Odiapua.com

କେନ୍ଦୁଝରରେ କାଜୁ ଗଛ ରୋପଣ ନାମରେ କୋଟି କୋଟି ଟଙ୍କା ଚଳୁ : ଶ୍ରମିକଙ୍କର ପାଉଣା ମଧ୍ୟ ଚଳୁ : ନିଦାବିଷ୍ଣୁ ଭୁମିକାରେ ଜିଲ୍ଲା ପ୍ରଶାସନ

କେନ୍ଦୁଝର ୭-୨ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ବୃକ୍ଷ ରୋପଣ ନାମରେ ଦୁର୍ନିତିର ଅଭିଯୋଗ କେନ୍ଦୁଝର ଜିଲ୍ଲା ଉଦ୍ୟାନ ବିଭାଗର ପିଛା ଯେପରି ଛାଡୁ ନାହିଁ। ଏଥିପାଇଁ ବିଗତ ଦିନରେ ବିଭାଗକୁ ବହୁତ ହଲାପଟା ହେବାକୁ ପଡିଥିଲା ବେଳେ ଏବେ ପୁଣି କେନ୍ଦୁଝର ଜିଲ୍ଲାରେ କାଜୁ ବୃକ୍ଷ ରୋପଣ ନାମରେ ଚଳୁ ହୋଇଛି କୋଟି କୋଟି ଟଙ୍କା ଚଳୁ ହୋଇଥିବା ସଂପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ଭିତ୍ତିକ ଅଭିଯୋଗ ଆସିଛି। ଏପରି କି ଶ୍ରମିକ ମାନଙ୍କର ମାସ ମାସର ମଜୁରୀ ଟଙ୍କା ମଧ୍ୟ ଖାଇଯାଇଛନ୍ତି। ଏସଂର୍ପର୍କରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ସବୁ ଜାଣି ଶୁଣି ଚୁପ ହୋଇ ବସିଛି ଜିଲ୍ଲା ପ୍ରଶାସନ। ଗତ ଦୁଇ ତିନି ବର୍ଷ ମଧ୍ୟରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକର ଶହ ଶହ ଚାଷୀଙ୍କର ହଜାର ହଜାର ହେକ୍ଟର ଜମିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି କଲମୀ କାଜୁ ବୃକ୍ଷ ରୋପଣ କରାଗଲା। ହେଲେ କିଛି ଅସାଧୁ କର୍ମଚାରୀଙ୍କର ପକେଟ ଗରମ କରିବା ନିଶା ଯୋଗୁଁ ଏବେ ପ୍ରୟତଃ କୌଣସି ଜମିରେ ଗୋଟେ ହେଲେ କାଜୁ ଗଛର ଚିହ୍ନ ବର୍ଣ୍ଣ ନାହିଁ। ଏହି ପରିପ୍ରେକ୍ଷୀରେ ଭାତ ହାଣ୍ଡିରୁ ଗୋଟିଏ ଚିପିବା ନୀତିରେ ସଦର ବ୍ଲକର ରଘୁନାଥପୁର ଗାଁ ରେ କାଜୁ ବୃକ୍ଷ ରୋପଣର ସ୍ଥିତିକୁ ଉଦାହରଣ ଭାବେ ନିଆ ଯାଇପାରେ।

