କେନ୍ଦୁଝର ୫-୧ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ରାଜ୍ୟର ବିକାଶକୁ ଆଗେଇ ନେବା ଲକ୍ଷ୍ୟରେ ରାଜ୍ୟ ସରକାର ଅନେକ ଲୋକହିତକର କାର୍ଯ୍ୟ ହାତକୁ ନେଉଥିବା ବେଳେ ଏଥିଲାଗି ଅର୍ଥର ଅଭାବ ନଥିବା କଥା ମଧ୍ୟ କହୁଛନ୍ତି। ଏହି ପରିପ୍ରେକ୍ଷିରେ ଦେଖିବାକୁ ଗଲେ ମୂଲ୍ୟବାନ ଖଣିଜ ପଦାର୍ଥ ପାଇଁ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିବା କେନ୍ଦୁଝର ଭଳି ଏକ ଧନୀ ଜିଲ୍ଲାରେ, ଅର୍ଥର ଅବଶ୍ୟ ଅଭାବ ନଥିଲେ ମଧ୍ୟ ଯେ, କୌଣସି କାରଣରୁ ହେଉନା କାହିଁକି ବିକାଶ ଯେ ଅନେକ ସମୟରେ ଏଠାରେ ବାଟବଣା ହୋଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟୁଥିବା କଥାକୁ ଅସ୍ୱୀକାର କରିବାର କିଛି ନାହିଁ। ଯେଉଁଥି ପାଇଁ ଜିଲ୍ଲାରେ ପାଠ ପଢିବା ପାଇଁ ଆଗ୍ରହ ରଖିଥିବା ଛୋଟ ଛୋଟ କୋମଳମତି ଛାତ୍ରମାନଙ୍କୁ ଆଜି ବି ଉଛୁଳା ନଦୀରେ ଆହୁଲା ମାରି ନଦୀ ପାର ହୋଇ ସ୍କୁଲ ଯିବାକୁ ପଡୁଥିବା ବେଳେ, ଏହି ଜିଲ୍ଲାରେ ବର୍ଷ ବର୍ଷ ଧରି ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ଜୀବନ ବିତାଉ ଥିବା ଗ୍ରାମର ଝିଅ ମାନଙ୍କୁ ବିବାହ କରିବା ପାଇଁ ଗ୍ରାମକୁ ବରପାତ୍ର ଆସୁ ନାହାଁନ୍ତି। ଶୁଦ୍ଧ ପାନୀୟ ଜଳ ପାଉ ନଥିବା ଅଧିବାସୀଙ୍କୁ ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ଖଣିଜ ପାଣ୍ଠି ଅର୍ଥରେ ବହୁ ସଂଖ୍ୟାରେ ସୋଲାର ସିଷ୍ଟମରେ ନଳକୂପ ସ୍ଥାପନ କରାଯାଇଥିଲେ ମଧ୍ୟ ସେ ମଧ୍ୟରୁ ଅଧିକାଂଶ ସୋଲାର ନଳକୂପ ଏବେ ହିତାଧିକାରୀଙ୍କ କାମରେ ଆସୁ ନାହିଁ। କିନ୍ତୁ ଏ ସଂପର୍କରେ ଗ୍ରାମବାସୀଙ୍କ ଦୁଖଃ କେହି ଶୁଣୁ ନଥିବା ସେମାନେ କହୁଛନ୍ତି।
ଅବିଶ୍ୱାସ ହେଲେ ବି ସତ୍ୟ। ସ୍ୱାଧୀନତାର ଦୀର୍ଘ ୭୩ ବର୍ଷ ପରେ ଆଜି ବି କେନ୍ଦୁଝର ଜିଲ୍ଲାରେ ଏଭଳି ଗ୍ରାମ ରହିଛି ଯେଉଁ ଗ୍ରାମର ଝିଅମାନଙ୍କୁ ବିବାହ ନିମନ୍ତେ ଗ୍ରାମକୁ ବରପାତ୍ର ଆସୁ ନାହାଁନ୍ତି। ସେମାନଙ୍କର ଏକମାତ୍ର ଭୁଲ ହେଉଛି ଯେ ଗତ ପ୍ରାୟ ୩୫ ବର୍ଷ ଗ୍ରାମବାସୀମାନେ ଏକ ପ୍ରକାର ଜଳବନ୍ଦୀ ଜୀବନ ବିତାଇ ଆସୁଛନ୍ତି। କେନ୍ଦୁଝର ଜିଲ୍ଲାର ସଦର ବ୍ଳକ ରେ ରହିଥିବା ଏହି ଗ୍ରାମଟି ନାମ ହେଉଛି ଖମଣଗୁଡା ସାହି। ଗ୍ରାମଟିକୁ ସମସ୍ତ ପାଶ୍ୱର୍କୁ ଘେରି ରହିଛି ଜଳ। ଫଳରେ ଘରୁ ବାହାରିବାକୁ ଗ୍ରାମବାସୀ ମାନଙ୍କ ପାଇିଂ କେତେ ଖଣ୍ଡ କାଠରେ ନିର୍ମିତ ଅସୁରକ୍ଷିତ କାଠପୋଲ ନଚେତ ହୁଲି ଡଙ୍ଗା ଯାତାୟତ ର ଏକ ମାତ୍ର ଭରସା ପାଲଟି ଅଛି। ଏଭଳି ବିପଦପୁର୍ଣ୍ଣ ଅବସ୍ଥାରେ ଗ୍ରାମବାସୀ ମାନେ ବର୍ଷ ବର୍ଷ ଧରି ଯିବା ଆସିବା କରି