍ସକୁ ଟେକ୍ନିକାଲ ବିଡିଂ ନିମନ୍ତେ ଡକାଯାଇଥିଲା । ଟେଣ୍ଡର ପ୍ରକ୍ରିୟାରେ ସାମିଲ ଥିବା ୧୯ଟି ଖଣି ମଧ୍ୟରୁ ନୂଆଗାଁ ଖଣିରେ ସର୍ବାଧିକ ଲୌହ ପଥର ଗଚ୍ଛିତ ଥିବା ବେଳେ ବଳଦା ଲୌହ ଖଣି ଦ୍ୱିତୀୟ ଏବଂ ଠାକୁରାଣୀ ଖଣିଟି ତୃତୀୟ ସର୍ବାଧିକ ଗଚ୍ଛିତ ଥିବା ଖଣିର ମାନ୍ୟତା ପାଇଛି । ଏହି ଖଣିଟି ୨୨୮.୦୪ ହେକ୍ଟର ପରିମିତ ହୋଇଥିବା ବେଳେ ଏଥିରେ ୧୮୦ ନିୟୁତ ମେଟ୍ରିକ ଟନ୍ ଲୁହାପଥର ଗଚ୍ଛିତ ଥିବା ଜଣାପଡିଛି । ଖଣିଟିକୁ ସରକାର କ୍ୟାପ୍ଟିଭ୍ ଖଣିର ମାନ୍ୟତା ଦେଇଥିବା ବେଳେ ଏଠାରେ ପୂର୍ବରୁ କାର୍ଯ୍ୟରତ କେପି ଇଣ୍ଟରପାଇଜେସ୍ ହାତରୁ ଏହି ବୃହତ୍ତ ଖଣିଟି ଚାଲିଯାଇଥିବା ଜଣାପଡିଛି । ତେବେ ପୂର୍ବରୁ କେପି ଇଣ୍ଟରପ୍ରାଇଜେସ୍ ଅଧିନରେ ଥିବା ନୂଆଗାଁ ଖଣିଟି ମଧ୍ୟ ଜେଏସ୍ ଡବ୍ଲୁ ହାତକୁ ଚାଲିଯାଇଥିବା ବେଳେ ୨ଟି ଯାକ ଖଣି ଏହି ସଂସ୍ଥା ହରାଇଥିବା ଜଣାପଡିଛି । ଖଣି ମିଆଦ ୩୧ ମାର୍ଚ୍ଚ ୨୦୨୦ରେ ପୂରଣ ହେଉଥିବା ବେଳେ ଏଥିରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଛଟେଇ ନିମନ୍ତେ କମ୍ପାନୀ ପକ୍ଷରୁ ନୋଟିସ ଜାରି କରାଯାଇଛି । ତେବେ ନୂତନ କମ୍ପାନୀ ସେମାନଙ୍କୁ ଏହି ଖଣିରେ ଅବସ୍ଥାପିତ କରିବ କି ନାହିଁ ଏ ନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇନଥିବା ବେଳେ କର୍ମଚାରୀଙ୍କ ମଧ୍ୟରେ ଛଟେଇ ଆଶଙ୍କା ଘନିଭୁତ ହେବାରେ ଲାଗିଛି ।