Odiapua.com

କେନ୍ଦୁଝର : କେନ୍ଦୁଝର ଜଙ୍ଗଲି ଆଦିବାସୀଙ୍କର ସୁସ୍ୱାଦୁ ଖାଦ୍ୟ ଭଗବାନଙ୍କ ସୃଷ୍ଟି ଜଙ୍ଗଲର ‘କଲେଇ’ ପୋକ

କେନ୍ଦୁଝର, ୬ ଅଗଷ୍ଟ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ବଣ ପାହାଡ ଜଙ୍ଗଲ ପରିବେଷ୍ଟିତ ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ପ୍ରାୟତଃ ଜଙ୍ଗଲିଆ ଅଞ୍ଚଳରେ ବସ ବାସ କରୁଥିବା ଆଦିବାସୀ ମାନଙ୍କର ପାରମ୍ପରିକ ନିଆରା ଓ ସୁସ୍ୱାଦୁ ଖାଦ୍ୟ ହେଉଛି ଭଗବାନଙ୍କର ସୃଷ୍ଟି ‘କଲେଇ’ ପୋକ। କେହି କେହି ଏହାକୁ କହ୍ଲେଇ ପୋକ ବୋଲି କହି ଥାଆନ୍ତି। ଏହି କଲେଇ ପୋକ ପ୍ରକୃତିର ନିୟମନୁଶାରେ ବର୍ଷକ ରେ ମାତ୍ର ଗୋଟିଏ ସମୟରେ ବାହାରିଥାନ୍ତି। ଯେଉଁଥିପାଇଁ ଏହି ସୁସ୍ୱାଦୁ ଖାଦ୍ୟକୁ ଖାଇବା ପାଇଁ ସେମାନେ ଚାତକ ଭଳି ଚାହିଁ ରହିଥଆନ୍ତି। ଆଦିବାସୀ ମାନଙ୍କର ପ୍ରୀୟ ଖାଦ୍ୟ ଏହି କଲେଇ ପୋକକୁ ସଂଗ୍ରହ କରିବାର ଏକ ନିଆରା ବ୍ୟବସ୍ଥା ମଧ୍ୟ ସେମାନେ କରି ରଖିଛନ୍ତି।

କେନ୍ଦୁଝର ଜିଲ୍ଲାର ବଣ ପାହାଡିଆ ବିଶେଷତଃ ଜଙ୍ଗଲ ଅଞ୍ଚଳରେ ବସ ବାସ କରୁଥିବା ଆଦିବାସୀ ସଂପ୍ରଦାୟ ପ୍ରାୟତଃ ଜଙ୍ଗଲରୁ ନିଜର ନିତ୍ୟ ବ୍ୟବହାର୍ଯ୍ୟ ଓ ଖାଦ୍ୟ ପଦାର୍ଥ ସାମଗ୍ରୀ ସଂଗ୍ରହ କରିଥିନ୍ତି। କେବଳ ସେତିକି ନୁହେ ଜଙ୍ଗଲରୁ କାଠ, ପତ୍ର, ଟୋଲ, ମହୁଲ, ଶାଳମଞ୍ଜି, କେନ୍ଦୁ, ପଣସ ଆଦି ବିଭିନ୍ନ ପ୍ରକାର ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ଗୁଜୁରାଣ ମେଣ୍ଟାଇ ଥାଆନ୍ତି। ଏତଦ୍ ବ୍ୟତିତ ଆଦିବାସୀ ସଂପ୍ରଦାୟଙ୍କର ସାଧାରଣ ଖାଦ୍ୟ ଭଳି କିଛି ପାରମ୍ପାରିକ ଖାଦ୍ୟ ମଧ୍ୟ ରହିଛି। କଲେଇ ପୋକ ବା ଝଡି ପୋକ ସେମଧ୍ୟରୁ ଏକ। ଯାହା ସେମାନଙ୍କର ଅତି ପ୍ରିୟ ଖାଦ୍ୟ ଭାବେ ଜଣାଶୁଣା। କେତେବେଳେ କଞ୍ଚା ତ ପୁଣି କେତେବେଳେ କଲେଇ ପୋକର ପରକୁ ଛଡାଇ ତାକୁ ଭାଜି ମୁଢି ସହ ତ, ଆଉ କେତେବେଳେ ଚାଉଳକୁ ବାଟି ତା ସହ ମିଶାଇ ତରକାରୀ କରି ଭାତ ସହ ତାକୁ ଖାଇବକୁ ପ୍ରାୟତଃ ସେମାନେ ପସନ୍ଦ କରିଥାଆନ୍ତି। ଖରା ଦିନ ପରେ ଆସୁଥିବା ବର୍ଷା ଦିନକୁ ହିଁ ଚାତକ ପରି ଚାହିଁ ରହିଥାନ୍ତି ଏହ ଆଦିବାସୀ ମାନେ। ଆଉ ବର୍ଷକୁ ଥରେ ମାତ୍ର ଠିକ୍ ଏହି ବର୍ଷା ସମୟରେ ହିଁ ଏହି ଝଡିପୋକ ବା କଲେଇ ପୋକର ସ୍ୱାଦ ଚାଖିବାକୁ ସେମାନେ ପାଇଥାଆନ୍ତି। ଏହି କଲେଇ ପୋକ ସାଧାରଣତଃ ଉଇ ହୁକାଁ ରୁ ବାହାରି ଥାଆନ୍ତି। ପ୍ରଚଣ୍ଡ ଖରା ଓ ଗରମ ପରେ ଝଡି ବର୍ଷା ହେଲେ ଉଇ ହୁକାଁ ରୁ ଏହି କହ୍ଲେଇ ବା ଝଡି ପୋକ ବାହାରି ଉଡି ବୁଲିଥାଆନ୍ତି। ଆଉ ଆଦିବାସୀ ମାନେ ନିଜ ନିଜ ପରିବାର ସଦସ୍ୟଙ୍କ ସହ ସେହି ଉଇ ହୁକାଁ ନିକଟରେ ପ୍ରାୟତଃ ଡେରା ପକାଇ ଥାଆନ୍ତି। କଲେଇ ପୋକମାନେ ଅଧିକ ସଂଖ୍ୟାରେ ହୁଙ୍କାରୁ ବାହାରିବା ପାଇଁ ସେମାନେ ସୁନାରୀ’ ନାମକ ଏକ ଫଳ ର ରସ କୁ ଉଇ ହୁକାଁ ଭିତରେ ପକାଇ ଥାଆନ୍ତି। ଫଲରେ ଉକ୍ତ ରସର ପ୍ରଭାବରେ ପ୍ରବଳ ମାତ୍ରା ରେ ଝଡି ପୋକ ବା କଲେଇ ହୁଙ୍କାରୁ ବାହାରି ଥାନ୍ତି। ଏବଂ ସେହି କଲେଇ ପୋକକୁ ସଂଗ୍ରହ କରିବା ପାଇଁ ଜଗି ରହିଥିବା ଲୋକେ ହୁଙ୍କା ଉପରେ ମଶାରି ଟାଣି କିମ୍ବା ହୁଙ୍କା ମୁହଁ ରେ ପତ୍ରରେ ନିର୍ମିତ ଠୋଲା ରଖି କଲେଇ ପୋକ ବା ଝଡି ପୋକ ସଂଗ୍ରହ କରିଥାଆନ୍ତି। ଆଉ ବର୍ଷା ଦିନରେ ଏହି ପୋକ ସଂଗ୍ରହ କରିବା ପାଇଁ ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ କେହି ନିଜକୁ ସମ୍ଭାଳି ପାରନ୍ତି ନାହିଁ। ଖାଇବାକୁ ଲାଗି ସେମାନଙ୍କ ପାଟିରୁ ଯେଭଳି ନାଳ ଗଡିବା ଆରମ୍ଭ କରେ। କେହି କେହି କଲେଇ ପୋକକୁ ଧରୁ ଧରୁ ସେଇଠି କଞ୍ଚା ମଧ୍ୟ ଖାଇଯାନ୍ତି। ଅନ୍ୟ ପକ୍ଷରେ ମଧ୍ୟ ଏହି କଲେଇ ପୋକ ଏହି ସମୟରେ ଅନେକ ଆଦବାସୀ ଙ୍କର ଏକ ରୋଜଗାର ର ମାଧ୍ୟମ ପଲଟିଥାଏ। ଯଦି କେହି ଅଧିକ ପୋକ ଧରେ ତେବେ ଗୋଟିଏ ମାଣ ଝଡିପୋକ ଦେଇ ତା ବଦଳରେ ସେ ଗୋଟିଏ ମାଣ ଚାଉଳ ନେଇଥାନ୍ତି। ଜିଲ୍ଲାର ହାଟ ବଜାର ରେ ଏହି କଲେଇ ପୋକର ପସରା ଦେଖିବାକୁ ମିଳିଥାଏ।