ଆସୁଥିଲେ ମଧ୍ୟ ସେମାନଙ୍କ ଦୁଖଃ ଶୁଣିବାକୁ ଜିଲ୍ଲା ପ୍ରଶାସନ କିମ୍ବା ସରକାର କେହି ବି ଆଗ୍ରହ ପ୍ରକାଶ ନକରିବା ଜିଲ୍ଲା ପାଇଁ ଦୁର୍ଭାଗ୍ୟପୁର୍ଣ୍ଣ ନୁହେଁ ତ ଆଉ କଣ ? ବର୍ଷା ଦିନେ ଗ୍ରାବାସୀଙ୍କ ଅତି ଅବସ୍ଥା ଅତି ସଙ୍ଗୀନ ହୋଇ ପଡିଥାଏ। ତେବେ ରୋଗୀ କିମ୍ବା ହଠାତ୍ ଅସୁସ୍ଥ ହୋଇ ପଡିଥିବା ଲୋକଙ୍କ ପାଇଁ ଖଟିଆ ନଚେତ ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ ହୁଲି ଡଙ୍ଗା ଏକମାତ୍ର ଭରସା ହୋଇଥାଏ। ଅସୁରକ୍ଷିତ ପୋଲ ଉପରେ ବିପଦପୁର୍ଣ୍ଣ ଅବସ୍ଥାରେ କୋମଳମତି ବାଳକ ବାଳିକା ମାନେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଯାଉଥିବା ବେଳେ ହାଇସ୍ଖୁଲ ଯାଉଥିବା ଛାତ୍ର ଛାତ୍ରୀ କିମ୍ବା ଗ୍ରାମପଂଚାୟତ ଅଫିସ ଯାଉଥିବା ଗ୍ରାମବାସୀଙ୍କ ପାଇଁ ହୁଲି ଡଙ୍ଗା ହିଁ ଏକମାତ୍ର ଭରସା ଅଟେ। କାନଝାରୀ ଡ୍ୟାମ ପ୍ରକଳ୍ପ ସଂପୁର୍ଣ୍ଣ ହେବା ପରେ ଗତ ପ୍ରାୟ ୩୫ ବର୍ଷ ପୂର୍ବେ ଆରମ୍ଭ ହୁଏ ଏହି ଖମଣଗୁଡା ସାହି ବାସିନ୍ଦାଙ୍କ ଦୁଖଃ ା ସେହି ଦିନ ଠାରୁ ନିଜର ଅନିଶ୍ଚିତ ଭବିଷ୍ୟତକୁ ନେଇ ଆଦରି ପଡିଛନ୍ତି ଗ୍ରାମବାସୀମାନେ ା ଏବଂ ଅହ ରାତ୍ର ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ, ଗମନାଗମନ, ପାନୀୟ ଜଳ ଆଦି ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ହୋଇ ସମସ୍ୟା ଘେରରେ ପେଶି ହେଉଛନ୍ତି ଗ୍ରାମବାସୀ ମାନେ। ବିକାଶ ଠାରୁ ବହୁ ଦୂରରେ ରହିଥିବା ଏହି ଗ୍ରାମଟିକୁ ଆଜି ବି ସବୁଦିନିଆ ରାସ୍ତା ଖଣ୍ଡିଏ ନାହିଁ। ଫଳରେ ଆଜି ପର୍ଯ୍ୟନ୍ତ ଗ୍ରାମରେ ସଜାଇ ହୋଇ ପାରୁ ନାହିଁ ବିବାହ ବେଦୀ ଟିଏ ଗ୍ରାମରେ ପଡୁନାହିଁ ବର ପାତ୍ର ର ପାଦଟିଏ। ନିଜ ଜନ୍ମିତ ଗ୍ରାମରେ ଝିଅଟିଏ ବସିପାରୁ ନାହିଁ ବିବାହ ବେଦୀରେ।
ତେବେ ଏ ସବୁ କେନ୍ଦୁଝର ଜିଲ୍ଲାର ବିକାଶ ଧାରାର ଏକ ଝଲକ ମାତ୍ର ବୋଲି କୁହାଗଲେ ଭୁଲ ରହିଲା କେଉଁଠି? ଏଭଳି ସ୍ଥିତିରେ ଜିଲ୍ଲାର ଖଣିଜ ପାଣ୍ଠି କେଉଁ ବିକାଶରେ ଲାଗୁଛି ବୋଲି ପ୍ରଶ୍ନ ଉଠିବା ସ୍ୱଭାବିକ। ଅନ୍ୟ ପକ୍ଷରେ ଜିଲ୍ଲାର ବିକଶ ଦିଗରେ ନିଆଯାଉଥିବା କାର୍ଯ୍ୟକ୍ରମ ଗୁଡିକର ସଫଳ ରୂପାୟନ କ୍ଷେତ୍ରରେ ଦାୟିତ୍ୱରେ ରହୁଥିବା ଅଧିକାରୀ ମାନଙ୍କର ଆବଶ୍ୟକ ଆନ୍ତରିକତା ର ଅଭାବ ସଙ୍ଗକୁ ଏବଂ ହାତକୁ ନିଆ ଯାଉଥିବା ପ୍ରକଳ୍ପ ଗୁଡିକର ବିଫଳତା ପାଇଁ କାହାକୁ ଉତରଦାୟୀ କରାଯାଉନଥିବା କାରଣରୁ ସେ ଗୁଡିକ ହିତାଧିକାରୀମାନଙ୍କ କାମରେ ଲାଗି ପାରୁନାହିଁ। ଏ ଦିଗରେ ଜିଲ୍ଲା ମୁଖିଆ ଗୁରୁତର ସହ ବିଚାର କରିବାର ଆବଶ୍ୟକ ଥିବା ସପକ୍ଷରେ ମତ ପ୍ରକାଶ ପାଇଅଛି।