Odiapua.com

କେତେ ଶୁଦ୍ଧ ନଦୀ ଜଳ ?

ଭୁବନେଶ୍ୱର, ୧/୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଦିନକୁ ଦିନ ଜଳ ପାଲଟୁଛି ଜହର। ରାଜ୍ୟର ପ୍ରମୁଖ ୫ଟି ନଦୀର ଜଳ ଏବେ ପ୍ରଦୁଷିତ। ଏହି କଥା ଖୋଦ୍ ବିଧାନସଭାରେ ସ୍ୱୀକାର କରିଛନ୍ତି ବିଭାଗୀୟ ମନ୍ତ୍ରୀ।

ସେପଟେ ନଦୀ ଜଳ ବିଷାକ୍ତ ହେବା ଫଳରେ ଚିନ୍ତାରେ ନଦୀକୂଳବାସୀ। ରାଜ୍ୟର ପ୍ରମୁଖ ୫ଟି ନଦୀ ଏବେ ପ୍ରବଳ ମାତ୍ରାରେ ପ୍ରଦୂଷିତ ହୋଇଛି। ମହାନଦୀ, ବ୍ରାହ୍ମଣୀ, ବୈତରଣୀ ସହ ଶଙ୍ଖ ଓ କୋଏଲ ନଦୀର ଜଳ ଜହର ପାଲଟିବାରେ ଲାଗିଛି। ନଦୀର ୨ଟି ଭାଗ, ଶଙ୍ଖ ଓ କୋଏଲ ନଦୀର ଗୋଟିଏ ସ୍ଥାନରେ ଜଳ ପ୍ରଦୂଷିତ ରହିଛି। ସେହିପରି ବ୍ରାହ୍ମଣୀ ନଦୀର ୪ଟି ସ୍ଥାନରେ ଜଳ ପ୍ରଦୂଷିତ ହୋଇଥିବା ବେଳେ ବୈତରଣୀର ତିନୋଟି ସ୍ଥାନରେ ବିଷାକ୍ତ ହୋଇଛି ଜଳ।

କଟକ ଓ ସମ୍ବଲପୁର ସହରର ପରିତ୍ୟକ୍ତ ଜଳ ମହାନଦୀରେ ମିଶୁଥିବାରୁ ମହାନଦୀ ଜଳ ପ୍ରଦୂଷିତ ହୋଇଛି। କେବଳ ମହାନଦୀ ନୁହେଁ, ରାଉରକେଲା ସହରର ପରିତ୍ୟକ୍ତ ପାଣି, ବର୍ଜ୍ୟବସ୍ତୁ ନଦୀକୁ ଛାଡ଼ିବା ଦ୍ୱାରା ବ୍ରାହ୍ମଣୀ ନଦୀ ମଧ୍ୟ ପ୍ରଦୂଷିତ ହେଉଛି।

ସେପଟେ ଲୋକଙ୍କ କାରଣରୁ ବୈତରଣୀ, ଶଙ୍ଖ, କୋଏଲ ନଦୀର ଜଳ ପ୍ରଦୂଷିତ ହେଉଛି ବୋଲି ପରିବେଶ ମନ୍ତ୍ରୀ ଗୃହରେ ପ୍ରକାଶ କରିଛନ୍ତି। ହେଲେ ଚାନ୍ଦବାଲି ଅଞ୍ଚଳରେ ବୈତରଣୀ ନଦୀରେ ବହୁଳ ମାତ୍ରାରେ ଚିଙ୍ଗୁଡି ଘେରି ଓ ନଦୀ କୂଳରେ ପ୍ରତିଷ୍ଠା ହେଇଥିବା ଚାଉଳ ମିଲର ବର୍ଜ୍ୟ ଜଳ ଦ୍ୱାରା ନଦୀର ଜଳ ପ୍ରଦୂଷିତ ହେଉଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।