କେନ୍ଦୁଝର ସଦର ବ୍ଲକର ରଘୁନାଥପୁର ଗାଁର କିଛି ଚାଷୀଙ୍କର ଅଭିଯୋଗ ଅନୁସାରେ ସେମାନେ ତାଙ୍କ ଜମିରେ ଗୁଡାଧାନ, ରବି ଫସଲ ଓ ଚାଷ ଆଦି କରି ଦୁଇ ପଇସା ରୋଜଗାର କରି ବେଶ ଭଲରେ ପରିବାର ଚଳାଇ ଆସୁଥିଲେ। ହେଲେ ଗତ ଦୁଇ ବର୍ଷ ପୂର୍ବେ ଉଦ୍ୟାନ ବିଭାଗର କିଛି କର୍ମଚାରୀ ତାଙ୍କ ଗାଁ ରେ ପହଂଚି ସେମାନଙ୍କୁ ସୁନେଲି ସ୍ୱପ୍ନ ଦେଖାଇଥିଲେ। କହିଥିଲେ ଯେ, ଚାଷ ଓ ପନି ପରିବାରୁ କେତେ ବା ପଇସା ପାଉଛ। କିନ୍ତୁ କାଜୁ ଦାମ ତା ଠାରୁ ବହୁତ ଅଧିକ। ତେଣୁ କାଜୁ ଗଛ ଲଗାଇଲେ ବହୁ ଢେର ଅଧିକ ପଇସା ପାଇବ। ଆମେ କାଜୁ ଗଛ ଲଗାଇ ଦେବୁ। ଏବଂ ତିନି ବର୍ଷ ପର୍ଯ୍ୟନ୍ତ ଜଗାରଖା ମଧ୍ୟ କରିବୁ। ଏବେ ତାପରେ ଗଛ ଗୁଡିକରେ ଫଳ ଆସିବା ସମୟ ହେଲେ ସେସବୁକୁ ତୁମକୁ ହସ୍ତାନ୍ତର କରିଦେବୁ। ତୁମେମାନେ କାଜୁ ଫଳ ବିକି ଭଲ ରୋଜଗାର କରିବ। ନିରୀହ ସରଳ ନିଷ୍କପଟ ଗରୀବ ଚାଷୀ ମାନେ ଧୋବ ଧବଳିଆ ସରକାରୀ ବାବୁ ମାନଙ୍କର କଥାକୁ ବିଶ୍ୱାସ କରିଗଲେ ଏବଂ ସେମାନଙ୍କ ହାତକୁ ଜମି ସବୁ ଟେକି ଦେଲେ। ଆଉ ଏହି ରଘୁନାଥପୁର ଗାଁ ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ୨୦୧୯-୨୦ ଆର୍ଥୀକ ବର୍ଷରେ ଆଠ ଜଣ ଚାଷୀଙ୍କର ସମୁଦାୟ ପାଂଚ ହେକ୍ଟର ଚାଷ ଜମି ରେ ୭ ଲକ୍ଷ ୨୯ ହଜାର ୧୫୦ ଟଙ୍କା ବ୍ୟୟ ଅଟକଳରେ କାଜୁ ବୃକ୍ଷ ରୋପଣ ହେଲା। କାଜୁ ଗଛଲଗାଇବା ସହ ବାଡବୁଜା ଆଦି କାମରେ ଶ୍ରମିକମାନେ ନିୟୋଜିତ ହେଲେ। କାଜୁ ଗଛ ଲଗା କାମ ସରିଗଲା ହେଲେ ସରକାରୀ ବାବୁ ମାନେ ଶ୍ରମିକଙ୍କର ପଇସା ନ ଦେଇ ଛୁ ମାରିଲେ। ଆହୁରି ମଧ୍ୟ ବାଡ ବୁଜିବା ପାଇଁ ଅମରି ଓ କାଠ ଆଦି ବୋହିଥିବା ଟ୍ରାକ୍ଟରର ପଇସା ମଧ୍ୟ ଦେଲେ ନାହିଁ। ସେପଟେ ଗଛ ଜଗିବାକୁ ରଖାଯାଇଥିବା ଜଗୁଆଳି ଙ୍କୁ ମଧ୍ୟ ସେମାନଙ୍କର ପଇସା ଦେଲେ ନାହିଁ। ଫଳରେ ଜଗୁଆଳି ଆଉ ଗଛ ଜଗିଲେ ନାହିଁ। ସେପଟେ ଗଛ ଲଗାଇ ଦେଲେ। କିନ୍ତୁ ପାଣି ଦିଆ ହେଲା ନାହିଁ। ଗଛ ପାଣି ଦରକାର କଲା, ଗଛରେ ଉଇ ଲାଗିଲେ। ଆଉ ଯାହା ଗଛ ରହିଲା ଜଗୁଆଳି ନଥିବାରୁ ଗାଈ ଗୋରୁ ପଶି ଖାଇ ମଧ୍ୟ ଗଲେ। ଉଦ୍ୟାନ ବିଭାଗ ଅଫିସକୁ ଯାଇ ଚାଷୀମାନେ ବାବୁମାନଙ୍କର ବାରମ୍ବାର ଦୃଷ୍ଟି ଆକର୍ଷଣ କଲେ। ହେଲେ କେହି ବାବୁ ସେମାନଙ୍କ କଥା ଶୁଣିଲେ ନାହିଁ। ଫଳରେ ଆଜି ଦିନରେ ଏହି ପାଂଚ ହେକ୍ଟର ଜମିରେ ଗୋଟେ ହେଲେ କାଜୁ ଗଛ ନାହିଁ। ଏପରି ସ୍ଥିତି ହୋଇଛି ଯେ ଚାଷୀ ମାନେ ସେ ଜମି ରେ ଆଉ ଅନ୍ୟ ଚାଷ ମଧ୍ୟ କରି ପାରୁ ନାହାନ୍ତି। ଯେଉଁଥିପାଇଁ ଚାଷୀମାନେ ଏବେ ଚାଷ ଛାଡି ଅନ୍ୟ ଠାରେ ମୂଲ ମଜୁରୀ ଲାଗୁଛନ୍ତି। ଏପରି କି ଯେଉଁଦିନ ମୂଲ ମିଳୁ ନାହିଁ ସେଦିନ ସେମାନଙ୍କୁ ଭୋକ ଉପାସରେ ରହିବାକୁ ପଡୁଛି ବୋଲି କହିଛନ୍ତି ଚାଷୀ ସନାତନ ମହାନ୍ତ, ଖଗେଶ୍ୱର ମହାନ୍ତ, ଗୁରୁ ଚରଣ ମହାନ୍ତ ପ୍ରମୁଖ ଚାଷୀ। ସେହି ଧୋବ ଧୋବଳିଆ ବାବୁମାନଙ୍କର ପ୍ରତାରଣାର ଶୀକାର ହୋଇଥିବା ସୁଜନୀ ନାଏକ ଶ୍ରମିକ ଭାବେ କାମ କରି ପାଉଣା ପାଇ ନଥିବା କଥା କହିଥିବା ବେଳେ ଟ୍ରାକ୍ଟର ମାଲିକ ବିଶ୍ୱନାଥ ମହାନ୍ତ ମହାନ୍ତ ମଧ୍ୟ ଅନୁରୁପ ଅଭିଯୋଗ ଆଣିଛନ୍ତି।

ସେପଟେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ସିଧା ସଳଖ କିଛି କହିବାର ସାହାସ ଯେପରି ଜୁଟାଇ ପାରୁ ନଥିଲେ ଅଥଚ ଅନ୍ୟପଟେ ଦୋଷସବୁ ଚାଷୀ , ଜଗୁଆଳି ଓ ଶ୍ରମିକ ମାନଙ୍କ ଉପରେ ଲଦିଦେବାର କାର୍ପଣ୍ୟ ଆଦୌ କରି ନାହାଁନ୍ତି। ତେବେ ଏହାର ଅନ୍ତରାଳେ କୁଆଡେ ଅସାଧୁ ଅଧିକାରୀ ତଥା କର୍ମଚାରୀମାନଙ୍କୁ ସୁରକ୍ଷା ଦେବା ତାଙ୍କର ମୂଳ ଲକ୍ଷ୍ୟ ରହିଥିବାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଏଭଳି କୋଟି କୋଟି ଟଙ୍କା ଘୋଟାଲା ସଂପର୍କରେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ପର୍ଯ୍ୟନ୍ତ ସମସ୍ତଙ୍କ ନୀରବଦ୍ରଷ୍ଟା ଭୁମିକା ସମସ୍ତଙ୍କ ପାଇଁ ସ୍ୱଭାବିକ ଭାବେ ବେଶ୍ ରହସ୍ୟପୂର୍ଣ୍ଣ ହୋଇପଡିଛି। ତେବେ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ହେଉଛି ସରକାରଙ୍କ ଦୁର୍ନିତି ମୁକ୍ତ ସ୍ୱଚ୍ଛ ପ୍ରଶାସନ ବ୍ୟବସ୍ଥା ଉପରେ ଏହା ଏକ କଳଙ୍କର ଦାଗ ବୋଲି କୁହାଗଲେ ଭୁଲ ରହିଲା କେଉଁଠି।