ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାମ୍ବିଧାନିକ ଅଧିକାର ପାଇଁ ଆମରଣ ଅନଶନ ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଏପରିକି ଭୋଟ୍ ଦେଇନପାରିଲେ ବୁଥ୍ରେ ତାଲା ପକାଇବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ସାମ୍ବିଧାନିକ ଅଧିକାର ପାଇଁ ଭଦ୍ରକ ବ୍ଲକ୍ କେଦାରପୁର ପଂଚାୟତ ରସାଳପୁର ଗ୍ରାମର ଅନେକ ଗ୍ରାମବାସୀ ଆଜି ଆମରଣ ଅନଶନର ଚେତାବନୀ ଦେଇଛନ୍ତି। ଗ୍ରାମର ୫୪ ଜଣଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡିବାରୁ ଅସନ୍ତୋଷ ଜାହିର କରିଛନ୍ତି ଗ୍ରାମବାସୀମାନେ। ସୂଚନା ଅନୁଯାୟୀ ଭଦ୍ରକ ବ୍ଲକ୍ କେଦାରପୁର ଗ୍ରାମପଞ୍ଚାୟତର ୧ ନଂ ୱାର୍ଡ ପରିବିନ୍ଧା ରସାଳପୁର ଗ୍ରାମର ୫୪ ଜଣ ଭୋଟର ପଂଚାୟତ ଭୋଟର ତାଲିକାରୁ ବାଦ୍ ପଡିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବିଧାନସଭା ଭୋଟର ତାଲିକାରେ ୱାର୍ଡର ସମସ୍ତ ଭୋଟରଙ୍କ ନାମ ଥିବାବେଳେ ଏଥର ୨୦୨୨ ରେ ନୂତନ କରି ପଂଚାୟତ ଭୋଟର ତାଲିକାରୁ ୫୪ ଜଣ ଭୋଟର ବାଦ୍ ପଡିଛନ୍ତି। ପଂଚାୟତର ନିର୍ବାହୀ ଅଧିକାରୀ ଅଜୟ ଦାସ ଶାସକ ଦଳର ସରପଞ୍ଚଙ୍କ ସଂପର୍କୀୟ ଥିବାରୁ ସେ ତଂଚକତା କ୍ରମେ ଅନ୍ୟ ୱାର୍ଡର ୫୪ ଭୋଟରଙ୍କ ନାମ ଦରଜ କରିବା ସହ ଭୋଟର ତାଲିକାର ଡ୍ରାଫ୍ଟ ପବ୍ଲିକେଶନ ସର୍ବସାଧାରଣରେ ନକରାଇ ଭୋଟରଙ୍କ ନାମକୁ ବାଦ୍ କରି ସେମାନଙ୍କୁ ନିରପେକ୍ଷ ଭୋଟ ଦେବାରୁ ବଂଚିତ କରିଛନ୍ତି। ଯାହା ଚୂଡାନ୍ତ ତାଲିକା ପ୍ରକାଶନରୁ ଜାଣିବାକୁ ପାଇ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଭୋଟ ଦେବାରୁ ସେମାନେ ବଂଚିତ ହୋଇଛନ୍ତି ବୋଲି କହିଛନ୍ତି। ଏବଂ ଗ୍ରାମବାସୀ ଏ ବାବଦରେ ଜିଲାପାଳ, ଭଦ୍ରକ ବ୍ଲକ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଅବଗତ କରିଛନ୍ତି। ତେବେ ଯଦି ଯଥାଶୀଘ୍ର ଜିଲା ପ୍ରଶାସନ ଏଭଳି ସମ୍ବେଦନଶୀଳ ମାମଲା ଉପରେ ନଜର ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତେବେ ଗ୍ରାମବାସୀମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଥିବାବେଳେ ଭୋଟର ଲିଷ୍ଟ ସଂଶୋଧନ କରାନଗଲେ ମତଦାନ ସମୟରେ ବୁଥ୍ରେ ତାଲା ପକାଇବେ ବୋଲି କହିଛନ୍ତି।