Odiapua.com

କେନ୍ଦୁଝରରେ ଭାଲୁ ଆକ୍ରମଣରେ ଦମ୍ପତି ଗୁରୁତର : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି : ଚିକିତ୍ସାରେ ଅବହେଳାକୁ ନେଇ ଅସନ୍ତୋଷ

କେନ୍ଦୁଝର, ୨୬ ଅଗଷ୍ଟ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝରରେ ଭାଲୁ ଆକ୍ରମଣରେ ବୃଦ୍ଧ ଦମ୍ପତି ଗୁରୁତର ଆହତ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କେନ୍ଦୁଝର ସଦର ରେଞ୍ଜ ଖାଡିଆଡିହା ଗ୍ରାମର ବୃଦ୍ଧ ଦମ୍ପତି ମଦନା ନାଏକ ଓ ରାଣୀ ନାଏକ ଆଜି ବୁଧବାର ଦିନ ଗାଁ ଜଙ୍ଗଲକୁ ଲାଗି ରହି ଥିବା ତାଙ୍କ ନିଜ ବିଲ କୁ କାମ କରିବାକୁ ଯାଇଥିଲେ। ଦିନ ପ୍ରାୟ ୧୨ ଟା ସମୟରେ ବିଲ କାମ ସାରି ସେମାନେ ନିଜ ଘରକୁ ଫେରୁଥୁବା ସମୟରେ ହଠାତ ସେହି ଜଙ୍ଗଲ ନିକଟରେ ଦୁଇ ଟି ଭାଲୁ ଙ୍କର ହାବୁଡରେ ପଡିଯାଇଥିଲେ। ଭାଲୁ ଦୁଇଟି ହଠାତ୍ ଉଭୟଙ୍କୁ ଆକ୍ରମଣ କରି ଗୁରୁତର କରିପକାଇଥିଲା। ପାଖ ବିଲ ରେ କାମ କରୁଥୁବା ଲୋକେ ଏମାନେ ଭାଲୁ ହାବୁଡରେ ପଡିଥିବା ଦେଖି, ପାଟି ତୁଣ୍ଡ କରିବାରୁ ଭାଲୁ ଦୁଇଟି ଉଭୟଙ୍କୁ ଛାଡି ଜଙ୍ଗଲ ଭିତରକୁ ପଳାଇଯାଇଥିଲେ। ଭାଲୁ ମଦନା ଙ୍କର ମୁଣ୍ଡ, ଆଖି ପାଖ, ମୁହଁ ଓ ହାତ ଆଦିକୁ କାମୁଡି ପକାଇଥିବା ବେଳେ ରାଣୀ ଙ୍କର ହାତ, ମୁହଁ ଓ ପଛପଟକୁ କାମୁଡି ଗୁରୁତର କରିପକାଇଛି। ଗାଁ ଲୋକେ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ କୁ ଡାକିଥିଲେ ମଧ୍ୟ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସଟି ଗୁରୁତର ଙ୍କ ପାଖରେ ପହଞ୍ଚି ପାରିନଥିଲା। ଗାଁ ଲୋକେ ଗୁରୁତର ସ୍ୱାମୀ ସ୍ତ୍ରୀ ଦ୍ୱୟଙ୍କୁ ପ୍ରାୟ ଦେଢ କିଲୋମିଟର ବୋହି ବୋହି ଆମ୍ବାଲାନ୍ସ ପାଖକୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ। ଦୁଇ ଜଣଙ୍କ ମଧ୍ୟରୁ ମଦନା ଙ୍କର କ୍ଷତ ଗୁରୁତର ଥିବାରୁ ତାଙ୍କୁ ଆଉଟ ଡୋର ରୁ ଓ-ଟି କୁ ପଠାଯାଇଥିଲା। ହେଲେ ଆଶ୍ଚର୍ଯ୍ୟର କଥା ଯେ ଗୁରୁତର ରୋଗୀ ଜିଲ୍ଲା ଚିକିତ୍ସାଳୟ ର ଓ-ଟି ତଥା ଅପରେସନ ରୁମ ଆଗରେ ଦୀର୍ଘ ସମୟ ଧରି ଠିଆ ଯନ୍ତ୍ରଣା ରେ ଛଟପଟ ହେଉଥିଲେ ସୁଦ୍ଧା କେହି ଡାକ୍ତର କି ଅନ୍ୟ କେହି ଆସି ନଥିଲେ। ଦୀର୍ଘ ସମୟ ଧରି ଯନ୍ତ୍ରଣାରେ ଛଟପଟ ହେବା ପରେ ଯାଇ ତାଙ୍କର ଚିକିତ୍ସା ହୋଇଥିଲା। ବର୍ତ୍ତମାନ ସ୍ୱାମୀଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ସ୍ତ୍ରୀ ଙ୍କର ଅବସ୍ଥା ଅଧିକ ଗୁରୁତର ରହିଛି। ଏହା ହିଁ ହେଉଛି ଆମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବସ୍ଥା। କୋଭିଡ ନାମରେ ଏଠାରେ ସବୁ ସମ୍ଭବ। କେହି କିଛି ଶୁଣିବାକୁ କିମ୍ବା ବୁଝିବାକୁ ନାହାଁନ୍ତି। ଏଠାରେ ରୋଗୀକୁ କେବଳ ଭଗବାନ ହିଁ ଭରସା। କେନ୍ଦୁଝର ଭଳି ପାହାଡ ପର୍ବତ ମୂଲ୍ୟବାନ ବନ୍ୟ ସଂପଦ ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଜିଲ୍ଲାରେ ବ୍ୟାପକ ପରିମାଣରେ ବନ୍ୟ ସଂପଦ ହ୍ରାସ କାରଣରୁ ଜଙ୍ଗଲର ବନ୍ୟ ଜନ୍ତୁ ସବୁ ଜନପଦ ମୁହାଁ ହେଉଛନ୍ତି।