Odiapua.com

କେନାଲ ଜଳସେଚନ ବ୍ୟବସ୍ଥା ଫେଲ୍ : ୨୦% ଜମିରେ କୃଷିକାର୍ଯ୍ୟ ହୋଇପାରିନି

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବର୍ଷ ଭଦ୍ରକ ଜିଲାରେ ଖରିଫ ଧାନ ଚାଷରେ କଣ୍ଟା ସାଜିଛି ମହାମାରୀ କରୋନା । ବେକାର ସାବ୍ୟସ୍ତ ହୋଇଛି କେନାଲ ଜଳ ସେଚନ ବ୍ୟବସ୍ଥା, ପଡିଆ ପଡିଛି ଲକ୍ଷାଧିକ ହେକ୍ଟର ଚାଷ ଜମି । କରୋନା ସାଙ୍ଗକୁ ବର୍ଷାଭାବ ଜିଲାରେ ଖରିଫ ଧାନ ଚାଷକୁ ପଛୁଆ କରିଛି । ଚଳିତବର୍ଷ ଭଦ୍ରକ ଜିଲାରେ ମୋଟ ୧ ଲକ୍ଷ ୭୧ ହଜାର ହେକ୍ଟର ଚାଷ ଜମି ମଧ୍ୟରୁ ୧ ଲକ୍ଷ ୬୧ ହଜାର ୫ ଶହ ହେକ୍ଟର ଜମିରେ କେବଳ ଖରିଫ ଧାନଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଥିଲା । ଜିଲାସ୍ତରୀୟ ବାର୍ଷିକ ଖରିଫ କୃଷି କାର୍ଯ୍ୟକ୍ରମ ବୈଠକରେ ଏହି ସୂଚନା ଜାରି କରାଯାଇଥିଲା । ତେବେ କରୋନା ସଂକଟ ସାଙ୍ଗକୁ ବର୍ଷାଭାବ ସରକାରୀ ଆକଳନକୁ ସଂପୂର୍ଣ୍ଣ ଭାବେ ବିଗାଡି ଦେଇଛି । ଆଷାଢ ମାସ ସରିବାକୁ ବସିଥିବାବେଳେ ବିଲରେ ପାଣି ନାହିଁ କିମ୍ବା ଖରିଫ ଧାନଚାଷର ଅଗ୍ରଗତି ହୋଇପାରିଲାନି । ଜିଲା କୃଷି ବିଭାଗ ସୂଚନା ଅନୁଯାୟୀ ଖରିଫରେ ପ୍ରାୟ ୪୦ ଭାଗ ଜମି ବୁଣା ଯାଉଥିବାବେଳେ ୬୦ ଭାଗ ଜମି ରୁଆପୋତା ହୋଇଥାଏ । ଏଥିପାଇଁ ଜୁନ୍ ମାସରେ ତଳି ପକାଯାଇ ଜୁଲାଇ ମାସ ସୁଦ୍ଧା ରୁଆପୋତା କାମ ସାରି ଦିଆଯାଇଥାଏ । ହେଲେ ଚଳିତବର୍ଷ କରୋନା ଯୋଗୁଁ ୨ ମାସ ଧରି ଲକଡାଉନ୍ ଜାରି ରହିବା ଫଳରେ କୃଷି କାର୍ଯ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା । ଫଳରେ ଏହି ସମୟରେ ଜିଲାରେ ସ୍ୱାଭାବିକତା ଠାରୁ ଯଥେଷ୍ଟ ଅଧିକ ବୃଷ୍ଟିପାତ ସତ୍ୱେ କୃଷିକାର୍ଯ୍ୟ ଆରମ୍ଭ ହୋଇପାରିନଥିଲା । ଜିଲା ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଗତ ଏପ୍ରିଲ, ମଇ ଏବଂ ଜୁନ୍ ମାସରେ ଭଦ୍ରକ ଜିଲାରେ ସ୍ୱାଭାବିକ ବୃଷ୍ଟିପାତ ଯଥାକ୍ରମେ ୫୧.୨, ୯୧.୪ ଏବଂ ୧୯୮.୨ ହୋଇଥିବାବେଳେ ଅପ୍ରେଲ ମାସରେ ୧୪୩.୮୦, ମଇ ମାସରେ ୧୪୮.୧୯ ଏବଂ ଜୁନ୍ ମାସରେ ସର୍ବାଧିକ ୧୯୯.୦୯ ମିମି ଅନୁଭୂତ ହୋଇଛି । ଏହାସତ୍ୱେ ସରକାରୀ ଭାବେ କୃଷିକାର୍ଯ୍ୟ ଉପରୁ କଟକଣା ହଟିବା ପରେ ଚାଷୀଙ୍କ ପାଇଁ ଏବେ ବାଧକ ସାଜିଛି ବର୍ଷା ।

