Odiapua.com

କେତେ ସୁରକ୍ଷିତ ଧାମରା ଉପକୂଳ, ସାମୁଦ୍ରିକ ପଥ ଦେଇ ବାଂଲା ଅନୁପ୍ରବେଶ ଚିନ୍ତା

?????????????

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଂଲାଦେଶରେ ଚାଲୁଥିବା ହିଂସା ଯୋଗୁ ଦେଖାଦେଇଛି ଅସ୍ଥିରତା । ଆଉ ଏହି ଅସ୍ଥିରତା ଯୋଗୁ ଦେଖା ଦେଇଛି ଓଡିଶାକୁ ଅନୁପ୍ରବେଶ ଚିନ୍ତା । ସମୁଦ୍ର ତଟ ଅନୁପ୍ରବେଶକାରୀଙ୍କ ପାଇଁ ସୁରକ୍ଷିତ ବାଟ ସେହିପରି ଓଡିଶାରେ ସୁଦୀର୍ଘ ଉପକୂଳ ଦେଇ ବୋଟ ଓ ଡଙ୍ଗା ସାହାଯ୍ୟରେ ଉପକୂଳ ଓଡିଶାର ଧାମରା ,ତାଳଚୁଆ,କଶିଆ, ଚୁଡାମଣୀ ଆଦି ଅଂଚଳକୁ ଆସିବା ଏକ ପ୍ରକାର ସହଜ ହୋଇ ପଡିଥିବା ବେଳେ ଏହାକୁ ରୋକ ଲଗାଇବା ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପାଇଁ ଏକ ବଡ ଆହ୍ୱାନ ହୋଇ ପଡିଛି । ଏଥିପାଇଁ ଭଦ୍ରକ,କେନ୍ଦ୍ରାପଡା ଓ ବାଲେଶ୍ୱର ଥିବା ସାମୁଦ୍ରିକ ଥାନା ଗୁଡିକୁ ସର୍ତକ ରହିବାକୁ କୁହାଯାଇଥିବା ବେଳେ ଯେପରି ବାଂଲାଦେଶୀ ଅନୁପ୍ରବେଶକାରୀ ମାନେ ସମୁଦ୍ର ପଥ ଦେଇ ଓଡିଶା ଭିତରକୁ ପ୍ରବେଶ କରି ନ ପାରିବେ ସେଥିପାଇଁ ସଚେତନ ରହିବାକୁ କୁହାଯାଇଛି । ଭଦ୍ରକ ଜିଲ୍ଲାରେ ଧାମରା ଉପକୂଳ ଅତି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବା ବେଳେ ଏହି ଅଂଚଳରେ ମୁଖ୍ୟତଃ ବଙ୍ଗାଳୀ ଅଧିବାସୀଙ୍କ ସଂଖ୍ୟା ଅଧିକ ଦେଖାଯାଇଥାଏ । ସମୁଦ୍ର କୂଳେ କୂଳେ ଏମାନଙ୍କ ବସତି ଥିବାରୁ ସମୁଦ୍ରରେ ବୋଟ ଓ ଡଙ୍ଗା ସାହାର୍ଯ୍ୟରେ ମାଛ ମାରିବା ଅଧିକାଂଶ ବେଙ୍ଗଲି ପରିବାରର ବେଉଷା ପାଲଟି ଥାଏ । ପୁର୍ବରୁ ଶହ ଶହ ବାଂଲାଦେଶୀ ଏହି ସାମୁଦ୍ରିକ ପଥ ଦେଇଧାମରା ,ଦୋସିଙ୍ଗା, କଇଥଖୋଲା, କରଞ୍ଜମାଳ କରଣପଲ୍ଲୀ ଚୁଡାମଣୀ,କଶିଆ,ଜମ୍ବୁ,ବାଲେଶ୍ୱର,ବଳରାମଗଡି,ବାହାବଳପୁର,ରାଜନଗର,ତାଳଚୁଆ, ଆଦି ଅଂଚଳର ଶହ ଶହ ସଂଖ୍ୟାରେ ବସତି ସ୍ଥାପନ କରି ରହିଥିବାର ନଜର ଥିବା ବେଳେ ସ୍ଥାନୀୟ ସାମୁଦ୍ରିକ ଥାନା, ପୋଲିସ କିମ୍ବା ରାଜ୍ୟ ଗୋଇନ୍ଦା ବିଭାଗ କେହି କେବେ ଦୃଷ୍ଟି ଦେଇନାହାଁନ୍ତି । ବଙ୍ଗୋପସାଗରର ସୁଦୀର୍ଘ ଉପକୂଳ ଦେଇ ବାଂଲାଦେଶୀମାନେ ଏହି ସବୁ ଅଂଚଳରେ କାୟା ବିସ୍ତାର କରି ଚାଲିଥିବା ବେଳେ ସେମାନଙ୍କୁ ଚିହ୍ନଟ କରିବାରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଏବେ ପୁନଶ୍ଚ ବାଂଲା ଦେଶର ଅସ୍ଥିରତା ନେଇ ଅନୁପ୍ରବେଶକାରୀ ସେମାନଙ୍କ ଜ୍ଞାନ୍ତି, କୁଟୁମ୍ବଙ୍କ ସହାୟତାରେ ଅନୁପ୍ରବେଶ କରିବାକୁ ମସୁଧା ଖୋଜୁଥିବା ବେଳେ କିପରି ସେମାନଙ୍କୁ ସମୁଦ୍ର ପଥରେ ଅଟକାଇହେବ ସେଥିପାଇଁ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଛି । ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲାରେ ଥିବା ଧାମରା ଓ କଶିଆ ସାମୁଦ୍ରିକ ଥାନାର ଦୂରାବସ୍ଥା ବାଂଲା ଅନୁପ୍ରବେଶକାରୀଙ୍କୁ ଅନୁପ୍ରବେଶ କରିବା ପାଇଁ ସୁଯୋଗ ସୃଷ୍ଟି କରୁଥିବା ବେଳେ କୋଟି କୋଟି ଟଙ୍କାରେ ଦିଆଯାଇଥିବା ଅତ୍ୟାଧୁନିକ ଦ୍ରୁତଗାମୀ ବୋଟ ଗୁଡିକ ଜାଳେଣୀ ଅଭାବରୁ ସମୁଦ୍ରକୁ ଯାଇ ନ ପାରି କୂଳରେ ବନ୍ଧା ହୋଇ ଖତ ଖାଇବାରେ ଲାଗିଛନ୍ତି । ଅନ୍ୟ ପକ୍ଷରେ ସାମୁଦ୍ରିକ ଥାନା ଗୁଡିକର ଆବଶ୍ୟକ ଅନୁଯାୟୀ ଷ୍ଟାପ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଦକ୍ଷ କର୍ମଚାରୀ ନ ଥିବାରୁ ସେମାନେ ସମୁଦ୍ର ପଥରେ ଯାଇ ବାଂଳାଦେଶୀଙ୍କୁ ପ୍ରତିରୋଧ କରିବା ସହଜ ହୋଇପାରୁନି କି ଠିକ ଭାବରେ ସେମାନେ ପେଟ୍ରୋଲିଙ୍ଗ କରିପାରୁନାହାଁନ୍ତି । ଯଦି ସାମୁଦ୍ରିକ ଥାନା,ଓ ଗୁଇନ୍ଦା ବିଭାଗକୁ ସଜାଗ କରା ନ ଯାଏ ତେବେ ଧାମରା ଉପକୂଳ ଦେଇ ଅନୁପ୍ରବେଶକାରୀମାନେ ନିଶ୍ଚିତ ଅନୁପ୍ରବେଶ କରିବେ ।