Odiapua.com

କେନ୍ଦୁଝର: ଉତର ଓଡ଼ିଶା ବିଶ୍ୱ ବିଦ୍ୟାଳୟ ଦ୍ୱିତୀୟ ପରିସର କେନ୍ଦୁଝର ଆନୁକୂଲ୍ୟରେ “ଓଡ଼ିଆ ଭାଷାର ସାମ୍ପ୍ରତିକ ସ୍ଥିତି ଓ ଭବିଷ୍ୟତ” ସମ୍ପର୍କିତ ଜାତୀୟ କର୍ମଶାଳା ଅନୁଷ୍ଠିତ:ଭାଷା ବଂଚିଲେ ଜାତି ବଂଚିବ

କେନ୍ଦୁଝର ତା ୮.୩.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଭାଷା ବଂଚିଲେ ଜାତି ବଂଚିବ। ପରିବର୍ତ୍ତନର ସ୍ରୋତରେ ଯୁଗ ଧର୍ମର ଆହ୍ୱାନରେ ଭାଷାକୁ ବଂଚାଇ ରଖିବା ପାଇଁ ସମସ୍ତଙ୍କର ଆନ୍ତରିକତା, ମାନସିକତା, ଆବେଗ ଓ ଭାବପ୍ରଣତା ଏକାନ୍ତ ଆବଶ୍ୟକ ବୋଲି ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ପରିସର କେନ୍ଦୁଝର ଆନୁକୂଲ୍ୟରେ ଆୟୋଜିତ ଏକ କର୍ମଶାଳାରେ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଗୁରୁବାର ଦିନ କେନ୍ଦୁଝର ଜିଲ୍ଲା ସଦର ମହକୁମାସ୍ଥ ନଗରଭବନଠାରେ “ଓଡ଼ିଆ ଭାଷାର ସାମ୍ପ୍ରତିକ ସ୍ଥିତି ଓ ଭବିଷ୍ୟତ” ସମ୍ପର୍କିତ ଜାତୀୟ କର୍ମଶାଳାରେ ଯୋଗ ଦେଇ ଅତିଥି ଓ ବକ୍ତାମାନେ ପ୍ରତିଟି ଓଡ଼ିଆ କାୟ ମନୋବାକ୍ୟରେ ଓଡ଼ିଆ ଭାଷାର ଅଭିବୃଦ୍ଧି ଓ ସମୃଦ୍ଧି ପାଇଁ ଅଙ୍ଗୀକାରବଦ୍ଧ ହେବାକୁ ଆହ୍ୱାନ ଜଣାଇଛନ୍ତି। ଏହି କର୍ମଶାଳାରେ ବିଶିଷ୍ଟ ଅତିଥିଭାବେ ଯୋଗ ଦେଇ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଡଃ ଅଜୟ କୁମାର ନାୟକ ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ପରିସର କେନ୍ଦୁଝର ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ କରି “ଓଡ଼ିଆ ଭାଷାର ସାମ୍ପ୍ରତିକ ସ୍ଥିତି ଓ ଭବିଷ୍ୟତ” ସମ୍ପର୍କରେ କର୍ମଶାଳା ଆୟୋଜନ କରି ମହତ୍ ପଦକ୍ଷେପ ନେଇଥିବାରୁ ସାଧୁବାଦ ଜଣାଇବା ସହିତ ଓଡ଼ିଆ ଭାଷାର ଅଭିବୃଦ୍ଧି ଦିଗରେ ଏହା ପ୍ରେରଣା ଯୋଗାଇବ ବୋଲି କହିଥିଲେ। ଓଡ଼ିଆ ଭାଷାର ଗାରିମା ଏବଂ ପ୍ରବାହମାନ ଧାରା ଉପରେ ଆଲୋକପାତ କରି ସମ୍ପ୍ରତି ପ୍ରାୟ ସବୁ ଭାଷା ସଂକଟ ଦେଇ ଗତି କରୁଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅଭୂତପୂର୍ବ ଉନ୍ନତି ଯୋଗୁଁ ବର୍ତମାନ ଭାଷା ତିଷ୍ଠିବା ଉପରେ ପ୍ରଶ୍ନବାଚୀ ଉଙ୍କି ମାରିଛି। ବିଶେଷତଃ ଯୁବପିଢୀ ମୁହଁରେ ଭାଷା ଉଚ୍ଚାରଣ ପରିବର୍ତେ ହ୍ୱାଟସ୍ ଆପ୍, ଫେସ୍ ବୁକ୍, ଇନ୍ ଷ୍ଟ୍ରାଗ୍ରାମ, ଟ୍ୱିଟର୍ ଜରିଆରେ ମନର ଭାବନା ଓ ଅଭିବ୍ୟକ୍ତି ପ୍ରକାଶ କରୁଛନ୍ତି। ଏଭଳି ପରିସ୍ଥିିତି ଉଦ୍ ବେଗଜନକ ଅଟେ। ମୁହଁରେ ଭାଷା ବ୍ୟବହାର ହେଲେ ତାର ଅସ୍ତିତ୍ୱ ଦୃଢ ହେବ। ଲୋକମାନଙ୍କର ଦୈନନ୍ଦିନ ଜୀବନ ଶୈଳୀରେ ପରିବର୍ତ୍ତନ ଆସିଛି। ନିର୍ବାକ ଭଙ୍ଗୀରେ ମନର ଭାବନା ବ୍ୟକ୍ତ କରିବା ଏକ ଫେସନ୍ ହେଲାଣି। ଏଣୁ ଯୁଗଧର୍ମ ସହିତ ତାଳ ଦେଇ ଅଳ୍ପ ଭିତରେ ଭାଷାର ସନ୍ଧାନ କରିବା ପାଇଁ ଦିଗଦର୍ଶନ ଦେବାର ଆବଶ୍ୟକତା ରହିଛି। ଭାବ, ଭାଷା ବଂଚିଲେ ସାହିତ୍ୟ ବଂଚିବ, ଜାତି ବଂଚିବ ବୋଲି ଅତିରିକ୍ତ ଶାସନ ସଚିବ ଡଃ ନାୟକ କହିଥିଲେ। ଏତଦ୍ ବ୍ୟତୀତ କେନ୍ଦୁଝରଠାରେ ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ପରିସର ସ୍ଥାପନର ଇତିବୃତି, ସଂଘର୍ଷ, ସଂଗ୍ରାମ ଉପରେ ଆଲୋକପାତ କରି ଏହାକୁ ଉତ୍କର୍ଷତାର କେନ୍ଦ୍ର ରୂପେ ଗଢି ତୋଳିବା ସହିତ ଉଚ୍ଚ ମାନର ଶୈକ୍ଷିକ ବାତାବରଣ ଓ ଭିତିଭୂମି ପ୍ରତିଷ୍ଠା କରି ଏହାକୁ ସ୍ୱଂୟସମ୍ପୂର୍ଣ୍ଣ ତଥା ବିଶ୍ୱସ୍ତରୀୟ ଶିକ୍ଷାକେନ୍ଦ୍ରରେ ପରିଣତ କରିବା ପାଇଁ ସମସ୍ତଙ୍କର ସକ୍ରିୟ ସହଯୋଗ କାମନା କରିଥିଲେ। ଦ୍ୱିତୀୟ ପରିସରର ବିକାଶ ପାଇଁ ସରକାର ଏବଂ ଜିଲ୍ଲାପାଳଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ। ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳସଚିବ ସଦାନନ୍ଦ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦ୍ୱିତୀୟ ପରିସର ଶୈଶବ ଅବସ୍ଥାରେ ଥାଇ ମଧ୍ୟ ଓଡ଼ିଆ ଭାଷାର ବିକାଶ ନିମନ୍ତେ ଜାତୀୟ ସ୍ତରୀୟ କର୍ମଶାଳା ଆୟୋଜନ କରିବା ଏକ ଉଲ୍ଲେଖନୀୟ ଘଟଣା ବୋଲି କହିଥିଲେ। କେନ୍ଦୁଝର ମାଟି କେତେ ସାରସ୍ୱତ ସ୍ରଷ୍ଟାଙ୍କୁ ଜନ୍ମ ଦେଇଛି ଏବଂ ସ୍ରଷ୍ଟାମାନେ ଓଡ଼ିଶାର ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି। ଓଡ଼ିଆ ଭାଷାର ବିକାଶ ପାଇଁ ଦ୍ୱିତୀୟ ପରିସର ଅଗ୍ରଣୀ ଭୂମିକା ନିଭାଇବ ବୋଲି ଆଶା ବ୍ୟକ୍ତ କରିବା ସହିତ ଏଦିଗରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏତଦ୍ ବ୍ୟତୀତ ଦ୍ୱିତୀୟ ପରିସରକୁ ସ୍ୱଂୟସମ୍ପୂର୍ଣ୍ଣ କରିବା ସହିତ ଜିଲ୍ଲାବାସୀଙ୍କର ଆବେଗକୁ ସାକାର କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ବାଉରୀ ବନ୍ଧୁ କର ମୁଖ୍ୟ ଅତିଥି ଭାବେ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ବିଜୟ କୁମାର ଶତପଥୀ ମୁଖ୍ୟବକ୍ତାଭାବେ ଯୋଗ ଦେଇ “ଓଡ଼ିଆ ଭାଷାର ସାମ୍ପ୍ରତିକ ସ୍ଥିତି ଓ ଭବିଷ୍ୟତ” ସମ୍ପର୍କରେ ଦୀକ୍ଷାନ୍ତ ଭାଷଣ ଦେଇଥିଲେ ଏବଂ ମା, ମାଟି ଓ ମାତୃଭୂମିକୁ ପ୍ରତ୍ୟେକ ବ୍ୟକ୍ତି ଭଲ ପାଇବା ପାଇଁ ଆହ୍ୱାନ ଜଣାଇଥିଲେ। ପିଜି କାଉନସିଲ ଚେୟାରମ୍ୟାନ ନକୁଳାନନ୍ଦ ମହାନ୍ତି ପୁଣ୍ୟ ସଲିଳା ବୈତରଣୀର ଉତ୍ପତିସ୍ଥଳ କେନ୍ଦୁଝର ମାଟିର ଗାରିମା ଏବଂ ମହିମା ବର୍ଣ୍ଣନା କରି ଓଡ଼ିଆ ଭାଷା ସାହିତ୍ୟର ବିକାଶ କ୍ଷେତ୍ରରେ ଏହି ମାଟିର ମଣିଷ ମାନଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ବିଭାଗୀୟ ମୁଖ୍ୟ ଓ ଦ୍ୱିତୀୟ ପରିସରର ନିର୍ଦ୍ଦେଶକ ପ୍ରଫେସର ଅନାଦି ଚରଣ ଗାଁଣ ଏହି ଆଲୋଚନା ଚକ୍ରରେ ଅଧ୍ୟକ୍ଷତାରେ ନିଜ ଅଭିଭାଷଣରେ କର୍ମଶାଳା ଆୟୋଜନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଆଗାମୀ ଦିନରେ ଓଡ଼ିଆ ଭାଷା ସାହିତ୍ୟର ବିକାଶ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ଦ୍ୱିତୀୟ ପରିସରର ସାମଗ୍ରିକ ବିକାଶ ସହିତ ଏହାକୁ ଏକ ମର୍ଯ୍ୟାଦାବନ୍ତ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ଉଦ୍ୟମ କରାଯିବ ବୋଲି କହିଥିଲେ। ସହଯୋଗୀ ପ୍ରଫେସର ଡଃ ବବ୍ରୁବାହନ ମହାପାତ୍ର କର୍ମଶାଳାର ଭିତି ପ୍ରବନ୍ଧ ପାଠ କରିଥିଲେ। ଏହି ଅବସରରେ ଯୁବ ରେଡକ୍ରସ୍ ଶାଖା ଏବଂ ଜାତୀୟ ସମାଜ ସେବା ଶାଖାର ଶୁଭ ଉଦ୍ ଘାଟନ କରାଯାଇଥିଲା।

କର୍ମଶାଳାର ଦ୍ୱିତୀୟ ଅଧିବେଶନରେ ମୁଖ୍ୟବକ୍ତାଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ବିମ୍ବାଧର ବେହେରା, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ କୃଷ୍ଣଚନ୍ଦ୍ର ନାୟକ ଯୋଗ ଦେଇଥିବାବେଳେ ଅଧ୍ୟାପକ ଡଃ ସୁମନ୍ତ୍ର ନାଏକ, ଅଧ୍ୟାପକ ଅସିତ୍ ପ୍ରଧାନ, ସହଯୋଗୀ ପ୍ରଫେସର ଡଃ ସୁଧୀର କୁମାର ସାହୁ, ଅଧ୍ୟାପକ ଡଃ ଶିଶିର ବେହେରା, ଗବେଷିକା ମଧୁସ୍ମିତା ବେହେରା ଭିତିପ୍ରବନ୍ଧ ପାଠ କରିଥିଲେ ଏବଂ ଦ୍ୱିତୀୟ ପରିସରର ନିର୍ଦ୍ଦେଶକ ପ୍ରଫେସର ଅନାଦି ଚରଣ ଗାଁଣ ଅଧ୍ୟକ୍ଷତା କରିଥିଲେ।