 

 

ଫଳରେ ଆଷାଢ ଯାଇ ଶ୍ରାବଣ ମାସ ହେବାକୁ ଥିବାବେଳେ ଜିଲାରେ ୨୦ ପ୍ରତିଶତ ଜମିରେ ମଧ୍ୟ କୃଷିକାର୍ଯ୍ୟ ସମ୍ଭବ ହୋଇପାରିନାହିଁ । ବର୍ଷାକୁ ଚାହିଁ ଚାହିଁ ଚାଷୀ ଆଖିରୁ ନିଦ ହଜିଗଲାଣି । ଖରାଟିଆ ହେଉ କିମ୍ବା ବତୁରା ଚଳି ହେଉ, ବର୍ଷା ବିନା ମରିବାକୁ ବସିଲାଣି । ଚାଷୀଙ୍କ କହିବା ଅନୁଯାୟୀ ଆଉ ସପ୍ତାହ ଦୁଇସପ୍ତାହ ଏମିତି ପାଣିପାଗ ଲାଗି ରହିଲେ ପକାଯାଇଥିବା ତଳି ମରିବା ନିଶ୍ଚି । ତଳି ମରିଗଲେ ପୁଣି ତଳି ପକାଇ ଖରିଫ ଧାନ ଚାଷକୁ ଆଗେଇ ନେବା କାଠିକର ପାଠ ହେବ ବୋଲି କହନ୍ତି ଗୋବିଦ୍ଦପୁର ଗ୍ରାମର ଜଣେ ଆଗୁଆ ଚାଷୀ ଅରବିନ୍ଦ ମହାନ୍ତି । ସେହିଭଳି ଜିଲାରେ ଜଳସେଚନ ବ୍ୟବସ୍ଥା ଥାଇ ମଧ୍ୟ ଠିକଣା ବେଳକୁ ଚାଷ ଜମିକୁ ଜଳଯୋଗାଣ ସମ୍ଭବ ନହେବା ଜିଲାରେ କେନାଲ ଜଳସେଚନ ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇ ଦେଇଛି । ସାଳନ୍ଦୀ ଜଳସେଚନ ବିଭାଗ ସୂଚନା ଅନୁଯାୟୀ ଭଦ୍ରକ ଜିଲାରେ ଅନ୍ୟାନ୍ୟ ଜଳସେଚନ ବ୍ୟବସ୍ଥା ଭିନ୍ନ କେବଳ ସାଳନ୍ଦୀ ଜଳ ସେଚନ ବ୍ୟବସ୍ଥାରେ ଜିଲାରେ ପ୍ରାୟ ୯୦ ହଜାର ହେକ୍ଟରରୁ ଉର୍ଦ୍ଧ୍ୱ ଜମିକୁ ଜଳ ସେଚନ ସୁବିଧା ଯୋଗାଇ ଦିଆଯାଉଛି । ତେବେ କାଗଜପତ୍ରରେ କେବଳ ଏହି ତଥ୍ୟ ସୀମିତ ବୋଲି ଅଧିକାଂଶ ଚାଷୀ ଅଭିଯୋଗ କରିଛନ୍ତି । କେନାଲ ରକ୍ଷଣାବେକ୍ଷଣ ଅଭାବ ଏବଂ ତ୍ରୁଟିପୂର୍ଣ୍ଣ ଜଳ ପରିଚାଳନା ଯୋଗୁଁ ତଳମୁଣ୍ଡର ଚାଷୀଙ୍କୁ ଏହି ଜଳ ମିଳିବା ବେଳକୁ ଫସଲ ଉଜୁଡିଯିବା ଭଳି ପରିସ୍ଥିତି ଉପୁଜୁଛି । ଫଳରେ ଜିଲାରେ ପ୍ରଭାବୀ ଜଳସେଚନ ସୁବିଧା ଥାଇ ମଧ୍ୟ ଲକ୍ଷ ଲକ୍ଷ ଚାଷୀ ବର୍ଷାଜଳ ଉପରେ ନିର୍ଭର କରି ଖରିଫ ଧାନ ଚାଷ କରିବାକୁ ବାଧ୍ୟ ହୋଇଛନ୍ତି ।